Success Story:KBCରେ ୫୦ ଲକ୍ଷ ଜିତିଥିଲେ ବିକାଶ,ଏବେ IAS ଅଫିସର
'କୌନ୍ ବନେଗା କୋରଡ଼ପତି ୧୭'ର ହଟ୍ସିଟ୍ରେ ନଜର ଆସିଥିଲେ ବିକାଶ ସିଂହ ପୱାର | ଜିତିଥିଲେ ୫୦ ଲକ୍ଷ,ଏକ କୋଟି ଟଙ୍କାର ପ୍ରଶ୍ନର ଉତ୍ତର ବି ସଠିକ୍ ଥିଲା | ଏବେ UPSC ପରୀକ୍ଷାରେ ସଫଳତା ହାସଲ କରିଛନ୍ତି,ତାହା ପୁଣି ନିଜର ପ୍ରଥମ ପ୍ରୟାସରେ। ମାତ୍ର ୨୨ ବର୍ଷ ବୟସରେ ବିକାଶ ସିଭିଲ୍ ସର୍ଭିସେସ୍ ପରୀକ୍ଷା ଉତ୍ତୀର୍ଣ୍ଣ ହୋଇ ୧୫୯ତମ ସ୍ଥାନ ଅଧିକାର କରିଛନ୍ତି।
କ୍ୱିଜ୍-ଆଧାରିତ ରିଆଲିଟି ଶୋ' 'କୌନ୍ ବନେଗା କୋରଡ଼ପତି ' ଟେଲିଭିଜନ୍ ଜଗତର ସବୁଠୁ ଲୋକପ୍ରିୟ ରିଆଲିଟି ଶୋ' ଭିତରୁ ଅନ୍ୟତମ ଏବଂ ଏହା ବର୍ତ୍ତମାନ ସୁଦ୍ଧା ଅନେକ ଲୋକଙ୍କ ଜୀବନ ପରିବର୍ତ୍ତନ କରିଛି। ମେଗାଷ୍ଟାର୍ ଅମିତାଭ ବଚ୍ଚନ ବର୍ଷ ବର୍ଷ ଧରି ଏହି ଶୋ'ର ହୋଷ୍ଟ କରିଆସୁଛନ୍ତି। 'ବିଗ୍ ବି'ଙ୍କ ସାମ୍ନାରେ 'ହଟ୍ ସିଟ୍'ରେ ବସି ପ୍ରଶ୍ନର ଉତ୍ତର ଦେବା ଓ ଲକ୍ଷ ଲକ୍ଷ ଟଙ୍କା ଜିତିବା ଯେକୌଣସି ବ୍ୟକ୍ତିଙ୍କ ପାଇଁ ଏକ ସ୍ୱପ୍ନ ହୋଇପାରେ, କିନ୍ତୁ ୨୨ ବର୍ଷୀୟ ବିକାଶ ସିଂହ ପୱାରଙ୍କ ପାଇଁ ଏହା ଥିଲା ତାଙ୍କ ଦକ୍ଷତାର କେବଳ ଏକ ପ୍ରାରମ୍ଭିକ ସୋପାନ। 'କୌନ୍ ବନେଗା କରୋଡ଼ପତି'ରେ ୫୦ ଲକ୍ଷ ଟଙ୍କା ଜିତିଥିବା ବିକାଶ ସିଂହ ପୱାର UPSC ପରୀକ୍ଷାରେ ସଫଳତା ହାସଲ କରିଛନ୍ତି | ତାହା ପୁଣି ନିଜର ପ୍ରଥମ ପ୍ରୟାସରେ।
ହିମାଚଳ ପ୍ରଦେଶର ଶିମଲା ଜିଲ୍ଲାର କୁପଭି ଅଞ୍ଚଳର ଜୁବ୍ଲି ଗାଁର ବାସିନ୍ଦା ବିକାଶଙ୍କ ପାଠପଢ଼ା ଆରମ୍ଭ ହୋଇଥିଲା DAV ନ୍ୟୁ ଶିମଲା ସ୍କୁଲରୁ। ପରେ ଉଚ୍ଚଶିକ୍ଷା ପାଇଁ ସେ ଦିଲ୍ଲୀ ଯାଇଥିଲେ ଏବଂ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ହିନ୍ଦୁ କଲେଜରୁ ରାଜନୀତି ବିଜ୍ଞାନରେ ବି.