ଆଜିଠୁ ଆରମ୍ଭ ହେଲା ପବିତ୍ର ଅମରନାଥ ଯାତ୍ରା
ପବିତ୍ର ଅମରନାଥ ଯାତ୍ରା ଆରମ୍ଭ । ବାବା ବରଫାନୀଙ୍କ ଦର୍ଶନ ପାଇଁ ଯାତ୍ରାରେ ସାମିଲ ହେଲେ ହଜାର ହଜାର ଶ୍ରଦ୍ଧାଳୁ। ପ୍ରଥମ ଶ୍ରଦ୍ଧାଳୁଙ୍କ ଟିମକୁ ପତାକା ଦେଖାଇ ଉପରାଜ୍ୟପାଳ ମନୋଜ ସିହ୍ନା ଶୁଭାରମ୍ଭ କଲେ ଯାତ୍ରା। ପୁରା ମାହୋଲ ହରହର ମହାଦେବ ଓ ବମ ବମ ଭୋଲେ ନାରାରେ କମ୍ପିଲା।
ଜମ୍ମୁ: ଆଜିଠାରୁ ଆରମ୍ଭ ହୋଇଛି ପବିତ୍ର ଅମରନାଥ ଯାତ୍ରା। ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ହଜାର ହଜାର ଶ୍ରଦ୍ଧାଳୁଙ୍କ ମଧ୍ୟରେ ଦେଖାଯାଇଛି ଅପାର ଉତ୍ସାହ ଓ ଭକ୍ତିଭାବ। ବାବା ବରଫାନୀଙ୍କ ଦର୍ଶନ ପାଇଁ ଯାତ୍ରାରେ ସାମିଲ ହୋଇଛନ୍ତି ଶ୍ରଦ୍ଧାଳୁ । ଆଜି ସକାଳେ ଜମ୍ମୁର ଭଗବତୀ ନଗର ବେସ କ୍ୟାମ୍ପରୁ ପ୍ରଥମ ପର୍ଯ୍ୟାୟର ଶ୍ରଦ୍ଧାଳୁଙ୍କ ପ୍ରଥମ ଦଳ ଶ୍ରୀନଗର ଅଭିମୁଖେ ଯାତ୍ରା କରିଛନ୍ତି । କଡ଼ା ସୁରକ୍ଷା ମଧ୍ୟରେ ଶ୍ରଦ୍ଧାଳୁଙ୍କ ଟିମ୍ ସନ୍ଧ୍ୟାରେ ଶ୍ରୀନଗରରେ ପହଞ୍ଚିବ। ଜମ୍ମୁ-କଶ୍ମୀରର ଉପ-ରାଜ୍ୟପାଳ ମନୋଜ ସିହ୍ନା ଅମରନାଥ ଯାତ୍ରୀଙ୍କ ପ୍ରଥମ ଦଳକୁ ପତାକା ଦେଖାଇ ଏହି ଯାତ୍ରାର ଶୁଭାରମ୍ଭ କରିଛନ୍ତି । ସମସ୍ତ ଶ୍ରଦ୍ଧାଳୁଙ୍କ ସୁରକ୍ଷିତ, ଆନନ୍ଦମୟ ଓ ଆଧ୍ୟାତ୍ମିକ ରୂପରେ ଯାତ୍ରା ସମ୍ପନ୍ନ ହେଉ ବୋଲି କାମନା କଲେ ସିହ୍ନା। ପତାକା ପ୍ରଦର୍ଶନ ପୂର୍ବରୁ ଉପରାଜ୍ୟପାଳ ମନୋଜ ସିହ୍ନା ଭଗବତୀ ନଗର ଆଧାର ଶିବିରରେ ବିଶେଷ ପୂଜାର୍ଚ୍ଚନା କରିଥିଲେ। କଡ଼ା ସୁରକ୍ଷା ବ୍ୟବସ୍ଥା ଓ ବ୍ୟାପକ ପ୍ରଶାସନିକ ପ୍ରସ୍ତୁତି ମଧ୍ୟରେ ଶ୍ରଦ୍ଧାଳୁମାନେ ବାବା ବରଫାନୀଙ୍କ ଦର୍ଶନ ପାଇଁ ପବିତ୍ର ଗୁମ୍ଫା ଅଭିମୁଖେ ଯାତ୍ରା କରିଛନ୍ତି। ଅନ୍ୟପଟେ ପୁରା ମାହୋଲ ହରହର ମହାଦେବ ଓ ବମ ବମ ଭୋଲେ ନାରାରେ କମ୍ପିଥିଲା। ଚଳିତ ବର୍ଷ ଯାତ୍ରାରେ ବହୁ ସଂଖ୍ୟକ ଭକ୍ତଙ୍କ ସମାଗମ ହେବ ବୋଲି ପ୍ରଶାସନ ଆଶା ପ୍ରକାଶ କରିଥିବା ବେଳେ, ପ୍ରଥମ ଥର ପାଇଁ ବାବାଙ୍କ ଦର୍ଶନ କରିବାକୁ ଆସିଥିବା ଯୁବ ଶ୍ରଦ୍ଧାଳୁଙ୍କ ସଂଖ୍ୟା ବେଶ୍ ଅଧିକ ରହିଛି । ପ୍ରତ୍ୟେକ ଶ୍ରଦ୍ଧାଳୁଙ୍କୁ ପଞ୍ଜୀକୃତ ଆରଏଫଆଇଡି କାର୍ଡ ଦିଆଯାଇଛି । ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏବଂ ଜମ୍ମୁ-କଶ୍ମୀର ପ୍ରଶାସନ ବ୍ୟାପକ ବ୍ୟବସ୍ଥା କରିଛନ୍ତି । ଯଦି କୌଣସି ଯାତ୍ରୀଙ୍କୁ ରାସ୍ତାରେ କୌଣସି ସମସ୍ୟା ହେଲେ, ତେବେ ତୁରନ୍ତ ସହାୟତା କରାଯାଇପାରିବ । ସେପଟେ ପ୍ରାୟ ୭୦ ହଜାରରୁ ଅଧିକ କେନ୍ଦ୍ରୀୟ ସୁରକ୍ଷା ଟିମ୍ ଜମ୍ମୁ-କଶ୍ମୀରରେ ମୁତୟନ ହୋଇଛନ୍ତି । CRPF ଯବାନ ଏବଂ କୋବ୍ରା କମାଣ୍ଡୋମାନେ ଶ୍ରଦ୍ଧାଳୁଙ୍କ ଗାଡ଼ି ସହ ରହିଛନ୍ତି । ଯାତ୍ରା କରିଥିବା ଶ୍ରଦ୍ଧାଳୁମାନେ ବାଲଟାଲ ଏବଂ ପହଲଗାମ ବେସ୍ କ୍ୟାମ୍ପରେ ପହଞ୍ଚିବା ପରେ, ଶୁକ୍ରବାର ସକାଳୁ ପବିତ୍ର ଶିବଲିଙ୍ଗଙ୍କ ଦର୍ଶନ କରିବେ । ୫୭ ଦିନ ଧରି ଚାଲିଵାକୁ ଥିଵା ଏହି ଯାତ୍ରା ଅଗଷ୍ଟ ୨୮ ତାରିଖ ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଦିନ ଶେଷ ହେବ। ଯାତ୍ରୀଙ୍କ ସୁରକ୍ଷା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି।
