ଆଜି ବାହୁଡିବେ ମହାପ୍ରଭୁ, ଭକ୍ତିମୟ ଶରଧାବାଲି
ଆଜି ପବିତ୍ର ବାହୁଡା ଯାତ୍ରା। ମାଉସୀ ମାଙ୍କ ଘରୁ ବିଦାୟ ନେବେ ତିନି ଠାକୁର। ମହାପ୍ରଭୁଙ୍କ ଆଗମନକୁ ନେଇ ସଜେଇ ହୋଇଛି ଶ୍ରୀମନ୍ଦିର। ଅପରାହ୍ନ ୪ଟାରେ ହେବ ରଥଟଣା। ବଡ ଭାଇ ଓ ଭଉଣୀଙ୍କୁ ନେଇ ବାହୁଡିବେ କାଳିଆ ସାଆନ୍ତ।
ପୁରୀ: ଆଜି ବାହୁଡା ଯାତ୍ରା। ଜନ୍ମ ବେଦୀକୁ ଛାଡି ଶ୍ରୀମନ୍ଦିର ଅଭିମୁଖେ ଫେରିବେ ମହାପ୍ରଭୁ ଜଗନ୍ନାଥ । ଦୀର୍ଘ ଅପେକ୍ଷା ପରେ ଆଷାଢ଼ ଶୁକ୍ଳପକ୍ଷ ଦଶମୀ ବା ବାହୁଡ଼ା ଦଶମୀ ଦିନ ମହାପ୍ରଭୁ ରଥରେ ଗୁଣ୍ଡିଚା ଘରୁ ବଡ଼ ଦେଉଳକୁ ଫେରିବେ, ଏହି ଫେରନ୍ତା ଯାତ୍ରାକୁ ବାହୁଡ଼ା ଯାତ୍ରା କୁହାଯାଏ। ଭକ୍ତଙ୍କ ହରିବୋଲ ହୁଳହୁଳି ଜୟଜଗନ୍ନାଥ ଧ୍ବନିରେ ପୁଣି ପ୍ରକମ୍ପିତ ହେବ ଶରଧାବାଲିରୁ ବଡଦାଣ୍ଡ। ବାହୁଡ଼ାଯାତ୍ରା ପାଇଁ ପୁରୀରେ ଭକ୍ତମାନଙ୍କର ସଂଖ୍ୟା ବଢ଼ିବାରେ ଲାଗିଛି। ଲୋକାରଣ୍ୟ ହେବାରେ ଲାଗିଛି ଶରଧାବାଲି। ବର୍ଷା ହେବା ସମ୍ଭାବନା ଥିବା ସତ୍ତ୍ବେ ଗୁରୁବାର ରାତିରୁ ଭକ୍ତମାନେ ଶରଧାବାଲିରେ ଭିଡ଼ ଲଗାଇଛନ୍ତି। ମହାପ୍ରଭୁଙ୍କ ଦର୍ଶନ ପାଇଁ ଚାତକ ପରି ଚାହିଁ ରହିଛନ୍ତି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ । ଆଜି ଗୁଣ୍ଡିଚା ମନ୍ଦିରରୁ ନନ୍ଦିଘୋଷ, ତାଳଧ୍ୱଜ ଏବଂ ଦର୍ପଦଳନ ରଥ ଶ୍ରୀମନ୍ଦିର ଅଭିମୁଖେ ଗଡ଼ିବ । ଏହି ଫେରିବା ରାସ୍ତାରେ ରଥ ଟାଣିବା ପାଇଁ ଉତ୍ସାହର ସହ ଅପେକ୍ଷା କରିଛନ୍ତି ଅସଂଖ୍ୟ ଭକ୍ତ ଓ ଶ୍ରଦ୍ଧାଳୁ । ଭକ୍ତି, ଆଧ୍ୟାତ୍ମିକତା ଏବଂ ପରମ୍ପରାର ଏହି ଅନନ୍ୟ ସଙ୍ଗମ ପୁଣିଥରେ ଶ୍ରୀକ୍ଷେତ୍ରକୁ କରିଛି ଭକ୍ତିମୟ । ଲକ୍ଷଲକ୍ଷ ଭକ୍ତମାନଙ୍କର ସହିତ ବଡ଼ଦାଣ୍ଡରେ ଭାବ ବିନିମୟ କରିବେ କାଳିଆ ସାଆନ୍ତ। ମଣିମାଙ୍କ ନିକଟରେ ଭକ୍ତମାନେ ଗୁହାରି କରିବେ। ମହାପ୍ରଭୁଙ୍କର ଏହି ଦିବ୍ୟ ଲୀଲା ପାଇଁ ଆଡ଼ପମଣ୍ଡପରେ ନୀତିକାନ୍ତି ଭୋର ୪ଟାରୁ ଆରମ୍ଭ ହୋଇଯାଇଛି। ମଙ୍ଗଳ ଆଳତି ପରେ ମଇଲମ ନୀତିକାନ୍ତି ଅନୁଷ୍ଠିତ ହୋଇଯାଇଛି। ତଡ଼ପଲାଗି ଏବଂ ରୋଷହୋମ ଶେଷ ହୋଇଛି। ସକାଳ ୫ଟାରେ ଅବକାଶ, ୫ଟା ୧୪ରେ ସୂର୍ଯ୍ୟପୂଜା, ୫ଟା ୩୦ରେ ଦ୍ବାରପାଳ ପୂଜା ହୋଇଛି। ଏହା ପରେ ୫ଟା ୪୫ରୁ୬ଟା ୪୫ ଗୋପାଳବଲ୍ଲବ ଓ ସକାଳ ଧୂପ ୭ଟାରୁ ୧୧ଟା ୩୦ରେ ସେନାପଟା ଲାଗି ଏବଂ ୧୧ଟା ୪୫ରେ ମଙ୍ଗଳାର୍ପଣ ହେବ। ବାହୁଡ଼ା ପହଣ୍ଡି ଦିନ ୧୨ଟାରୁ ୨ଟା ୩୦, ବେଶ ଶେଷ ୧ଟାରୁ ୨ଟା ୩୦, ଗଜପତି ମହାରାଜାଙ୍କ ଦ୍ବାରା ଛେରାପହଁରା ୨ଟା ୩୦ରୁ ୩ଟା ୩୦, ଚାରମାଳ ଫିଟା ଓ ଘୋଡ଼ା ଲାଗିବା ୩ଟାରୁ ୪ଟାରେ ଶେଷ ହୋଇ ରଥଟଣା ଆରମ୍ଭ ଅପରାହ୍ଣ ୪ଟାରେ ହେବ।
