Odisha Bandh: କଟକରେ ଫିକା ପ୍ରଭାବ, ଭୁବନେଶ୍ୱରରେ ରାସ୍ତାକୁ ଓହ୍ଲାଇଲା କଂଗ୍ରେସ
କଂଗ୍ରେସ ଓ INDIA ବ୍ଲକ୍ର ଆହ୍ୱାନରେ ଓଡ଼ିଶା ବନ୍ଦ ପାଳିତ ହୋଇଛି। MMDR Amendment Act, 2026 ପ୍ରତ୍ୟାହାର ସହ ୪ ଦଫା ଦାବି ନେଇ ଭୁବନେଶ୍ୱର ଓ କଟକର ବିଭିନ୍ନ ସ୍ଥାନରେ କର୍ମୀମାନେ ପିକେଟିଂ ଓ ବିକ୍ଷୋଭ କରିଛନ୍ତି। କିଛି ସ୍ଥାନରେ ଯାତାୟାତ ପ୍ରଭାବିତ ହୋଇଥିବା ବେଳେ, ଆଇନଶୃଙ୍ଖଳା ରକ୍ଷା ପାଇଁ ପୁଲିସର କଡ଼ା ସୁରକ୍ଷା ବ୍ୟବସ୍ଥା ରହିଛି।

ଓଡ଼ିଶା ବନ୍ଦ ଡାକରାକୁ ନେଇ କଂଗ୍ରେସ ଓ INDIA ବ୍ଲକ୍ ପକ୍ଷରୁ ପ୍ରତିବାଦ କରାଯାଇଛି। ବନ୍ଦକୁ ସଫଳ କରିବା ପାଇଁ ଦଳୀୟ କର୍ମୀମାନେ ବିଭିନ୍ନ ସ୍ଥାନରେ ପିକେଟିଂ ଓ ରାସ୍ତାରେ ପ୍ରତିବାଦ କରିଥିବା ଖବର ମିଳିଛି।MMDR Amendment Act, 2026 ପ୍ରତ୍ୟାହାର, ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଏବଂ ପାଠ୍ୟପୁସ୍ତକରେ ତ୍ରୁଟି ପ୍ରସଙ୍ଗରେ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବିରେ ଏହି ବନ୍ଦ ଡାକରା ଦିଆଯାଇଛି। ଆନ୍ଦୋଳନ ଶାନ୍ତିପୂର୍ଣ୍ଣ ରଖିବାକୁ କଂଗ୍ରେସ ନେତୃତ୍ୱ ଆହ୍ୱାନ ଦେଇଥିବା ବେଳେ, ଆଇନଶୃଙ୍ଖଳା ପାଇଁ ଭୁବନେଶ୍ୱର-କଟକ ପୁଲିସ କମିଶନରେଟ୍ ପକ୍ଷରୁ ପ୍ରାୟ ୧୫୦ ଜଣ ପୁଲିସ ଅଧିକାରୀଙ୍କୁ ମୁତୟନ କରାଯାଇଛି |
କଟକ: କଂଗ୍ରେସ ନେତୃତ୍ୱରେ ଇଣ୍ଡି ମେଣ୍ଟ ପକ୍ଷରୁ ଆହ୍ୱାନ ଦିଆଯାଇଥିବା ଓଡ଼ିଶା ବନ୍ଦର କଟକରେ ସେଭଳି କୌଣସି ବିଶେଷ ପ୍ରଭାବ ପଡ଼ିନଥିବା ଦେଖିବାକୁ ମିଳିଛି। ରାଜ୍ୟର କମର୍ସିଆଲ କ୍ୟାପିଟାଲ କଟକର ବିଭିନ୍ନ ସ୍ଥାନରେ କଂଗ୍ରେସ କର୍ମୀମାନେ ବନ୍ଦକୁ ସଫଳ କରିବା ପାଇଁ ବିକ୍ଷୋଭ ଓ ପ୍ରତିବାଦ କରିଛନ୍ତି।