Mobile Vs Television: ଟିଭିକୁ ପଛରେ ପକାଉଛି ମୋବାଇଲ୍, ବଦଳୁଛି ମନୋରଞ୍ଜନର ଦୁନିଆ
ଟିଭିକୁ ପଛରେ ପକାଉଛି ମୋବାଇଲ୍। ୟୁଟ୍ୟୁବ୍, ରିଲ୍ସ ଓ OTTର ବଢ଼ୁଥିବା ଲୋକପ୍ରିୟତା ମଧ୍ୟରେ ବଦଳୁଛି ମନୋରଞ୍ଜନର ଶୈଳୀ। ଜାଣନ୍ତୁ ମୋବାଇଲ୍ ର ଅତ୍ୟଧିକ ବ୍ୟବହାରର ପ୍ରଭାବ।

ଭୁବନେଶ୍ୱର: ସମୟ ବଦଳିବା ସହ ବଦଳୁଛି ମଣିଷର ଜୀବନଶୈଳୀ ଓ ମନୋରଞ୍ଜନର ମାଧ୍ୟମ। ଦିନେ ଟେଲିଭିଜନ୍ ଥିଲା ଖବର ଓ ମନୋରଞ୍ଜନର ପ୍ରମୁଖ ଆଧାର। ହେଲେ ଏବେ ଟିଭିକୁ ପଛରେ ପକାଇ ମୋବାଇଲ୍ ପାଲଟିଛି ଲୋକଙ୍କ ପ୍ରଥମ ପସନ୍ଦ। ୟୁଟ୍ୟୁବ୍, ଇନଷ୍ଟାଗ୍ରାମ୍ ରିଲ୍ସ, ଓଟିଟି ଓ ଡିଜିଟାଲ୍ ନ୍ୟୁଜ୍ ପ୍ଲାଟଫର୍ମର ବଢ଼ୁଥିବା ଲୋକପ୍ରିୟତା ପାରମ୍ପରିକ ଟେଲିଭିଜନ୍ ପାଇଁ ନୂଆ ଆହ୍ୱାନ ସୃଷ୍ଟି କରିଛି। ସକାଳୁ ଉଠିବାଠାରୁ ରାତିରେ ଶୋଇବା ପର୍ଯ୍ୟନ୍ତ ମୋବାଇଲ୍ ଏବେ ମଣିଷ ଜୀବନର ଅବିଚ୍ଛେଦ୍ୟ ଅଂଶ। ଛୋଟ ପିଲାଙ୍କଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ମୋବାଇଲ୍ ବ୍ୟବହାରରେ ଅଭ୍ୟସ୍ତ। କିଏ ୟୁଟ୍ୟୁବ୍ ଭିଡିଓ ଦେଖୁଛି ତ ଆଉ କିଏ ରିଲ୍ସ, କ୍ରିକେଟ୍ ଅପଡେଟ୍ କିମ୍ବା ଓଟିଟିରେ ଫିଲ୍ମ ଦେଖି ସମୟ ବିତାଉଛି। ନିଜ ପସନ୍ଦ ଓ ସୁବିଧା ଅନୁସାରେ ଯେକୌଣସି ସମୟରେ କଣ୍ଟେଣ୍ଟ ଦେଖିବାର ସୁଯୋଗ ଡିଜିଟାଲ୍ ପ୍ଲାଟଫର୍ମକୁ ଅଧିକ ଲୋକପ୍ରିୟ କରିଛି।

କେବଳ ମନୋରଞ୍ଜନ ନୁହେଁ, ଖବର ଦେଖିବାର ଶୈଳୀ ମଧ୍ୟ ବଦଳିଛି। ରାଜନୀତି, କ୍ରୀଡ଼ା, ଶିକ୍ଷା, ନିଯୁକ୍ତିଠାରୁ ଆରମ୍ଭ କରି ସ୍ଥାନୀୟ ଖବର ପର୍ଯ୍ୟନ୍ତ ସବୁକିଛି ମୋବାଇଲ୍ରେ ତୁରନ୍ତ ଉପଲବ୍ଧ ହେଉଛି। ଏବେ ଦର୍ଶକ କେବଳ ଖବର ଦେଖୁନାହାନ୍ତି, ବରଂ ନିଜ ମତାମତ ମଧ୍ୟ ରଖୁଛନ୍ତି। ତେବେ ମୋବାଇଲ୍ର ଅତ୍ୟଧିକ ବ୍ୟବହାର ଚିନ୍ତାର କାରଣ ପାଲଟିଛି। ଅଧିକ ସ୍କ୍ରିନ୍ ଟାଇମ୍, ଲଗାତାର ରିଲ୍ସ ଦେଖିବା ଓ ସୋସିଆଲ୍ ମିଡିଆରେ ସମୟ ବିତାଇବା ଦ୍ୱାରା ଏକାଗ୍ରତା ଓ ଧୈର୍ଯ୍ୟ ଉପରେ ପ୍ରଭାବ ପଡ଼ୁଛି। ପରିବାର ସହ ଏକାଠି ଥାଇ ମଧ୍ୟ ଅନେକେ ନିଜ ମୋବାଇଲ୍ରେ ବ୍ୟସ୍ତ ରହୁଛନ୍ତି। ଫଳରେ ପାରିବାରିକ ଆଲୋଚନା ଓ ମାନବୀୟ ସମ୍ପର୍କରେ ଦୂରତା ବଢ଼ିବାର ଆଶଙ୍କା ଦେଖାଦେଉଛି।
ମୋବାଇଲ୍ ଆମକୁ ବିଶ୍ୱ ସହ ଯୋଡ଼ି ରଖୁଛି, ହେଲେ ନିଜ ଲୋକଙ୍କଠାରୁ ଦୂରେଇ ଦେବା ଉଚିତ୍ ନୁହେଁ। ତେଣୁ ଡିଜିଟାଲ୍ ମାଧ୍ୟମର ସୁବିଧା ନେବା ସହ ଏହାର ବ୍ୟବହାର ଉପରେ ନିୟନ୍ତ୍ରଣ ରଖିବା ଆଜିର ସମୟର ବଡ଼ ଆବଶ୍ୟକତା। ଡିଜିଟାଲ୍ ଦୁନିଆ ଆମ ନିୟନ୍ତ୍ରଣରେ ରହୁ, ଆମେ ଯେପରି ତାହାର ନିୟନ୍ତ୍ରଣରେ ନରହୁ।