ଏ. ଅନର୍ସ ଡିଗ୍ରୀ ହାସଲ କରିଥିଲେ। ସ୍ନାତକ ପରେ ସେ ସିଭିଲ ସର୍ଭିସ ପାଇଁ ପ୍ରସ୍ତୁତି ଆରମ୍ଭ କରିବା ସହ UGC-NET ମଧ୍ୟ ପାସ୍ କରିଥିଲେ। ବିକାଶ ସିଂହ ପାୱାର ନିଜର ପ୍ରଥମ ପ୍ରୟାସରେ ହିଁ UPSC ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ସମଗ୍ର ଦେଶରେ ୧୫୯ତମ ସ୍ଥାନ ହାସଲ କରିଥିଲେ। ସେ 'ରାଜନୀତି ବିଜ୍ଞାନ ଓ ଆନ୍ତର୍ଜାତୀୟ ସମ୍ପର୍କ' (PSIR) କୁ ନିଜର ବିକଳ୍ପ ବିଷୟ ଭାବରେ ବାଛିଥିଲେ ଏବଂ ମୋଟ ୯୮୮ ନମ୍ବର (ଲିଖିତ ମୁଖ୍ୟ ପରୀକ୍ଷାରେ ୭୮୭ ଓ ସାକ୍ଷାତକାରରେ ୨୦୧) ହାସଲ କରିଥିଲେ।
ସିଭିଲ୍ ସର୍ଭିସେସ୍ ପାଇଁ ପ୍ରସ୍ତୁତି ଚଳାଇଥିବା ସମୟରେ ବିକାଶ ସିଂହ ପାୱାର୍ ଅମିତାଭ ବଚ୍ଚନଙ୍କ ସାମ୍ନାରେ 'ହଟ୍ ସିଟ୍'ରେ ବସିବାର ସୁଯୋଗ ପାଇଥିଲେ। ଶୋ’ ସମୟରେ ନିଜର ଦକ୍ଷତାର ପ୍ରମାଣ ଦେଇ ସେ ୫ ଲକ୍ଷ ଟଙ୍କାର ପ୍ରଶ୍ନ ପର୍ଯ୍ୟନ୍ତ କୌଣସି 'ଲାଇଫ୍ଲାଇନ୍' ବ୍ୟବହାର ନ କରି ପହଞ୍ଚିପାରିଥିଲେ। ୫୦ ଲକ୍ଷ ଟଙ୍କା ଜିତିବା ପରେ, ସେ ୧ କୋଟି ଟଙ୍କାର ପ୍ରଶ୍ନ ପର୍ଯ୍ୟନ୍ତ ପହଞ୍ଚିଥିଲେ। ତଥାପି, ନିଜର ଜିତିଥିବା ଅର୍ଥକୁ ସୁରକ୍ଷିତ ରଖିବା ପାଇଁ ସେ ୫୦ ଲକ୍ଷ ଟଙ୍କା ସ୍ତରରେ ହିଁ ଖେଳ ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲେ | କୌତୁହଳର ବିଷୟ ହେଉଛି, ଯଦିଓ ବିକାଶ ନିଜ ଉତ୍ତରକୁ ନେଇ ନିଶ୍ଚିତ ନଥିଲେ, ତଥାପି ୧ କୋଟି ଟଙ୍କାର ପ୍ରଶ୍ନ ପାଇଁ ତାଙ୍କର ଅନୁମାନ ସଠିକ୍ ବୋଲି ପ୍ରମାଣିତ ହୋଇଥିଲା।
ବିକାଶ ମାତ୍ର ୨୨ ବର୍ଷ ବୟସରେ ଦୁଇଟି ବଡ଼ ସଫଳତା ହାସଲ କରିଛନ୍ତି। ତାଙ୍କ ପିତା ଚତେର ସିଂହ ଏକ ସରକାରୀ ସ୍କୁଲର ପ୍ରଧାନଶିକ୍ଷକ। KBCରେ ଜିତିଥିବା ଟଙ୍କାରେ ସେ ନିଜ ପଢ଼ା ପାଇଁ ପିତା ନେଇଥିବା ଋଣ ଶୁଝି ପରିବାରର ଆର୍ଥିକ ଚାପ କମାଇଥିବା ଖବର ମଧ୍ୟ ଆସିଛି। ଏବେ ସେ ପ୍ରଶାସନିକ ସେବାର ପ୍ରଶିକ୍ଷଣ ପାଇଁ ପ୍ରସ୍ତୁତ ହେଉଛନ୍ତି।ଅଳ୍ପ ସମୟ ମଧ୍ୟରେ ତାଙ୍କର ଏହି ସଫଳତା ଯୁବ ପରୀକ୍ଷାର୍ଥୀଙ୍କ ପାଇଁ ପ୍ରେରଣା ପାଲଟିଛି।
