ନୀଳାଦ୍ରି ବିଜେ ସହ ଶେଷ ହେଲା ନବଦିନାତ୍ମକ ଘୋଷଯାତ୍ରା
ଶେଷ ହେଲା ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା। ଭକ୍ତି, ଭାବ ମଧ୍ୟରେ ସମ୍ପନ୍ନ ହୋଇଛି ମହାପ୍ରଭୁଙ୍କ ପବିତ୍ର ନୀଳାଦ୍ରି ବିଜେ । ଆଜିଠୁ ରତ୍ନ ସିଂହାସନରେ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂରତି, ଆଜି ଭକ୍ତଙ୍କୁ ମିଳିଵ ନୀଳାଚଳ ଅବଢ଼ା ।

ପୁରୀ: ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥଙ୍କ ନବଦିନାତ୍ମକ ଘୋଷଯାତ୍ରାର ଅନ୍ତିମ ପର୍ବ ନୀଳାଦ୍ରି ବିଜେ ସହ ସମ୍ପନ୍ନ ହୋଇଛି। ଭକ୍ତି, ଭାବ ଓ ଆଧ୍ୟାତ୍ମିକ ଆବେଗର ଅପୂର୍ବ ପରିବେଶ ମଧ୍ୟରେ ଚତୁର୍ଦ୍ଧାମୂର୍ତ୍ତି ପୁଣି ଶ୍ରୀମନ୍ଦିରର ରତ୍ନ ସିଂହାସନକୁ ବାହୁଡ଼ିଛନ୍ତି। ୧୨ ଦିନର ଲୀଳାଖେଳା ଶେଷ କରି ବଡ଼ଠାକୁର ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ମହାପ୍ରଭୁ ଶ୍ରୀଜଗନ୍ନାଥ ନୀଳକନ୍ଦରକୁ ବିଜେ କରିଛନ୍ତି। ପ୍ରବଳ ବର୍ଷା ସତ୍ତ୍ୱେ ଶ୍ରୀକ୍ଷେତ୍ରରେ ଭକ୍ତି, ପରମ୍ପରା ଓ ଆସ୍ଥାର ଅନନ୍ୟ ସମନ୍ୱୟ ଦେଖିବାକୁ ମିଳିଥିଲା। ଆଷାଢ଼ ଶୁକ୍ଳ ତ୍ରୟୋଦଶୀ ତିଥିରେ ଅନୁଷ୍ଠିତ ହୋଇଥିବା ନୀଳାଦ୍ରି ବିଜେ ନୀତିରେ ରଥ ଉପରେ ସନ୍ଧ୍ୟାକାଳୀନ ନୀତିକାନ୍ତି ଶେଷ ପରେ ଠାକୁରମାନଙ୍କୁ ଗୋଟି ପହଣ୍ଡିରେ ଶ୍ରୀମନ୍ଦିରକୁ ବିଜେ କରାଯାଇଥିଲା। ପ୍ରଥମେ ଶ୍ରୀସୁଦର୍ଶନ, ପରେ ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରା ମନ୍ଦିରକୁ ପ୍ରବେଶ କରିଥିଲେ। ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥ ରତ୍ନ ସିଂହାସନରେ ଅଧିଷ୍ଠିତ ହୋଇଥିଲେ। ଘଣ୍ଟଘଣ୍ଟା, ହରିବୋଲ ଓ ‘ଜୟ ଜଗନ୍ନାଥ’ ଧ୍ୱନିରେ ସମଗ୍ର ଶ୍ରୀକ୍ଷେତ୍ର ପ୍ରକମ୍ପିତ ହୋଇଉଠିଥିଲା। ରସଗୋଲା ନୀତିଠାରୁ ଆରମ୍ଭ କରି ପହଣ୍ଡି ବିଜେ ପର୍ଯ୍ୟନ୍ତ ସମସ୍ତ ନୀତିକାନ୍ତି ଶୃଙ୍ଖଳିତ ଭାବେ ସମ୍ପନ୍ନ ହୋଇଥିଲା। ନୀଳାଦ୍ରି ବିଜେର ମୁଖ୍ଯ ଆକର୍ଷଣ ହେଉଛି ଲକ୍ଷ୍ମୀ-ନାରାୟଣ ବଚନିକା। ଗୁଣ୍ଡିଚା ଯାତ୍ରାରେ ମା’ ଲକ୍ଷ୍ମୀଙ୍କୁ ସାଙ୍ଗରେ ମହାପ୍ରଭୁ ନେଇନଥିବାରୁ ମା’ ଅଭିମାନ କରିଥାନ୍ତି। ଅଭିମାନିନୀ ମା’ ଲକ୍ଷ୍ମୀ ନିଳାଦ୍ରୀ ଵିଜେରେ ମହାପ୍ରଭୁଙ୍କ ପାଇଁ ସିଂହଦ୍ୱାରକୁ ଵନ୍ଦ ରଖିଥାନ୍ତି ଏବଂ ସେବାୟତଙ୍କ ମାଧ୍ୟମରେ ମାନ-ଅଭିମାନର ବଚନିକା ଚାଲିଥାଏ। ଶେଷରେ ମା’ ଲକ୍ଷ୍ମୀଙ୍କ ମାନଭଞ୍ଜନ ପାଇଁ ମହାପ୍ରଭୁଙ୍କ ପକ୍ଷରୁ ରସଗୋଲା ଅର୍ପଣ କରାଯାଏ। ଏହା ପରେ ନିଳକନ୍ଦରକୁ ପ୍ରଵେସ କରନ୍ତି ନୀଳାଦ୍ରିନାଥ।
ନୀଳାଦ୍ରି ବିଜେ ପରେ ଆଜିଠାରୁ ଚତୁର୍ଦ୍ଧାମୂର୍ତ୍ତି ରତ୍ନ ସିଂହାସନରେ ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି। ମହାପ୍ରଭୁ ଶ୍ରୀମନ୍ଦିରକୁ ବିଜେ କରିବା ପରେ ନୀଳାଚଳ ଅବଢ଼ା ବାହାରିବ। ଭକ୍ତ ଓ ଶ୍ରଦ୍ଧାଳୁମାନେ ପୁଣି ମହାପ୍ରସାଦ ଲାଭ କରିବାର ସୁଯୋଗ ପାଇବେ।
