ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା। ଜଳବନ୍ଦୀରେ ଜନଜୀବନ ଅସ୍ତବ୍ୟସ୍ତ
ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା। ଲଗାଣ ବର୍ଷାରେ ବାଲେଶ୍ୱର ସହରର ସ୍ଥିତି ବେହାଲ । ଜଳବନ୍ଦୀରେ ଜନଜୀବନ ଅସ୍ତବ୍ୟସ୍ତ, ଯାତାୟାତ ଠପ୍। ତୁରନ୍ତ ଜଳ ନିଷ୍କାସନ ପାଇଁ ପ୍ରଶାସନ ନିକଟରେ ଦାବି ।
ବାଲେଶ୍ୱର: ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା। ଲଗାଣ ବର୍ଷାରେ ବାଲେଶ୍ୱର ସହରର ସ୍ଥିତି ବେହାଲ । ସହରର ପ୍ରାୟ ସମସ୍ତ ଅଞ୍ଚଳରେ ବର୍ଷା ପାଣି ଜମି ରହିଥିବା ବେଳେ ଅନେକ ରାସ୍ତାଘାଟ ଜଳମଗ୍ନ ହୋଇଛି। ବିଭିନ୍ନ ଅଞ୍ଚଳରେ ପାଣି ନିଷ୍କାସନ ହୋଇପାରୁ ନଥିବାରୁ ସ୍ଥାନୀୟ ଲୋକେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସହରର ସିଟି କ୍ଲିନିକ ଛକ, ସୁରଜ ହୋଟେଲ ଛକ, କଂଗ୍ରେସ ଗଳି, ମୋତିଗଞ୍ଜ, ଚିଡ଼ିଆ ପୋଲ ଓ ସୁଏଲପୁର ରାସ୍ତା ସମେତ ଅନେକ ଅଞ୍ଚଳରେ ପାଣି ଜମି ରହିଛି। ଫଳରେ ଲୋକଙ୍କ ଯାତାୟାତ ଓ ଦୈନନ୍ଦିନ କାର୍ଯ୍ୟ ବ୍ୟାପକ ଭାବେ ପ୍ରଭାବିତ ହୋଇଛି। ପ୍ରବଳ ବର୍ଷାରେ ବାଲେଶ୍ୱର ସହରର ଡ୍ରେନେଜ୍ ବ୍ୟବସ୍ଥାର ଅବ୍ୟବସ୍ଥା ପୁଣିଥରେ ସାମ୍ନାକୁ ଆସିଛି। ଅନେକ ସ୍ଥାନରେ ଡ୍ରେନ୍ ମାଧ୍ୟମରେ ପାଣି ନିଷ୍କାସନ ହୋଇପାରୁ ନଥିବାରୁ ରାସ୍ତା ଓ ଘର ଆଗରେ ପାଣି ଜମି ରହିଛି। ଏହା ଯୋଗୁଁ ସାଧାରଣ ଲୋକଙ୍କ ଜୀବନଯାପନ ଦୁର୍ବିସହ ହୋଇପଡ଼ିଛି। ଅନ୍ୟପଟେ, ଜଳବନ୍ଦୀ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ସହରରେ ଉନ୍ନତ ଡ୍ରେନେଜ୍ ବ୍ୟବସ୍ଥା କରିବା ସହ ତୁରନ୍ତ ଜଳ ନିଷ୍କାସନ ପାଇଁ ପ୍ରଶାସନ ନିକଟରେ ଦାବି ଜୋର ଧରିଛି।
