Odia Prescription: ରୋଗୀଙ୍କ ପାଇଁ ସହଜ ଓଡ଼ିଆରେ ପ୍ରେସ୍କ୍ରିପ୍ସନ, ଡାକ୍ତରଙ୍କ ଅଭିନବ ପ୍ରୟାସ
ରୋଗୀଙ୍କ ପାଇଁ ସରଳ ଓଡ଼ିଆରେ ପ୍ରେସ୍କ୍ରିପ୍ସନ। କୋରାପୁଟ S.L.N. ମେଡିକାଲ କଲେଜର ଡାକ୍ତର ଶିବ ପ୍ରସାଦ ସେନାପତିଙ୍କ ଉଦ୍ୟମକୁ ନେଇ ଚର୍ଚ୍ଚା।

କୋରାପୁଟ: ଡାକ୍ତରଙ୍କ ପ୍ରେସ୍କ୍ରିପ୍ସନ ଦେଖି ଅନେକ ସମୟରେ ରୋଗୀଙ୍କ ମନରେ ପ୍ରଶ୍ନ ଆସେ—କେଉଁ ଔଷଧ କେତେବେଳେ ଖାଇବେ? କେତେ ଦିନ ଯାଏଁ ଖାଇବେ? ଏସବୁ ବୁଝିବା ନେଇ ରହିଥାଏ ଦ୍ୱନ୍ଦ୍ୱ। ଏହି ସମସ୍ୟାକୁ ସହଜ କରି ଦେଖାଇଛନ୍ତି, କୋରାପୁଟ S.L.N. ମେଡିକାଲ କଲେଜର ଡାକ୍ତର ଶିବ ପ୍ରସାଦ ସେନାପତି। ରୋଗୀମାନେ ଯେପରି ନିଜ ପ୍ରେସ୍କ୍ରିପ୍ସନକୁ ସହଜରେ ବୁଝିପାରିବେ, ସେଥିପାଇଁ ଓଡ଼ିଆ ଭାଷାରେ ସ୍ପଷ୍ଟ ଓ ସୁନ୍ଦର ଭାବେ ପ୍ରେସ୍କ୍ରିପ୍ସନ ଲେଖି ଏକ ଭିନ୍ନ ପ୍ରୟାସ କରିଛନ୍ତି ଡାକ୍ତର ଶିବ ପ୍ରସାଦ ସେନାପତି। ସାଧାରଣତଃ ଡାକ୍ତରଙ୍କ ହାତଲେଖା କିମ୍ବା ଚିକିତ୍ସା ସମ୍ବନ୍ଧୀୟ ଶବ୍ଦ ବୁଝିବାରେ ଅନେକ ରୋଗୀ ଓ ସେମାନଙ୍କ ପରିବାର ଅସୁବିଧାର ସମ୍ମୁଖୀନ ହୁଅନ୍ତି।

ଏଭଳି ସ୍ଥିତିରେ ରୋଗୀଙ୍କୁ ଦେଖି ଦେଉଛନ୍ତି ଓଡ଼ିଆରେ ଲେଖା ପ୍ରେସ୍କ୍ରିପ୍ସନ। ଔଷଧର ନାଁ ସହ ଏହାକୁ କେମିତି ଏବଂ କେତେବେଳେ ଖାଇବାକୁ ହେବ, ସେନେଇ ସ୍ପଷ୍ଟ ଓ ସରଳ ଓଡ଼ିଆରେ ଲେଖୁଛନ୍ତି ଡାକ୍ତର ଶିବ ପ୍ରସାଦ । ଫଳରେ, ରୋଗୀ ନିଜ ପ୍ରେସ୍କ୍ରିପ୍ସନ ଦେଖି ଔଷଧ ବିଷୟରେ ସହଜରେ ବୁଝିପାରୁଛନ୍ତି। ଡାକ୍ତରଙ୍କ ଏହି ପ୍ରୟାସ ଏବେ ଚର୍ଚ୍ଚାରେ ରହିଥିବା ବେଳେ ଏହା ଅନ୍ଯ ମାନଙ୍କ ପାଇଁ ପାଲଟିଛି ଉଦାହରଣ ।
