ଫିଙ୍ଗି ଦେଉଛନ୍ତି କି କଖାରୁ ମଞ୍ଜି? ଜାଣନ୍ତୁ ଏହାର ଅନେକ ସ୍ୱାସ୍ଥ୍ୟ ଲାଭ
ପୋଷକତତ୍ତ୍ୱରେ ଭରପୂର କଖାରୁ ମଞ୍ଜି । ଏହି ଗୋଟିଏ ମଞ୍ଜିରେ ମିଳିବ ପ୍ରୋଟିନ୍, ମ୍ୟାଗ୍ନେସିୟମ୍, ଜିଙ୍କ୍, ଫ୍ୟାଟି ଏସିଡ୍ ଓ ଅନ୍ୟାନ୍ୟ ଭିଟାମିନ୍। ହାର୍ଟକୁ ସୁସ୍ଥ ରଖିବା ସହ ରକ୍ତଚାପକୁ କରେ ନିୟନ୍ତ୍ରଣ. ମୁଣ୍ଡରେ କେଶ ବୃଦ୍ଧି ସହ ଚେହେରାରେ ଆଣେ ଚମକ ।
ଭୁବନେଶ୍ବର: ହାଣ୍ଡିଶାଳରେ କଖାରୁକୁ ବ୍ୟବହାର କରି ଅନେକ ପ୍ରକାର ଖାଦ୍ୟ ପ୍ରସ୍ତୁତ କରାଯାଇଥାଏ । ତେବେ କଖାରୁ କାଟିବା ସମୟରେ ଅନେକେ ଏହାର ମଞ୍ଜିକୁ ବାହାର କରି ଫିଙ୍ଗି ଦିଅନ୍ତି। କିନ୍ତୁ ଆପଣ ଜାଣିଛନ୍ତି, ଏହି କଖାରୁ ମଞ୍ଜି ବା ପମ୍ପକିନ୍ ସିଡ୍ସ ବା ‘ପେପିଟାସ୍’ ଏକ ପୁଷ୍ଟିକର ଖାଦ୍ୟ। ଯେଉଁଥିରେ ପ୍ରୋଟିନ୍, ମ୍ୟାଗ୍ନେସିୟମ୍, ଜିଙ୍କ୍, ଫ୍ୟାଟି ଏସିଡ୍ ଓ ଅନ୍ୟାନ୍ୟ ପୋଷକତତ୍ତ୍ୱ ଭରି ରହିଛି। କଖାରୁ ମଞ୍ଜି ପୋଷକତତ୍ତ୍ୱରେ ଭରପୂର। ଏହାକୁ ଖାଇବା ଦ୍ୱାରା ପ୍ରଜନନ କ୍ଷମତାରେ ଉନ୍ନତି, ହାର୍ଟର ସ୍ୱାସ୍ଥ୍ୟ ଭଲ ରହିବା ଏବଂ ରକ୍ତରେ ଶର୍କରା ନିୟନ୍ତ୍ରଣରେ ସହାୟତା ଏବଂ ଚର୍ମ ଓ କେଶ ପାଇଁ ମଧ୍ଯ ଅନେକ ଲାଭ ମିଳିପାରେ। ଅଳ୍ପ ପରିମାଣର କଖାରୁ ମଞ୍ଜି ଖାଇଲେ ମଧ୍ୟ ଶରୀରକୁ ପର୍ଯ୍ୟାପ୍ତ ପରିମାଣର ସୁସ୍ଥ ଫ୍ୟାଟ୍, ମ୍ୟାଗ୍ନେସିୟମ୍ ଓ ଜିଙ୍କ୍ ମିଳିଥାଏ। ତେବେ ଆସନ୍ତୁ ଜାଣି ରଖିବା ଏହାର ଲାଭକାରୀ ଗୁଣ ବିଷୟରେ,
କଖାରୁ ମଞ୍ଜିରେ ମ୍ୟାଗ୍ନେସିୟମ୍, ଜିଙ୍କ୍ ଓ ଉପକାରୀ ଫ୍ୟାଟି ଏସିଡ୍ ଥିବାରୁ ଏହା ହାର୍ଟ ଏବଂ ରକ୍ତଚାପ ରୋଗୀଙ୍କ ସ୍ୱାସ୍ଥ୍ୟ ପାଇଁ ଉପକାରୀ ହୋଇପାରେ। ଏହା ଉଚ୍ଚ ରକ୍ତଚାପ ଓ ରକ୍ତରେ ଅଧିକ ଶର୍କରାକୁ କମାଇବାରେ ମଧ୍ୟ ସହାୟକ ହୋଇପାରେ।
ଖାସ୍ କରି ପୁରୁଷମାନଙ୍କ ପାଇଁ କଖାରୁ ମଞ୍ଜି ଲାଭଦାୟକ ହୋଇଥାଏ । ଏଥିରେ ଜିଙ୍କ୍ ଭରପୁର ମାତ୍ରାରେ ଥିବାରୁ ପ୍ରୋଷେଷ୍ଟ ଭଳି ସମସ୍ୟା ରୋକିବାରେ ସହାୟକ କରେ ।
