ଆଜି ନବମୀ ସନ୍ଧ୍ୟା ଦର୍ଶନ। ବାହୁଡ଼ାଯାତ୍ରା ପ୍ରସ୍ତୁତି ଆରମ୍ଭ
ଆଡ଼ପ ମଣ୍ଡପରେ ଆଜି ମହାପ୍ରଭୁଙ୍କ ନବଦିନାତ୍ମକ ଲୀଳାର ଶେଷ ଦିନ। ନବମୀ ସନ୍ଧ୍ୟା ଦର୍ଶନରେ ଚତୁର୍ଦ୍ଧା ବିଗ୍ରହଙ୍କ ଦର୍ଶନ ପାଇଁ ଗୁଣ୍ଡିଚା ମନ୍ଦିରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ। ରାତି ପାହିଲେ ବାହୁଡ଼ାଯାତ୍ରା।
ପୁରୀ: ଆଡ଼ପ ମଣ୍ଡପରେ ଆଜି ମହାପ୍ରଭୁଙ୍କ ନବଦିନାତ୍ମକ ଲୀଳାର ଶେଷ ଦିନ। ନବମୀ ସନ୍ଧ୍ୟା ଦର୍ଶନରେ ଚତୁର୍ଦ୍ଧା ବିଗ୍ରହଙ୍କ ଦର୍ଶନ ପାଇଁ ଗୁଣ୍ଡିଚା ମନ୍ଦିରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ। ରାତି ପାହିଲେ ବାହୁଡ଼ାଯାତ୍ରା। ସେଥିପାଇଁ ନୀତିକାନ୍ତିଠାରୁ ଆରମ୍ଭ କରି ସୁରକ୍ଷା ବ୍ୟବସ୍ଥା ପର୍ଯ୍ୟନ୍ତ ସବୁ ପ୍ରସ୍ତୁତି ଶେଷ କରିଛି ପ୍ରଶାସନ। ଜନ୍ମବେଦୀ ଶ୍ରୀଗୁଣ୍ଡିଚା ମନ୍ଦିରରେ ନବଦିନ ଧରି ଲୀଳାଖେଳା ସାରି ଏବେ ନୀଳକନ୍ଦରକୁ ବାହୁଡ଼ିବାକୁ ପ୍ରସ୍ତୁତ ତିନିଠାକୁର। ଆଜି ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ଶେଷ ଦିନ ଥିବାରୁ ନବମୀ ସନ୍ଧ୍ୟା ଦର୍ଶନରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି। ଆଜି ସନ୍ଧ୍ୟା ଦର୍ଶନ ବନ୍ଦ ପରେ ଆରମ୍ଭ ହେବ ବାହୁଡା ନୀତି। କୋଠ ସୁଆଁସିଆ ମାନେ ସିଂହାସନକୁ ଚାରମାଳ ବାନ୍ଧିବା ଆରମ୍ଭ କରିବେ । ପରେ ଅନ୍ୟ ନୀତି ବଢିବା ସହ ଶ୍ରୀମୁଖ ଖଣ୍ଡୁଆ ହୋଇ ବଡ଼ସିଂହାର ବେଶରେ ପହୁଡ଼ ହେବେ ଶ୍ରୀଜୀଉ। ନୀତିକାନ୍ତି ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ଆଜି ସନ୍ଧ୍ୟା ଦର୍ଶନର ସମୟକୁ ମଧ୍ୟ କମ୍ କରାଯାଇଛି।
ଶାସ୍ତ୍ର ଅନୁସାରେ ନବମୀ ସନ୍ଧ୍ୟା ଦର୍ଶନର ବିଶେଷ ମହତ୍ତ୍ୱ ରହିଛି। ବର୍ଷସାରା ଶ୍ରୀମନ୍ଦିରରେ ଦର୍ଶନର ଯେଉଁ ପୁଣ୍ୟ ମିଳେ, ଆଡ଼ପ ମଣ୍ଡପରେ ଚତୁର୍ଦ୍ଧା ବିଗ୍ରହଙ୍କ ଗୋଟିଏ ଦିନ ଦର୍ଶନରେ ସେହି ପୁଣ୍ୟ ଲାଭ ହୁଏ ବୋଲି ବିଶ୍ୱାସ ରହିଛି। ଏହି କାରଣରୁ ଗୁଣ୍ଡିଚା ମନ୍ଦିର ଓ ଶରଧାବାଲି ଲୋକାରଣ୍ୟ ପାଲଟିଥିଲା। ଆଜି ଶେଷ ଆଡ଼ପ ଅଭଡ଼ା ପାଇଁ ମଧ୍ୟ ଭକ୍ତଙ୍କ ମଧ୍ୟରେ ବେଶ୍ ଆଗ୍ରହ ଦେଖାଯାଇଥିଲା।
ସେପଟେ ବାହୁଡ଼ାଯାତ୍ରାକୁ ନେଇ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଗୁଣ୍ଡିଚା ମନ୍ଦିରର ଉଭୟ ପ୍ରବେଶଦ୍ୱାରରେ ସଶସ୍ତ୍ର ପୁଲିସ ମୁତୟନ ହୋଇଥିବା ବେଳେ ସ୍ପେଶାଲ ଟାକ୍ଟିକାଲ ୟୁନିଟ୍ ମଧ୍ୟ ନିୟୋଜିତ ହୋଇଛି। ସମଗ୍ର ମନ୍ଦିର ପରିସର ସିସିଟିଭି ବଳୟରେ ରହିଛି। ସକାଳୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଥିଲା। ଜିଗ୍-ଜ୍ୟାଗ୍ ବ୍ୟାରିକେଡ୍ ଦେଇ ଦୀର୍ଘ ସମୟ ଅପେକ୍ଷା କରି ଭକ୍ତମାନେ ସିଂହଦ୍ୱାର ଦେଇ ଗୁଣ୍ଡିଚା ମନ୍ଦିରକୁ ପ୍ରବେଶ କରିଥିଲେ। ଆଡ଼ପ ମଣ୍ଡପରେ ଚତୁର୍ଦ୍ଧା ବିଗ୍ରହଙ୍କ ଦର୍ଶନ ପରେ ନାକଚଣା ଦ୍ୱାର ଦେଇ ବାହାରକୁ ପ୍ରସ୍ଥାନ କରିଥିଲେ।
ନବମୀ ସନ୍ଧ୍ୟା ଦର୍ଶନରେ ବିଶ୍ୱନିୟନ୍ତାଙ୍କ ଦର୍ଶନ ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି। ମହାପ୍ରଭୁଙ୍କୁ ଦର୍ଶନ କରି ଭକ୍ତ ନିଜକୁ କୃତାର୍ଥ ମନେ କରିଛନ୍ତି। ପୌରାଣିକ ବିଶ୍ୱାସ ଅନୁଯାୟୀ, ନବମୀ ତିଥିରେ ରାଜା ଇନ୍ଦ୍ରଦ୍ୟୁମ୍ନ ମହାପ୍ରଭୁଙ୍କ ଦର୍ଶନ କରିଥିବାରୁ ଏହି ଦର୍ଶନର ସ୍ୱତନ୍ତ୍ର ମହତ୍ତ୍ୱ ରହିଛି। ଆଜି ରାତିରେ ବାହୁଡ଼ା ନୀତି ସମ୍ପନ୍ନ ହେବା ପରେ ଆସନ୍ତାକାଲି ଭକ୍ତଙ୍କ "ହରିବୋଲ" ଧ୍ୱନି ମଧ୍ୟରେ ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିବେ ଚତୁର୍ଦ୍ଧାମୂରତି।
