Pune Court Attack:ଅଦାଲତ ଆଗରେ ହାଣିଲେ ଓ ଗୁଳି କଲେ
କୋର୍ଟର ଗେଟ୍ ନମ୍ୱର ୪ ବାହାରେ ଏଭଳି ରକ୍ତର ଖେଳ ଦେଖି ପୁରା ସହର ସ୍ତବ୍ଧ। ଏ ପୁରା ଘଟଣାର ବିଚଳିତ କଲା ଭଳି ଭିଡ଼ିଓ ସାମ୍ନାକୁ ଆସିଛି। ଅଭିଯୁକ୍ତର ନାଁ ମନ୍ଦାର ମାରୁତି କିଓ୍ୱଲେ। ମନ୍ଦାରକୁ ରାସ୍ତାକଡ଼ରେ ଲହୁଲୁହାଣ କରିଥିଲେ ବାଇକରେ ଆସିଥିବା କିଛି ଯୁବକ।୪ ଦିନ ପୂର୍ବରୁ ଜେଲରୁ ଫେରିଥିବା ହତ୍ୟା ଅଭିଯୁକ୍ତକୁ ଆଗ ଭୁଜାଲିରେ ହାଣିଲେ ଓ ପରେ ଗୁଳି କଲେ

ପୁଣେ କୋର୍ଟ ବାହାରେ ରକ୍ତର ହୋଲି। ୪ ଦିନ ପୂର୍ବରୁ ଜେଲରୁ ଫେରିଥିବା ହତ୍ୟା ଅଭିଯୁକ୍ତକୁ ଆଗ ଭୁଜାଲିରେ ହାଣିଲେ ଓ ପରେ ଗୁଳି କଲେ। ଅଦାଲତରେ ହାଜର ହେବାକୁ ଯାଇଥିଲା ବେଳେ ଅଭିଯୁକ୍ତକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ ସହ ଗୁଳି କରିଥିଲେ। ଦ୍ୱିପ୍ରହରର ଶିବାଜୀନଗର ଜିଲ୍ଲା କୋର୍ଟର ଗେଟ୍ ନମ୍ୱର ୪ ବାହାରେ ଏଭଳି ରକ୍ତର ଖେଳ ଦେଖି ପୁରା ସହର ସ୍ତବ୍ଧ। ଏ ପୁରା ଘଟଣାର ବିଚଳିତ କଲା ଭଳି ଭିଡ଼ିଓ ସାମ୍ନାକୁ ଆସିଛି। ଅଭିଯୁକ୍ତର ନାଁ ମନ୍ଦାର ମାରୁତି କିଓ୍ୱଲେ। ମନ୍ଦାରକୁ ରାସ୍ତାକଡ଼ରେ ଲହୁଲୁହାଣ କରିଥିଲେ ବାଇକରେ ଆସିଥିବା କିଛି ଯୁବକ। ୪ରୁ ୫ଜଣ ଯୁବକ ଧାରୁଆ ଅସ୍ତ୍ରରେ ତାକୁ ହାଣିପକାଇଥିଲେ। ମୁଣ୍ଡକୁ ଯେମିତି ପିତ୍ତ ଚଢ଼ିଯାଇଥିଲା ସେମାନଙ୍କର। ହାଣିବା ପରେ ଫାୟାରିଂ ବି କଲେ। ଏ ଘଟଣା ଘଟାଇବା ପରେ ଦୁଇଟି ବାଇକରେ ଫେରାର୍ ହୋଇଯାଇଥିଲେ ଆକ୍ରମଣକାରୀ। ଯେତିକିବେଳେ ମନ୍ଦାର ରାସ୍ତାରେ ପଡ଼ି ଛଟପଟ ହେଉଥିଲା ଆଉ ଆକ୍ରମଣକାରୀ ଚୋଟ ପରେ ଚୋଟ ମାରିଚାଲିଥିଲେ। ଏହି ଚୋଟରେ ମନ୍ଦାରର ବାଁ ହାତ କଟିଯାଇଛି। ସେତେବେଳେ ବହୁତ ଲୋକ ଆଖପାଖରେ ଥିଲେ। କିନ୍ତୁ ଭୟର ମାହୋଲରେ କେହି ବି ବଞ୍ଚାଇବାକୁ ଆସିନଥିଲେ। ଏପରିକି ଆହତକୁ ତୁରନ୍ତ ହସ୍ପିଟାଲରେ ପହଞ୍ଚାଇବାକୁ ବି କେହି ଆଗେଇ ଆସିଲେନି। ପାଲଟା ଏ ତାମସାକୁ ଦେଖୁଥିଲେ ଓ ଭିଡ଼ିଓ କରୁଥିଲେ। ପୁଲିସର ତଦନ୍ତରୁ ସାମ୍ନାକୁ ଆସିଛି ଯେ, ପୁରୁଣା ପ୍ରତିଶୋଧ ନେବାକୁ ଏଭଳି କାଣ୍ଡ ଭିଆଇଥିଲେ ଗୋଟିଏ ଗୋଷ୍ଠୀ। ମନ୍ଦାର ନିଜେ ହତ୍ୟା ମାମଲାର ଅଭିଯୁକ୍ତ ଥିଲା। ପୁଣେର ସନ୍ତୋଷନଗର କଟରାଜ ଏରିଆରେ ଜମି ଓ ଟଙ୍କା ଲେନଦେନ ବିବାଦକୁ ନେଇ ଏପ୍ରିଲ ୨୦,୨୦୨୫ରେ ସେ ଶୁଭମ ସୁଭାଷ ଚୌହ୍ୱାନ ନାମକ ଯୁବକକୁ ହତ୍ୟା କରିଥିଲା। ଏ ମାମଲାରେ ଜେଲରେ ଥିଲା ମନ୍ଦାର। ପୁଣେରେ ଘଟିଥିବା ଗ୍ୟାଙ୍ଗଓ୍ୱାରରେ ପୁଲିସ ପ୍ରାୟ ୮୫ କିମି ଆକ୍ରମଣକାରୀଙ୍କ ପିଛା କରି ସେମାନଙ୍କୁ ଧରିଥିଲା। ସୋଲାପୁର ହାଇଓ୍ୱେରେ ସେମାନଙ୍କୁ ଧରିଥିଲା। ମନ୍ଦାରର ଅବସ୍ଥା ସଂକଟାପନ୍ନ ରହିଛି। ସସୁନ ଜେନେରାଲ ହସ୍ପିଟାଲରେ ତାହାର ଚିକିତ୍ସା ଚାଲିଛି।
