ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ନାଁରେ ନାମିତ ହେବ ଫୁଲବାଣୀ ମେଡିକାଲ କଲେଜ:
କନ୍ଧମାଳ ଜିଲ୍ଲାର ବନବାସୀଙ୍କ ବିକାଶ ଓ ସେବା କ୍ଷେତ୍ରରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଅତୁଳନୀୟ ଯୋଗଦାନକୁ ସମ୍ମାନ ଜଣାଇ ଓଡ଼ିଶା ସରକାର ଏକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି। ଫୁଲବାଣୀସ୍ଥିତ ସରକାରୀ ମେଡିକାଲ କଲେଜ ଓ ହସପିଟାଲକୁ ଏବେ "ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ମେଡିକାଲ କଲେଜ" ଭାବେ ନାମିତ କରାଯିବ।

କନ୍ଧମାଳ ଜିଲ୍ଲାର ବନବାସୀଙ୍କ ବିକାଶ ଓ ସେବା କ୍ଷେତ୍ରରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଅତୁଳନୀୟ ଯୋଗଦାନକୁ ସମ୍ମାନ ଜଣାଇ ଓଡ଼ିଶା ସରକାର ଏକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି। ଫୁଲବାଣୀସ୍ଥିତ ସରକାରୀ ମେଡିକାଲ କଲେଜ ଓ ହସପିଟାଲକୁ ଏବେ "ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ମେଡିକାଲ କଲେଜ" ଭାବେ ନାମିତ କରାଯିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ସମ୍ପର୍କରେ ଘୋଷଣା କରିଛନ୍ତି। ସଂସ୍କୃତି, ଐତିହ୍ୟ ଏବଂ ଜନଜାତିଙ୍କ କଲ୍ୟାଣ ପାଇଁ ସ୍ୱାମୀଜୀଙ୍କ ସମର୍ପିତ ଜୀବନକୁ ମନେରଖିବା ସହ ତାଙ୍କ ଆଦର୍ଶକୁ ଅକ୍ଷୁର୍ଣ୍ଣ ରଖିବା ଏହି ନିଷ୍ପତ୍ତିର ମୁଖ୍ୟ ଉଦ୍ଦେଶ୍ୟ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ଜଳେଶପଟ୍ଟା ଆଶ୍ରମ ଓ ବିଦ୍ୟାଳୟ ପାଇଁ ୧୩ କୋଟି ଟଙ୍କାର ଅନୁଦାନ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସହାୟତା (CMSA) ପାଣ୍ଠିରୁ ଜଳେଶପଟ୍ଟା ଆଶ୍ରମ, ଆଶ୍ରମ ସ୍କୁଲ ଓ ଛାତ୍ରୀନିବାସର ସର୍ବାଙ୍ଗୀନ ବିକାଶ ପାଇଁ ୧୩ କୋଟି ଟଙ୍କା ମଞ୍ଜୁର କରାଯାଇଛି।
ପାଣ୍ଠିର ପ୍ରମୁଖ ବିନିଯୋଗ: ୩୦୦ ଶଯ୍ୟାବିଶିଷ୍ଟ ଛାତ୍ରୀନିବାସ: ଛାତ୍ରୀମାନଙ୍କ ରହିବା ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ୫ କୋଟି ଟଙ୍କା ବ୍ୟୟରେ ଏକ ୩୦୦ ଆସନବିଶିଷ୍ଟ ନୂତନ ଛାତ୍ରୀନିବାସ ନିର୍ମାଣ ହେବ।
ଐତିହ୍ୟ ସ୍ଥଳର ସଂରକ୍ଷଣ: ସ୍ୱାମୀଜୀଙ୍କ ଐତିହ୍ୟ ସ୍ଥଳର ସଂରକ୍ଷଣ ଓ ସୌନ୍ଦର୍ଯ୍ୟୀକରଣ ପାଇଁ ୩ କୋଟି ଟଙ୍କା ବ୍ୟରାଦ କରାଯାଇଛି। ମେଗା ରିଭର ଲିଫ୍ଟ ପ୍ରକଳ୍ପ: ଆଶ୍ରମ, ବିଦ୍ୟାଳୟ ଓ ହୋଷ୍ଟେଲ ପରିସରକୁ ନିରବଚ୍ଛିନ୍ନ ପାନୀୟ ଜଳ ଯୋଗାଇବା ପାଇଁ ୬୦ ଲକ୍ଷ ଟଙ୍କାର ଏକ ମେଗା ରିଭର ଲିଫ୍ଟ ପ୍ରକଳ୍ପ କାର୍ଯ୍ୟକାରୀ ହେବ। ବଳକା ଅର୍ଥରେ ନୂତନ ଶ୍ରେଣୀଗୃହ, ପାଚେରୀ, ଶୌଚାଳୟ ନିର୍ମାଣ ଏବଂ ପୁରୁଣା ହୋଷ୍ଟେଲଗୁଡ଼ିକର ମରାମତି ଓ ନବୀକରଣ କରାଯିବ। କନ୍ଧମାଳ ପରି ଜନଜାତି ବହୁଳ ଜିଲ୍ଲାରେ ଶିକ୍ଷା ଓ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ସହ ଅଞ୍ଚଳର ସାଂସ୍କୃତିକ ଓ ଐତିହାସିକ ମହତ୍ତ୍ୱକୁ ସୁରକ୍ଷିତ ରଖିବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି।