ଜିଲ୍ଲା କଂଗ୍ରେସ ସଭାପତିଙ୍କ ନେତୃତ୍ୱରେ ବରିଷ୍ଠ କର୍ମୀମାନେ ଲିଙ୍କ ରୋଡ୍, OMC ଛକ, CDA, ନୟାବଜାର, ବେଲଭ୍ୟୁ ଛକ ଓ ଗୋପାଳପୁର ଆଦି ଅଞ୍ଚଳରେ ୪ ଦଫା ଦାବି ନେଇ ପ୍ରତିବାଦ କରିଥିଲେ। ବନ୍ଦ ସଫଳ ହୋଇଛି ବୋଲି କଂଗ୍ରେସ ପକ୍ଷରୁ ଦାବି କରାଯାଇଛି। ତେବେ ଅନ୍ୟପଟେ ଅଟୋ ଚାଳକ, ଟ୍ରକ୍ ଚାଳକ ଓ ସାଧାରଣ ଲୋକଙ୍କ ମଧ୍ୟରୁ ଅନେକେ ବନ୍ଦର କାରଣ ମଧ୍ୟ ଜାଣିନଥିବା କହିଛନ୍ତି। ବାରମ୍ବାର ବନ୍ଦ ଡାକରେ ଜନଜୀବନ ପ୍ରଭାବିତ ହେଉଥିବାରୁ ଏଭଳି ବନ୍ଦକୁ ସେମାନେ ଗ୍ରହଣ କରୁନଥିବା ମତ ଦେଇଛନ୍ତି।
ଓଡିଶା ବନ୍ଦ ଡାକରାକୁ ନେଇ ଭୁବନେଶ୍ୱରରେ କଂଗ୍ରେସ ପ୍ରତିବାଦ କରି ବନ୍ଦକୁ ଦୃଷ୍ଟିରେ ରଖି ଜୟଦେବବିହାର, ମାଷ୍ଟରକ୍ୟାଣ୍ଟିନ ଓ ବରମୁଣ୍ଡା ଅଞ୍ଚଳରେ ପୋଲିସ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ବହୁ ସଂଖ୍ୟାରେ ପୋଲିସ କର୍ମଚାରୀ ଓ ସୁରକ୍ଷାବଳଙ୍କୁ ମୁତୟନ କରାଯାଇଛି। ଲୋକଙ୍କ ଯାତାୟାତ ନିୟନ୍ତ୍ରଣ ପାଇଁ ବିଭିନ୍ନ ସ୍ଥାନରେ ବ୍ୟାରିକେଡ୍ ଲଗାଯାଇଛି। ଏହାସହ ଘଟଣାସ୍ଥଳଗୁଡ଼ିକରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି। କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ଯେପରି ନ ଘଟେ, ସେଥିପାଇଁ ପୋଲିସ ପକ୍ଷରୁ ସ୍ଥିତି ଉପରେ କଡ଼ା ନଜର ରଖାଯାଇଛି।ଆବଶ୍ୟକ ପଡ଼ିଲେ ଅଧିକ ସୁରକ୍ଷାବଳ ମୁତୟନ କରିବା ସହ ସ୍ଥିତି ନିୟନ୍ତ୍ରଣ ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ରଖାଯାଇଛି। ମାଷ୍ଟରକ୍ୟାଣ୍ଟିନ ଓ ରେଳଷ୍ଟେସନ ଅଞ୍ଚଳରେ କଂଗ୍ରେସ କର୍ମୀମାନେ ଟାୟାର ଜାଳି ବନ୍ଦ ପାଳନ କରିଥିବା ଦେଖିବାକୁ ମିଳିଛି। ଏହାକୁ ନେଇ କିଛି ସମୟ ପାଇଁ ଯାତାୟାତ ପ୍ରଭାବିତ ହୋଇଥିଲା।ବରମୁଣ୍ଡା ଅଞ୍ଚଳରେ ବନ୍ଦର ପ୍ରଭାବରେ ସାଧାରଣ ଲୋକେ ଯାତାୟାତ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ବିଶେଷକରି ହସ୍ପିଟାଲକୁ ଯିବାକୁ ଥିବା ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନେ ଗାଡ଼ି ଚଳାଚଳରେ ବାଧା ଯୋଗୁଁ ହଇରାଣ ହୋଇଥିବା ଜଣାପଡ଼ିଛି। ବନ୍ଦ ମଧ୍ୟରେ ଜରୁରୀ ସେବା ଯେପରି ପ୍ରଭାବିତ ନହୁଏ, ସେନେଇ ପୋଲିସ ପକ୍ଷରୁ ମଧ୍ୟ ନଜର ରଖାଯାଉଛି।
