ଅମରନାଥ ଗୁମ୍ଫାରେ ‘ପ୍ରଥମ ପୂଜା’ ସମ୍ପନ୍ନ
ଅମରନାଥ ଗୁମ୍ଫାରେ ‘ପ୍ରଥମ ପୂଜା’ ସମ୍ପନ୍ନ। ଜମ୍ମୁ-କଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା ପୂଜା କରିବା ସହ ୫୭ ଦିନିଆ ଅମରନାଥ ଯାତ୍ରାର କଲେ ଔପଚାରିକ ଶୁଭାରମ୍ଭ। ଜୁଲାଇ ୩ରୁ ଅଗଷ୍ଟ ୨୮ ଯାଏ ଚାଲିବ ଯାତ୍ରା।
ଅମରନାଥ ଯାତ୍ରା ଆରମ୍ଭ ହେବାର ୩ ଦିନ ପୂର୍ବରୁ ସୋମବାର ଆଜି ବାବା ବରଫାନୀଙ୍କ ପ୍ରଥମ ପୂଜା ଅନୁଷ୍ଠିତ ହୋଇଯାଇଛି। ଜାମ୍ମୁ-କାଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା ଆଜି ଶ୍ରୀ ଅମରନାଥ ଜୀଙ୍କ ପବିତ୍ର ଗୁମ୍ଫାରେ ପ୍ରଥମ ପୂଜା କରିଛନ୍ତି । ସେଠାରେ ପୂଜା କରିବା ସହି ଆଶୀର୍ବାଦ ନେଇ ସମସ୍ତଙ୍କ ଶାନ୍ତି, ଖୁସି ଏବଂ ସ୍ବାସ୍ଥ୍ୟ ଏବଂ କଲ୍ୟାଣ ପାଇଁ ପ୍ରାର୍ଥନା କରିଛନ୍ତି ଶ୍ରୀ ସିହ୍ନା । ଚଳିତ ବର୍ଷ ଆସନ୍ତା ଜୁଲାଇ ୩ ତାରିଖରୁ ଅମରନାଥ ଯାତ୍ରା ଆରମ୍ଭ ହେବାକୁ ଥିବା ବେଲେ, ବାଲଟାଲ ଏବଂ ପହେଲଗାମ—ଉଭୟ ମାର୍ଗରୁ ଅମରନାଥ ଯାତ୍ରା ଆରମ୍ଭ ହେବ। ତେବେ ଏହି ଯାତ୍ରା ଅଗଷ୍ଟ ୨୮ ତାରିଖ ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଦିନ ଶେଷ ହେବ। ମୋଟ ୫୭ ଦିନ ଧରି ଏହି ଯାତ୍ରା ଚାଲିବ। ଯାତ୍ରୀଙ୍କ ସୁରକ୍ଷା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ଚଳିତବର୍ଷ ଏହି ଯାତ୍ରାରେ ଶ୍ରଦ୍ଧାଳୁଙ୍କ ରେକର୍ଡ ଭାଙ୍ଗିବ ବୋଲି ଅନୁମାନ କରାଯାଉଛି । ଅନ୍ୟପଟେ, ଅଧିକାରୀମାନଙ୍କ କହିବା ଅନୁସାରେ, ଏପ୍ରିଲ ୧୫ ତାରିଖରୁ ଏପର୍ଯ୍ୟନ୍ତ ୪ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ଯାତ୍ରା ପାଇଁ ପଞ୍ଜିକରଣ କରିସାରିଛନ୍ତି। ପ୍ରଥମ ଯାତ୍ରୀ ଦଳ ଜୁଲାଇ ୨ ତାରିଖରେ ଜମ୍ମୁର ଭଗବତୀ ନଗର ବେସ୍ କ୍ୟାମ୍ପରୁ ଯାତ୍ରା ଆରମ୍ଭ କରିବେ। ପ୍ରଶାସନ ବାଲଟାଲ ଏବଂ ଚନ୍ଦନୱାଡ଼ୀରେ ବେସ୍ ହସ୍ପିଟାଲ ଆରମ୍ଭ କରିଛି। ଏହା ବ୍ୟତୀତ, ଯାତ୍ରାର ଉଭୟ ମାର୍ଗରେ ମଧ୍ୟ ଚିକିତ୍ସା ସୁବିଧା ଉପଲବ୍ଧ କରାଯାଇଛି। ପ୍ରଶାସନ ଉଭୟ ମାର୍ଗରେ ଭିତ୍ତିଭୂମି, ସୁରକ୍ଷା ଏବଂ ସ୍ୱାସ୍ଥ୍ୟ ସେବା ସମ୍ବନ୍ଧୀୟ ଅଧିକାଂଶ ପ୍ରସ୍ତୁତି ସମ୍ପୂର୍ଣ୍ଣ କରିସାରିଛି। ସେପଟେ ଚନ୍ଦନୱାଡ଼ୀରୁ ପବିତ୍ର ଗୁମ୍ଫା ପର୍ଯ୍ୟନ୍ତ ଥିବା ମାର୍ଗରେ ମହାଗଣେଶ ଟପ୍ ନିକଟରେ ବରଫ ହଟାଇବା କାମ ଶେଷ ପର୍ଯ୍ୟାୟରେ ରହିଛି। ଅଧିକାରୀମାନେ କହିଛନ୍ତି ଯେ, ଆସନ୍ତା ୨ରୁ ୩ ଦିନ ମଧ୍ୟରେ ଏହି କାମ ସମ୍ପୂର୍ଣ୍ଣ ହୋଇଯିବ।