କଖାରୁ ମଞ୍ଜିରେ ଟ୍ରିପ୍ଟୋଫାନ୍ ନାମକ ଆମିନୋ ଏସିଡ୍ ରହିଛି। ଏହା ନିଦ ଆସିବା ଓ ନିଦ ବଜାୟ ରଖିବାରେ ସାହାଯ୍ୟ କରିଥାଏ। ଏଥିରେ ଥିବା ଜିଙ୍କ୍ ଓ ମ୍ୟାଗ୍ନେସିୟମ୍ ମଧ୍ୟ ନିଦ ପାଇଁ ଉପକାରୀ ହୋଇପାରେ।
ସେହିପରି, କଖାରୁ ମଞ୍ଜିରେ ଜିଙ୍କ୍, ଭିଟାମିନ୍ E ଏବଂ ଆଣ୍ଟିଅକ୍ସିଡାଣ୍ଟ୍ ପ୍ରଚୁର ପରିମାଣରେ ରହିଥିବାରୁ ଏଗୁଡ଼ିକ କେଶର ମୂଳକୁ ପୋଷଣ ଯୋଗାଇଥାଏ, ମୁଣ୍ଡ ସ୍କାଲ୍ଫର ତେଲିଆପଣକୁ ସନ୍ତୁଳିତ ରଖିଥାଏ ଏବଂ ତ୍ୱଚାର କୋଷଗୁଡ଼ିକୁ କ୍ଷତିରୁ ସୁରକ୍ଷା କରିଥାଏ। ଫଳରେ ଭିତରୁ ସୁସ୍ଥ କେଶ ବୃଦ୍ଧି, ସହ ଫେସ୍ ରେ ଚମକ ଆଣିବାରେ ସହାୟକ କରିଥାଏ।

କିପରି ଖାଇବେ କଖାରୁ ମଞ୍ଜି?
କଖାରୁ ମଞ୍ଜିର ସ୍ୱାସ୍ଥ୍ୟ ଲାଭ ପାଇବା ପାଇଁ ଏହାକୁ ଦୈନନ୍ଦିନ ଖାଦ୍ୟରେ ସାମିଲ କରିବା ବେଶ୍ ସହଜ। ଅନେକ ଦେଶରେ ଏହାକୁ ଲୋକେ କଞ୍ଚା କିମ୍ବା ଭଜା ଭାବେ ଖାଆନ୍ତି। ଏହାକୁ ଲୁଣ ଦେଇ କିମ୍ବା ବିନା ଲୁଣରେ ମଧ୍ୟ ଖାଇପାରିବେ। କେବଳ ସ୍ନାକ୍ସ ଭାବେ ଖାଇବା ବ୍ୟତୀତ କଖାରୁ ମଞ୍ଜିକୁ ସ୍ମୁଦି, ଓଟ୍ସ, ଦହି କିମ୍ବା ଫଳ ମିଶ୍ରଣରେ ମଧ୍ୟ ଖାଇପାରିବେ। ଏହାକୁ ସାଲାଡ୍, ସୁପ୍ ଉପରେ ଛିଞ୍ଚି ଖାଇଲେ ଖାଦ୍ୟର ପୁଷ୍ଟିମୂଲ୍ୟ ବଢ଼ିପାରେ। ଏପରିକି କିଛି ଲୋକ କଖାରୁ ମଞ୍ଜିକୁ ମିଠା କିମ୍ବା ନମକିନ୍ ବ୍ରେଡ୍ ଓ କେକ୍ ପ୍ରସ୍ତୁତିରେ ମଧ୍ୟ ବ୍ୟବହାର କରନ୍ତି।
କଖାରୁ ମଞ୍ଜି ପୋଷକତତ୍ତ୍ୱରେ ଭରପୂର ଏବଂ ଏଥିରେ ଶକ୍ତିଶାଳୀ ଆଣ୍ଟିଅକ୍ସିଡାଣ୍ଟ ମଧ୍ୟ ରହିଛି। ଏହାକୁ ଖାଦ୍ୟରେ ସାମିଲ କରିବା ଦ୍ବାରା ଶରୀରର କିଛି ପୋଷକତତ୍ତ୍ୱର ଅଭାବ ପୂରଣ କରିବାରେ ସହାୟକ ହୋଇଥାଏ। ତେଣୁ କଖାରୁ କାଟିବା ପରେ ମଞ୍ଜିକୁ ଫିଙ୍ଗି ନଦେଇ ଏହାକୁ ସଫା କରି ନିଜ ଦୈନଦିନ ଖାଦ୍ଯରେ ଏକ ପୁଷ୍ଟିକର ସ୍ନାକ୍ସ ଭାବେ ଖାଇପାରିବେ।
