ରାମଲିଙ୍ଗାଙ୍କ ରିଜାଇନ୍- କର୍ଣ୍ଣାଟକ ସରକାରରେ ହଇଚଇ!
ତାଙ୍କୁ ପୂର୍ବରୁ ବେଙ୍ଗାଲୁରୁ ଡେଭଲପମେଣ୍ଟ ବିଭାଗ ଦିଆଯିବ ବୋଲି ଆଶ୍ୱାସନା ଦେଇଥିଲେ ଡିକେ ଶିବକୁମାର। ହେଲେ କଥା ରଖିଲେନି। ଏହା ତାଙ୍କ ପ୍ରତି ଅପମାନ।

ଗୁରୁବାର କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ମନ୍ତ୍ରୀଙ୍କୁ ବିଭାଗ ବଣ୍ଟନ କଲେ। ବୁଧବାର ଶିବକୁମାରଙ୍କ ମନ୍ତ୍ରିମଣ୍ଡଳରେ ୧୩ ମନ୍ତ୍ରୀ ଶପଥ ନେଇଥିଲେ। ନୂଆ ମନ୍ତ୍ରିମଣ୍ଡଳରେ ବିଭାଗ ବଣ୍ଟନକୁ ନେଇ ଆରମ୍ଭରୁ ଅସନ୍ତୋଷ। ଶୁକ୍ରବାର ଏହାକୁ ନେଇ ଅସନ୍ତୋଷର ବଡ଼ ଝଲକ। କର୍ଣ୍ଣାଟକର ବରିଷ୍ଠ କଂଗ୍ରେସ ନେତା ଓ ମନ୍ତ୍ରୀ ଆର.ରାମଲିଙ୍ଗା ରେଡ୍ଡୀ ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ। ରାମଲିଙ୍ଗା ରେଡ୍ଡିଙ୍କ ଅଭିଯୋଗ ଅନୁସାରେ, ତାଙ୍କୁ ପୂର୍ବରୁ ବେଙ୍ଗାଲୁରୁ ଡେଭଲପମେଣ୍ଟ ବିଭାଗ ଦିଆଯିବ ବୋଲି ଆଶ୍ୱାସନା ଦେଇଥିଲେ ଡିକେ ଶିବକୁମାର। ହେଲେ କଥା ରଖିଲେନି। ଏହା ତାଙ୍କ ପ୍ରତି ଅପମାନ। ଶେଷ ମୂହୂର୍ତ୍ତରେ ସେ ବିଭାଗକୁ କ୍ରିଷ୍ଣା ବାଏରେ ଗୌଡ଼ାଙ୍କୁ ଦିଆଗଲା। ଆଉ ତାଙ୍କୁ ଜଳସମ୍ପଦ ବିଭାଗ ଦିଆଗଲା। ଏହା ତାଙ୍କ ପ୍ରତି ଅପମାନ ବୋଲି କହିଛନ୍ତି ରେଡ୍ଡି। ଏହା ସହ ସେ ସ୍ପଷ୍ଟ କରିଛନ୍ତି, ଏ ନିଷ୍ପତ୍ତି ଦଳବିରୋଧୀ ନୁହେଁ। ଆତ୍ମସମ୍ମାନ ଲାଗି ସେ ନେଇଛନ୍ତି। ସେ କଂଗ୍ରେସରେ ଅଛନ୍ତି। ସାଧାରଣ ବିଧାୟକ ଭାବେ ରହିବେ। ସେ ଆଉ କେତେଦିନ ଏମିତି ଅପମାନ ସହିବେ। ଆଉ ବିବେକ ବିରୋଧରେ କାମ କରିପାରିବେନି ବୋଲି ସଫା ସଫା କହିଛନ୍ତି ରାମଲିଙ୍ଗା। କ୍ରିଷ୍ଣା ଗୌଡ଼ାଙ୍କୁ ଯେଉଁ ବେଙ୍ଗାଲୁରୁ ବିକାଶ ବିଭାଗ ଏବେ ଶିବକୁମାର ଦେଲେ, ସେ ବିଭାଗ ସେ ସିଦ୍ଧରମେୟା ସରକାରରେ ନିଜ ପାଖରେ ରଖିଥିଲେ। ସିଦ୍ଧରମେୟା ସରକାରରେ କ୍ରିଷ୍ଣା ରାଜସ୍ୱ ମନ୍ତ୍ରୀ ଥିଲେ। ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର କହିଛନ୍ତି, ରେଡ୍ଡି ତାଙ୍କ ଘନିଷ୍ଠ ବନ୍ଧୁ। ଏଥିରେ କୌଣସି ବ୍ୟତିବ୍ୟସ୍ତ ହେବାର କିଛି ନାହିଁ। ସେ ଦଳର ବରିଷ୍ଠ ନେତା। ସେ ତାଙ୍କ ସହ ମିଶି ଏ ଅସନ୍ତୋଷକୁ ତୁଟାଇବେ। କର୍ଣ୍ଣାଟକ ସରକାରରେ ଏଭଳି ପରିସ୍ଥିତିକୁ ନେଇ କଟାକ୍ଷ କରିଛି ବିଜେପି। ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଶେହେଜାଦା ପୁନାଓ୍ୱାଲା କହିଛନ୍ତି, ମୁଖ୍ୟମନ୍ତ୍ରୀ ବଦଳିଲେ ସତ। ହେଲେ କଂଗ୍ରେସର ଚରିତ୍ର ବଦଳିନି। ପାଓ୍ୱାର ପଲିଟିକ୍ସ ପାଇଁ କର୍ଣ୍ଣାଟକ ବିକାଶ ଚୁଲିକୁ ଗଲାଣି। ଆଭ୍ୟନ୍ତରୀଣ ବିବାଦରେ ମାତିଥିବାରୁ ସରକାରୀ କଳ ସାଧାରଣ ଲୋକଙ୍କ ସ୍ୱାର୍ଥକୁ ଦେଖୁନି। ରାମଲିଙ୍ଗା ରେଡ୍ଡି ୮ଥରର ବିଧାୟକ। ହେଲେ ମନପସନ୍ଦର ବିଭାଗ ନ ମିଳିବାରୁ ଏଭଳି ଇସ୍ତଫା ଘଟଣା କର୍ଣ୍ଣାଟକ ରାଜନୀତିରେ ହଇଚଇ ସୃଷ୍ଟି କରିଛି। କର୍ଣ୍ଣାଟକ କଂଗ୍ରେସର ଆଭ୍ୟନ୍ତରୀଣ ଅସନ୍ତୋଷକୁ ସାମ୍ନାକୁ ଆଣିଛି।
