Shocking Night at Delhi Cafe : ବନ୍ଦ କାଫେରେ ଚାଲିଥିଲା ପାର୍ଟି, ସକାଳୁ ସାମ୍ନାକୁ ଆସିଲା ଭୟଙ୍କର ସତ
କାଫେ ବନ୍ଦ, ତଥାପି ଚାଲିଥିଲା ରାତିଅଧିଆ ପାର୍ଟି! ସକାଳ ହେଉ ହେଉ ଖୋଲିଲା ଗଣଦୁଷ୍କର୍ମର ଚାଞ୍ଚଲ୍ୟକର ରହସ୍ୟ! ୩ ଗିରଫ, ୩ ଫେରାର!

ଦେଶର ରାଜଧାନୀ ଦିଲ୍ଲୀରୁ ଏକ ଚାଞ୍ଚଲ୍ୟକର ଗଣଦୁଷ୍କର୍ମ ଅଭିଯୋଗ ସାମ୍ନାକୁ ଆସିଛି। ପୂର୍ବ ଦିଲ୍ଲୀର ପ୍ରୀତ ବିହାର ଅଞ୍ଚଳରେ ଥିବା ଏକ କାଫେରେ ୨୨ ବର୍ଷୀୟ ଯୁବତୀଙ୍କ ସହ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୋଲିସ ୨ ଜଣ ମହିଳାଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି। ମୋଟ ୬ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବାବେଳେ ଅନ୍ୟ ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ।
ରାତି ୧୧ଟା ୩୦ରେ କାଫେ ବନ୍ଦ, ତଥାପି ଚାଲିଥିଲା ପାର୍ଟି
ପୋଲିସର ସୂଚନା ଅନୁଯାୟୀ, ପୀଡ଼ିତା ଓ ଅଭିଯୁକ୍ତମାନେ ଭିନ୍ନ ଭିନ୍ନ କାଫେରେ କାମ କରୁଥିଲେ। ସମସ୍ତେ ମିଶି ଏକାଠି ପାର୍ଟି କରିବାକୁ ଯୋଜନା କରିଥିଲେ। ଏଥିପାଇଁ ପୀଡ଼ିତା କାମ କରୁଥିବା କାଫେକୁ ବାଛିଥିଲେ। ଯୋଜନା ଅନୁଯାୟୀ, କାଫେ ବନ୍ଦ ହେବା ପରେ ସେଠାରେ ପାର୍ଟି କରିବାର ବ୍ୟବସ୍ଥା ହୋଇଥିଲା।ରାତି ପ୍ରାୟ ୧୧ଟା ୩୦ରେ କାଫେ ବନ୍ଦ ହୋଇଥିଲେ ମଧ୍ୟ ଗ୍ରୁପ୍ର ଜଣେ ସଦସ୍ୟଙ୍କ ପାଖରେ ଚାବି ଥିବାରୁ ପାର୍ଟି ଜାରି ରହିଥିଲା। ଏହି ଗ୍ରୁପ୍ରେ ୪ ଜଣ ପୁରୁଷ ଓ ୩ ଜଣ ମହିଳା ଥିଲେ। ପାର୍ଟିରେ ମଦ୍ୟପାନ ସହ ନାଚଗୀତ ମଧ୍ୟ ଚାଲିଥିଲା।
ପୀଡ଼ିତାଙ୍କ ଅଭିଯୋଗ, ରାତିସାରା ହୋଇଥିଲା ଅତ୍ୟାଚାର
ପୀଡ଼ିତାଙ୍କ ଅଭିଯୋଗ ଅନୁସାରେ, ପାର୍ଟି ଚାଲିଥିବା ସମୟରେ ତାଙ୍କ ସହ ଗଣଦୁଷ୍କର୍ମ କରାଯାଇଥିଲା। ପାର୍ଟି ମଧ୍ୟରେ ସେ ନିଜ ମା'ଙ୍କୁ ଫୋନ୍ କରି ଘରକୁ ଫେରିବାରେ ବିଳମ୍ବ ହେବ ବୋଲି ଜଣାଇଥିଲେ।
ଅଭିଯୋଗ ଅନୁଯାୟୀ, ସକାଳ ପ୍ରାୟ ୩ଟା ୩୦ରେ ଅଭିଯୁକ୍ତ ଘଟଣାସ୍ଥଳରୁ ପଳାଇଥିଲା। ଏହାପରେ ଗ୍ରୁପ୍ର ଅନ୍ୟ ସଦସ୍ୟମାନେ ମଧ୍ୟ ନିଜ ନିଜ ଘରକୁ ଚାଲିଯାଇଥିଲେ।
ସକାଳ ୫ଟା ୩୦ରେ ପୋଲିସକୁ ଜଣାଇଲେ ଘଟଣା
ଘଟଣା ପରେ ସକାଳ ପ୍ରାୟ ୫ଟା ୩୦ରେ ପୀଡ଼ିତା ପୋଲିସ ସହ ଯୋଗାଯୋଗ କରି ଅଭିଯୋଗ ଦାଖଲ କରିଥିଲେ। ତାଙ୍କ ଅଭିଯୋଗ ଆଧାରରେ ପୋଲିସ ଗଣଦୁଷ୍କର୍ମ ସମ୍ପର୍କିତ ଭାରତୀୟ ନ୍ୟାୟ ସଂହିତା (BNS)ର ବିଭିନ୍ନ ଧାରାରେ ମାମଲା ରୁଜୁ କରିଛି।
ଏହି ମାମଲାରେ ମୋଟ ୬ ଜଣଙ୍କୁ ଅଭିଯୁକ୍ତ କରାଯାଇଛି। ସେମାନଙ୍କ ମଧ୍ୟରୁ ୨ ଜଣ ମହିଳାଙ୍କ ସମେତ ୩ ଜଣଙ୍କୁ ପୋଲିସ ଗିରଫ କରିଛି। ଅନ୍ୟ ଅଭିଯୁକ୍ତଙ୍କ ସନ୍ଧାନ ଜାରି ରହିଛି। ପୋଲିସ ଘଟଣାର ସମସ୍ତ ଦିଗକୁ ନେଇ ତଦନ୍ତ କରୁଛି।
