ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ: ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ, ପଞ୍ଚାୟତ ନିର୍ବାଚନ ପାଇଁ ସଜୁଛି ବିଜେପି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆସନ୍ତା ଓଡ଼ିଶା ଗସ୍ତକୁ ନେଇ ବିଜେପି ଶିବିରରେ ଉତ୍ସାହର ମାହୋଲ ଦେଖିବାକୁ ମିଳିଛି। ଆସନ୍ତା ୨୦ ତାରିଖରେ ପ୍ରଧାନମନ୍ତ୍ରୀ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଗସ୍ତରେ ଆସିବେ।
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆସନ୍ତା ଓଡ଼ିଶା ଗସ୍ତକୁ ନେଇ ବିଜେପି ଶିବିରରେ ଉତ୍ସାହର ମାହୋଲ ଦେଖିବାକୁ ମିଳିଛି। ଆସନ୍ତା ୨୦ ତାରିଖରେ ପ୍ରଧାନମନ୍ତ୍ରୀ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଗସ୍ତରେ ଆସିବେ। ସେଠାରେ ଆୟୋଜିତ ଏକ ବିଶାଳ ସାଧାରଣ ସଭାରେ ଯୋଗ ଦେଇ ଜନସାଧାରଣଙ୍କୁ ସମ୍ବୋଧିତ କରିବେ। ଏହି ଗସ୍ତକୁ ନେଇ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ସୂଚନା ଦେଇଛନ୍ତି ବିଜେପି ନେତା ମନମୋହନ ସାମଲ। ଦଳୀୟ କର୍ମୀମାନେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି। ଅନ୍ୟପଟେ, ଓଡ଼ିଶାରେ ବିଜେପି ସରକାର ଦୁଇ ବର୍ଷ ପୂରଣ କରିଥିବା ବେଳେ, ଏହି ଅବଧିର ସଫଳତାକୁ ନେଇ ଦଳ ଲୋକଙ୍କ ନିକଟକୁ ଯିବାକୁ ଯୋଜନା କରୁଛି। ସରକାର ନିର୍ବାଚନ ସମୟରେ ଦେଇଥିବା ଅନେକ ପ୍ରତିଶ୍ରୁତି ପୂରଣ କରିଥିବା ଦାବି କରିଛି ବିଜେପି। ଆଗାମୀ ତିନି ବର୍ଷ ସରକାର ପାଇଁ ଚ୍ୟାଲେଞ୍ଜପୂର୍ଣ୍ଣ ହୋଇଥିଲେ ମଧ୍ୟ ଅବଶିଷ୍ଟ ଲକ୍ଷ୍ୟଗୁଡ଼ିକୁ ମଧ୍ୟ ପୂରଣ କରାଯିବ ବୋଲି ଦଳ ପକ୍ଷରୁ କୁହାଯାଇଛି।
ଆଗାମୀ ପଞ୍ଚାୟତ ନିର୍ବାଚନକୁ ଆଖି ଆଗରେ ରଖି ବିଜେପି ଦୁଇ ବର୍ଷର କାର୍ଯ୍ୟକାଳର ସଫଳତା ଓ ବିକାଶମୂଳକ କାର୍ଯ୍ୟକ୍ରମକୁ ପ୍ରମୁଖ ପ୍ରସଙ୍ଗ କରି ଜନସାଧାରଣଙ୍କ ନିକଟକୁ ଯିବାକୁ ପ୍ରସ୍ତୁତ ହେଉଛି। ଦଳର ବିଶ୍ୱାସ, ସରକାରଙ୍କ କାର୍ଯ୍ୟଦକ୍ଷତା ଆଗାମୀ ନିର୍ବାଚନରେ ସେମାନଙ୍କୁ ଅଧିକ ଶକ୍ତିଶାଳୀ କରିବ।
