OTAS ଅଧିକାରୀ ଭୀମସେନ ଟୁଡୁ ଚାକିରୀରୁ ବହିଷ୍କୃତ।
ବହୁ ଚର୍ଚ୍ଚିତ ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମଙ୍କ ମୃତ୍ୟୁ ମାମଲାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି।
ବହୁ ଚର୍ଚ୍ଚିତ ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମଙ୍କ ମୃତ୍ୟୁ ମାମଲାରେ OTAS ଅଧିକାରୀ ଭୀମସେନ ଟୁଡୁ ଚାକିରୀରୁ ଵହିଷ୍କୃତ। ନୂଆ କରି ନିଯୁକ୍ତି ପାଇଥିବା OTAS (Odisha Taxation & Accounts Service) ଅଧିକାରୀ ଭୀମସେନ ଟୁଡୁଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କୁ ସରକାରୀ ସେବାରୁ ବହିଷ୍କାର କରିଛନ୍ତି । ଭବିଷ୍ୟତରେ ମଧ୍ୟ ଶ୍ରୀ ଟୁଡୁ ଆଉ କୌଣସି ସରକାରୀ ଚାକିରି ପାଇବା ପାଇଁ ଯୋଗ୍ୟ ବିବେଚିତ ହେବେ ନାହିଁ। ଜେରା ଵେଳେ ଚନ୍ଦ୍ରିକାଙ୍କ ସହ ସମ୍ପର୍କ ଓ ବିବାହ ପ୍ରତିଶ୍ରୁତି ଦେଇ ମନା କରିବା ମାନିଥିଲେ ଭୀମସେନ ଟୁଡୁ। ସୂଚନା ଅନୁସାରେ, ନୂଆ କରି OTAS ପାଇଥିବା ଶ୍ରୀ ଟୁଡୁ ତାଙ୍କ ଇଣ୍ଡକ୍ସନ୍ ଟ୍ରେନିଙ୍ଗ୍ ସମୟରେ ୨୦୨୬ ଜୁନ୍ ୪ ତାରିଖ ଠାରୁ ଅନୁପସ୍ଥିତ ଥିଲେ। ମଧୁସୂଦନ ଦାସ ରିଜିଓନାଲ୍ ଏକାଡେମୀ ଅଫ୍ ଫାଇନାନ୍ସିଆଲ୍ ମ୍ୟାନେଜମେଣ୍ଟ (MDRAFM)ରେ ତାଙ୍କ ଶେଷ ପରୀକ୍ଷାରେ ମଧ୍ୟ ଯୋଗ ଦେଇନଥିଲେ। ସେହି ସମୟରେ ସେ ବାଲେଶ୍ୱର ମେଡିକାଲ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମ ମୃତ୍ୟୁ ମାମଲାରେ ବାରଙ୍ଗ ପୋଲିସ ଦ୍ୱାରା ଗିରଫ ହୋଇଥିଲେ ଏବଂ ତାଙ୍କୁ ଜୁଡିସିଆଲ୍ କଷ୍ଟଡିକୁ ପଠାଯାଇଥିଲା । ଅପରାଧିକ ମାମଲାରେ ୪୮ ଘଣ୍ଟାରୁ ଅଧିକ ସମୟଧରି ପୋଲିସ ଦ୍ୱାରା ଅଟକ ଥିବାରୁ ଆଇନ ଅନୁଯାୟୀ ପଦକ୍ଷେପ ନିଆଯାଇ ତାଙ୍କୁ ସିଧାସଳଖ ସରକାରୀ ସେବାରୁ ବରଖାସ୍ତ କରାଯାଇଛି। ପୁଲିସର ସୂଚନା ଅନୁଯାୟୀ, ଭୀମସେନ ଟୁଡୁ ମୟୂରଭଞ୍ଜ ଜିଲ୍ଲାର ବାସିନ୍ଦା। ପ୍ରେମିକ ଭୀମସେନ୍ ଟୁଡୁଙ୍କ ପାଇଁ ଚନ୍ଦ୍ରିକାଙ୍କର ମୃତ୍ୟୁ ହୋଇଛି ବୋଲି କଟକ ଡିସିପି ଋଷିକେଶ ଖିଲାରୀ ପ୍ରକାଶ କରିଛନ୍ତି। ମାମଲା ରୁଜୁ ପରେ ସେ ଝାଡ଼ଖଣ୍ଡ ପଳାଇଥିବା ବେଳେ ଦୀର୍ଘ ତଦନ୍ତ ପରେ ନିଜ ଗାଁରୁ ତାଙ୍କୁ ଧରାଯାଇଥିଲା। ଚନ୍ଦ୍ରିକାଙ୍କ ପରିବାର ପକ୍ଷରୁ ଟୁଡୁଙ୍କ ବିରୋଧରେ ଅଭିଯୋଗ କରାଯାଇଥିଲା। ପରିବାର ଆତ୍ମହତ୍ୟା ତତ୍ତ୍ୱକୁ ଅସ୍ୱୀକାର କରି ହତ୍ୟା ଓ ନିର୍ଯାତନା ଅଭିଯୋଗ ଆଣିଥିଲେ। ପୁଲିସ କହିଛି, ଚନ୍ଦ୍ରିକା ଓ ଟୁଡୁ କଲେଜ ସମୟରୁ ପରସ୍ପରକୁ ଜାଣିଥିଲେ ଏବଂ ଦୀର୍ଘ ବର୍ଷ ଧରି ସମ୍ପର୍କରେ ଥିଲେ। ତଦନ୍ତ ବେଳେ ସେମାନଙ୍କ ମଧ୍ୟରେ କିଛି ମାସ ଧରି ବିବାଦ ଥିବା ଜଣାପଡିଥିଲା। ପୁଲିସ ଚନ୍ଦ୍ରିକାଙ୍କ ମୋବାଇଲ୍, ଟୁଡୁଙ୍କ ଲାପଟପ୍ ଓ ଟ୍ୟାବ୍ ଜବତ କରି ଡିଜିଟାଲ ପ୍ରମାଣ ଯାଞ୍ଚ କରୁଛି। ହ୍ୱାଟସ୍ଆପ୍ ଚାଟ୍, CCTV ଫୁଟେଜ୍ ଓ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ୍ ପ୍ରମାଣ ଫରେନସିକ୍ ଯାଞ୍ଚ ପାଇଁ ପଠାଯାଇଛି।
