ଅଶ୍ରୁଳ ବିଦାୟରେ ଝୁରିଲା ଜନ୍ମମାଟି, ଲୋକଙ୍କ ହୃଦୟରେ ଅମର ରହିଲେ ସୁଶାନ୍ତ ସିଂ
ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ଶେଷ ବିଦାୟ, ପ୍ରିୟ ନେତାଙ୍କ ଶେଷ ଦର୍ଶନ ପାଇଁ ସୋହେଲାରେ ହଜାର ହଜାର ଲୋକଙ୍କ ଭିଡ଼ – ସରକାରୀ ମର୍ଯ୍ୟାଦାରେ ସମ୍ପନ୍ନ ହେଲା ଅନ୍ତିମ ସଂସ୍କାର।
ସୋହେଲା: ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ନେତା ସୁଶାନ୍ତ ସିଂଙ୍କ ପରଲୋକ ପରେ ତାଙ୍କ ଜନ୍ମମାଟି ସୋହେଲା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ରବିବାର ବିଳମ୍ବିତ ରାତିରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଦୀର୍ଘଦିନର ଅସୁସ୍ଥତା ପରେ ତାଙ୍କର ଦେହାନ୍ତ ଘଟିଥିଲା। ସୋମବାର ଵରଗଡ ସ୍ଥିତ ସୋହେଲା ବ୍ଲକ୍ର ବାଉସେନମୁରା ଗ୍ରାମରେ ସରକାରୀ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ସୁଶାନ୍ତ ସିଂଙ୍କ ମରଶରୀର ପ୍ରଥମେ ବିଜେଡି ପକ୍ଷରୁ ଶଙ୍ଖ ଭବନରେ ଶ୍ରଦ୍ଧାଞ୍ଜଳି ପାଇଁ ରଖାଯାଇଥିଲା। ପରେ ତାଙ୍କ ମରଶରୀରକୁ ଜନ୍ମମାଟି ସୋହେଲାକୁ ଅଣାଯାଇଥିଲା। ହଲ୍ଡିପାଲିସ୍ଥିତ ବାସଭବନରୁ ଅନ୍ତିମ ଶୋଭାଯାତ୍ରା ବାହାରି ବାଉସେନମୁରା ଗ୍ରାମରେ ପହଞ୍ଚିବା ପରେ ହଜାର ହଜାର ଲୋକ ନିଜ ପ୍ରିୟ ନେତାଙ୍କ ଶେଷ ଦର୍ଶନ କରିଥିଲେ। ବିଭିନ୍ନ ରାଜନୈତିକ ଦଳର ନେତା, କର୍ମୀ ଏବଂ ସମର୍ଥକମାନେ ଉପସ୍ଥିତ ରହି ସୁଶାନ୍ତ ସିଂଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ସ୍ନେହାଙ୍ଗିନୀ ଛୁରିଆ, ଦୀପାଳି ଦାସ ଏବଂ ବିଜେପି ବିଧାୟକ ନିହାର ରଞ୍ଜନ ମହାନନ୍ଦ ପ୍ରମୁଖ ତାଙ୍କ ସ୍ମୃତିଚାରଣ କରିଥିଲେ। ଅନ୍ତିମ ଯାତ୍ରା ସମୟରେ “ସୁଶାନ୍ତ ସିଂ ଅମର ରହେ” ନାରାରେ ସମଗ୍ର ସୋହେଲା ଅଞ୍ଚଳ ପ୍ରକମ୍ପିତ ହୋଇଉଠିଥିଲା। ସ୍ଥାନୀୟ ଲୋକମାନେ କହିଥିଲେ, ସୁଶାନ୍ତ ସିଂ କେବଳ ଜଣେ ରାଜନେତା ନୁହେଁ, ବରଂ ଗରିବ ଓ ଦୁଃଖୀ ଲୋକଙ୍କ ଭରସା ଥିଲେ।
୨୦୦୯ରୁ ୨୦୨୪ ପର୍ଯ୍ୟନ୍ତ ସେ ଭଟଲି ବିଧାନସଭା ଆସନରୁ ଲଗାତାର ଭାବେ ତିନିଥର ବିଜୟୀ ହୋଇଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘନିଷ୍ଠ ସହଯୋଗୀ ଭାବେ ସେ ପୂର୍ବ ସରକାରରେ ବିଭିନ୍ନ ବିଭାଗର ମନ୍ତ୍ରୀ ଦାୟିତ୍ୱ ତୁଲାଇଥିଲେ ଏବଂ ପଶ୍ଚିମ ଓଡ଼ିଶାର ରାଜନୀତିରେ ତାଙ୍କର ସ୍ୱତନ୍ତ୍ର ପ୍ରଭାବ ରହିଥିଲା। ସରକାରୀ ମର୍ଯ୍ୟାଦା ସହ ‘ଗାର୍ଡ ଅଫ୍ ଅନର୍’ ପ୍ରଦାନ କରାଯିବା ପରେ ତାଙ୍କ ସାନଭାଇ ଦୀପକ ସିଂ ମୁଖାଗ୍ନି ଦେଇଥିଲେ। ସୁଶାନ୍ତ ସିଂଙ୍କ ବିୟୋଗରେ ସମଗ୍ର ଅଞ୍ଚଳରେ ଶୋକର ପରିବେଶ ଦେଖିବାକୁ ମିଳିଛି।
