ରାତି ପାହିଲେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା
ରାତି ପାହିଲେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା। ଭକ୍ତ ଓ ଭଗବାନଙ୍କ ହେବ ମହାମିଳନ। ନବଯୌବନ ବେଶ ପରେ ଘୋଷଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି। ସଅଳ ପହଣ୍ଡି ପାଇଁ ଆଜି ମଧ୍ୟ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ।
ପୁରୀ: ସଜେଇ ହୋଇଛି ବଡଦାଣ୍ଡ, ରାତି ପାହିଲେ ଵିଶ୍ବନିୟନ୍ତାଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା। ଭକ୍ତ ଓ ଭଗବାନଙ୍କ ହେବ ମହାମିଳନ। ବର୍ଷାରେ ଭିଜି ମଧ୍ଯ ମହାପ୍ରଭୁଙ୍କ ଘୋଷଯାତ୍ରାକୁ ଅପେକ୍ଷା କରିଛନ୍ତି ଭକ୍ତ। ଆଜି ପ୍ରତିପଦା ତିଥିରେ ଶ୍ରୀମନ୍ଦିରରେ ଉଭାଯାତ୍ରା ନୀତି ଅନୁଷ୍ଠିତ ହେବ। ଗୋପାଳ ବଲ୍ଲଭ ଓ ସକାଳ ଧୂପ ପରେ ରଥଖଳାରେ ଆଜ୍ଞାମାଳ ବିଜେ ନୀତି ସମ୍ପନ୍ନ ହେବ। ଏହାପରେ ତିନି ରଥର ଚକ ଓ ଅଖରେ ତୈଳ ଲାଗି କରାଯାଇ ସିଂହଦ୍ୱାରକୁ ଆଣିବା ପ୍ରକ୍ରିୟା ଆରମ୍ଭ ହେବ। ସେବାୟତ, ଶ୍ରୀମନ୍ଦିର ପ୍ରଶାସନ ଓ ପୁଲିସ ପ୍ରଶାସନଙ୍କ ସହଯୋଗରେ ରଥଖଳାରୁ ତିନି ରଥକୁ ଟାଣି ଟାଣି ସିଂହଦ୍ୱାରକୁ ଅଣାଯିବ। ସିଂହଦ୍ୱାର ଚକଡାରେ ପହଞ୍ଚିବା ପରେ ତିନି ରଥର ଉତ୍ତରମୋଡ଼ କରାଯିବ।

ଆସନ୍ତାକାଲି ରଥ ପ୍ରତିଷ୍ଠା ପରେ ଚତୁର୍ଦ୍ଧାମୂର୍ତ୍ତି ତିନି ରଥରେ ବିଜେ କରି ଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା କରିବେ। ସେପଟେ, ଗତକାଲି ନବଯୌବନ ବେଶ ଦର୍ଶନ ପରେ ଆଜି ଭୋର ୪ଟାରୁ ଦତ୍ତ ମହାପାତ୍ର ସେବକମାନେ ବନକଲାଗି ନୀତି ପାଇଁ ଶ୍ରୀମନ୍ଦିରରେ ପ୍ରବେଶ କରିଥିଲେ। ମାତ୍ର ଦୁଇ ଘଣ୍ଟାର ନବଯୌବନ ବେଶ ଦର୍ଶନ ପରେ ନୀତିକାନ୍ତିକୁ ତ୍ୱରାନ୍ୱିତ କରିବା ଉଦ୍ଦେଶ୍ୟରେ ଦର୍ଶନ ବନ୍ଦ ରଖାଯାଇଥିଲା। ଆଜି ମଧ୍ୟ ସର୍ବସାଧାରଣଙ୍କ ଦର୍ଶନ ବନ୍ଦ ରହିଛି । ଆସନ୍ତାକାଲି ସଅଳ ପହଣ୍ଡି ସୁଚାରୁ ଭାବେ ସମ୍ପନ୍ନ କରିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ସେପଟେ ନିର୍ଘଣ୍ଟ ସମୟ ଅନୁଯାୟୀ ଆଜି ରାତି ୯ ଟା ସୁଦ୍ଧା ବଡ଼ସିଂହାର, ୯ ଟା ୩୦ ସୁଦ୍ଧା ପହୁଡ ଆଳତୀ ହୋଇ ରାତି ୧୦ ଟା ୪୫ ରେ ବାହୁଟ କଣ୍ଟ ଓ ରାତି ୧୧ ଟା ରୁ ଆସନ୍ତାକାଲି ଭୋର୍ ୫ ଟା ପର୍ଯ୍ୟନ୍ତ ସେନାପଟା ଲାଗି ହେବାକୁ ନିର୍ଘଣ୍ଟ ହୋଇଛି ।
