ଫୁଟପାଥରେ ଲୋକଙ୍କୁ ସୁରକ୍ଷା ଦିଅ- ସୁପ୍ରିମକୋର୍ଟ
ଫୁଟପାଥରେ ଚାଲୁଥିବା ଲୋକଙ୍କ ଅଧିକାରକୁ ସୁରକ୍ଷିତ ଲାଗି ଆଇନ ଜରୁରୀ ବୋଲି କହିଛନ୍ତି ସୁପ୍ରିମକୋର୍ଟ। ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ପଦଚାରୀଙ୍କ ପାଇଁ ଉପଯୁକ୍ତ ଫୁଟପାଥ ନିର୍ମାଣ ଓ ସୁରକ୍ଷା ସମ୍ବନ୍ଧୀୟ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରିବାକୁ କହିଛନ୍ତି।

ପଦଚାରୀଙ୍କ ସୁରକ୍ଷାକୁ ଗୁରୁତ୍ୱ ଦିଅ। ଫୁଟପାଥରେ ନିର୍ବିଘ୍ନରେ ଚାଲିବାର ଅଧିକାର ଦେଇଛି ସମ୍ୱିଧାନ। ସମ୍ୱିଧାନର ଅନୁଚ୍ଛେଦ ୨୧ (ଜୀବନ ଓ ବ୍ୟକ୍ତିଗତ ସ୍ୱାଧୀନତାର ଅଧିକାର) ଅଧୀନରେ ସୁରକ୍ଷିତ ଏକ ମୌଳିକ ଅଧିକାର। ଫୁଟପାଥ ନଥିବାରୁ ଅବା ଏହା ଜବରଦଖଲମୁକ୍ତ ହୋଇନଥିବାରୁ ବାଧ୍ୟ ହୋଇ ରାସ୍ତାରେ ଚାଲୁଛନ୍ତି ପଥଚାରୀ। ଯାହା ଦୁର୍ଘଟଣାର ଆଶଙ୍କାକୁ ବି ବଢ଼ାଇଛି। ଫୁଟପାଥରେ ଚାଲୁଥିବା ଲୋକଙ୍କ ଅଧିକାରକୁ ସୁରକ୍ଷିତ ଲାଗି ଆଇନ ଜରୁରୀ ବୋଲି କହିଛନ୍ତି ସୁପ୍ରିମକୋର୍ଟ। ଜଷ୍ଟିସ Abhay S. Oka ଏବଂ Ujjal Bhuyanଙ୍କ ଖଣ୍ଡପୀଠ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ପଦଚାରୀଙ୍କ ପାଇଁ ଉପଯୁକ୍ତ ଫୁଟପାଥ ନିର୍ମାଣ ଓ ସୁରକ୍ଷା ସମ୍ବନ୍ଧୀୟ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରିବାକୁ କହିଛନ୍ତି। କୋର୍ଟ ସ୍ପଷ୍ଟ କରିଛନ୍ତି ଯେ ଫୁଟପାଥଗୁଡ଼ିକ ଦିବ୍ୟାଙ୍ଗଙ୍କ ପାଇଁ ସୁଗମ ହେବା ସହିତ ଏହା ଉପରୁ ସମସ୍ତ ପ୍ରକାର ଅବୈଧ ଦଖଲ ହଟାଇବା ଆବଶ୍ୟକ। ସୁପ୍ରିମକୋର୍ଟ କହିଛନ୍ତି, “ଦଖଲମୁକ୍ତ ଫୁଟପାଥ ପାଇବାର ଅଧିକାର ହେଉଛି ଜୀବନର ଅଧିକାରର ଏକ ଅତ୍ୟାବଶ୍ୟକ ଅଂଶ।” ଏହା ସହ କେନ୍ଦ୍ର ସରକାରକୁ ମଧ୍ୟ ପାଦଚାରୀଙ୍କ ଅଧିକାର ସୁରକ୍ଷା ପାଇଁ ଥିବା ନୀତି ଓ ନିର୍ଦ୍ଦେଶାବଳୀ କୋର୍ଟରେ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ମାମଲାର ଶୁଣାଣି ସମୟରେ କୋର୍ଟ ମନ୍ତବ୍ୟ ଦେଇଛନ୍ତି ଯେ ପଦଚାରୀଙ୍କ ସୁରକ୍ଷା ସର୍ବାଧିକ ଗୁରୁତ୍ୱର ବିଷୟ ଏବଂ ସହର ଓ ରାଜପଥଗୁଡ଼ିକରେ ସୁରକ୍ଷିତ ଓ ସୁବିଧାଜନକ ଫୁଟପାଥ ବ୍ୟବସ୍ଥା କରିବା ସରକାରଙ୍କ ଦାୟିତ୍ୱ।
