Pune Techie Kills Girlfriend:ପୁଣେରେ ପ୍ରେମିକାକୁ ନୃଶଂସ ହତ୍ୟା- ରାତିତମାମ ଶବ ପାଖରେ ବସିରହିଲା
କୋମଲ ଓ ଶୁଭମ ପ୍ରାୟ ୩ ବର୍ଷ ହେଲା ପରସ୍ପରର ସମ୍ପର୍କରେ ଥିଲେ। କିନ୍ତୁ କିଛି ଦିନ ହେଲା ଛୋଟ ଛୋଟ କଥାକୁ ନେଇ ଉଭୟଙ୍କ ଭିତରେ ବିବାଦ ହେଉଥିଲା

ପ୍ରେମିକାକୁ ପିଟି ପିଟି ମାରିଦେଲା ଇନଫୋସିସ ଇଞ୍ଜିନିୟର। ରାତିଯାକ ଶବ ପାଖରେ ବସିରହିଲା। ଆଉ ସକାଳୁ ପୁଲିସକୁ ଫୋନ୍ କରି ଘଟଣା ଜଣାଇଲା। ଆଉ ଘଟଣାସ୍ଥଳକୁ ଆଂବୁଲାନ୍ସ ପଠାଇବାକୁ କହିଲା। ପୁଣେର ଆଇଟି ହବ୍ ହିଞ୍ଜଓ୍ୱଡିରେ ଏଭଳି ଛାତିଥରା ଘଟଣା ସାମ୍ନାକୁ ଆସିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ ସହ ଅଭିଯୁକ୍ତକୁ ନିଜ ହେପାଜତକୁ ନେଲା। ମୃତକ ହେଲେ କୋମଲ ଦହାଲେ। କୋମଲଙ୍କ ଘର ମହାରାଷ୍ଟ୍ରର ଓ୍ୱାର୍ଧା ଜିଲ୍ଲାରେ। ଅଭିଯୁକ୍ତ ପ୍ରେମିକର ନାଁ ଶୁଭମ କାଲଓ୍ୱାଣ୍ଡେ। ପୁଲିସ ମୁତାବକ, କୋମଲ ଓ ଶୁଭମ ପ୍ରାୟ ୩ ବର୍ଷ ହେଲା ପରସ୍ପରର ସମ୍ପର୍କରେ ଥିଲେ। କିନ୍ତୁ କିଛି ଦିନ ହେଲା ଛୋଟ ଛୋଟ କଥାକୁ ନେଇ ଉଭୟଙ୍କ ଭିତରେ ବିବାଦ ହେଉଥିଲା। ରବିବାର ରାତିରେ ଦୁହେଁ ସାଙ୍ଗରେ ଡିନର କରିବାକୁ ଏକ ହୋଟେଲକୁ ଯାଇଥିଲେ। ଖାଇବା ପରେ ଦୁହେଁ ହିଞ୍ଜଓ୍ୱଡି ଥାନା ଅନ୍ତର୍ଗତ ସଖାରେ ବସ୍ତି ସ୍ଥିତ ପିଜିକୁ ଫେରିଥିଲେ। ଯେଉଁଠି କୋମଲ ରହୁଥିଲେ। ରାତି ପ୍ରାୟ ସାଢ଼େ ୧୨ଟାରେ କୌଣସି କଥାକୁ ନେଇ ଦୁହିଁଙ୍କ ଭିତରେ ଝଗଡ଼ା ହେଲା। ଏ ବିବାଦ ଧୀରେ ଧୀରେ ବଢ଼ି ପ୍ରାୟ ରାତି ୩ଟା ବେଳକୁ ହିଂସ୍ର ହୋଇଥିଲା। ରାଗରେ କୋମଲଙ୍କୁ ଲାତ, ଭୁଷା ଓ ମୁଥ ମାରିଥିଲା ଶୁଭମ। ଆଉ କୋମଲଙ୍କୁ ନିସ୍ତୁକ ପିଟିଥିଲା ଶୁଭମ। ଆଉ ଏହି ଆକ୍ରମଣରେ କୋମଲଙ୍କ ମୃତ୍ୟୁ ହୋଇଗଲା। କୋମଲଙ୍କ ପରିବାରର କହିବା କଥା, ଶୁଭମ ଓ କୋମଲଙ୍କ ସମ୍ପର୍କ ବାବଦରେ ସେମାନେ ବିଲକୁଲ ଜାଣିନଥିଲେ। ଆଉ ଦୁହେଁ ବିବାହ କରିବାକୁ ଯୋଜନା କରୁଥିବା କଥା ବି ଅସ୍ୱୀକାର କରୁଛନ୍ତି ପରିବାରବର୍ଗ। ଆଉ ପ୍ରଶ୍ନ କରିଛନ୍ତି, କେମିତି ମହିଳା ପେଇଂ ଗେଷ୍ଟ ରୁମରେ ବିଳମ୍ୱିତ ରାତିରେ ପଶିଲା ଶୁଭମ। ହଷ୍ଟେଲରେ ପ୍ରାୟ ଶହେ ଝିଅ ରହୁଛନ୍ତି। କୋମଲକୁ ମାରିବା ବେଳେ କେହି କେମିତି ଜାଣିପାରିଲେନି। ପିଜି ହଷ୍ଟେଲର ମାଲିକଙ୍କ ବିରୁଦ୍ଧରେ ବି ଆକ୍ସନ ହେଉ। କୋମଲ ଓ୍ୱିପ୍ରୋରେ ସଫ୍ଟଓ୍ୱେର ଇଞ୍ଜିନିୟର ଥିଲେ। ଶୁଭମର ଆଉ କେଉଁ ଝିଅ ସହ ସମ୍ପର୍କ ଥିବା କଥା ନେଇ ସନ୍ଦେହ ସହ ଝଗଡ଼ା ହେଉଥିଲା।
