ରାୟଗଡା କଲ୍ୟାଣସିଂହପୁର ହିଂସା
ରାୟଗଡା କଲ୍ୟାଣସିଂହପୁର ହିଂସା । ପିଲାଚୋର ସନ୍ଦେହରେ ଦୁଇ ଯୁବତୀଙ୍କୁ ରାସ୍ତା ମଝିରେ ବିବସ୍ତ୍ର କରି ନିର୍ଯାତନା । ତୁରନ୍ତ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ସରକାରଙ୍କୁ ଅପିଲ କଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ।

ରାୟଗଡା କଲ୍ୟାଣସିଂହପୁରରେ ଘଟିଥିବା ହିଂସାକୁ ନେଇ ଏବେ ସବୁଠି ତାତ୍ସଲ୍ୟ। ପିଲାଚୋର ସନ୍ଦେହରେ ଦୁଇ ଯୁବତୀଙ୍କୁ ରାସ୍ତା ମଝିରେ ବିବସ୍ତ୍ର କରି ନିର୍ଯାତନା ଦିଆଯାଇଥିବା ଘଟଣାକୁ ତୀବ୍ର ନିନ୍ଦା କରିବା ସହ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ନବୀନ କହିଛନ୍ତି ଯେ, ରାୟଗଡ଼, କଲ୍ୟାଣସିଂହପୁରରେ ଦିଲ୍ଲୀର ଛାତ୍ରୀଙ୍କ ସହ ଘଟିଥିବା ଜଘନ୍ୟ, ବର୍ବରୋଚିତ କାଣ୍ଡ ସମଗ୍ର ଓଡ଼ିଶାକୁ ବିଚଳିତ, ଲଜ୍ଜିତ ଓ ଚିନ୍ତିତ କରିଛି। ଏପରି ଦୁଃସ୍ଥିତିର ସାମ୍ନା କରିଥିବା ଛାତ୍ରୀଙ୍କୁ ମୋର ଗଭୀର ସମବେଦନା ଜଣାଉଛି। ସର୍ବସମ୍ମୁଖରେ ଛାତ୍ରୀଙ୍କ ସହ ସଂଘବଦ୍ଧ ଭାବେ ଘଟିଥିବା ବିଭତ୍ସ, ନାରକୀୟ କାଣ୍ଡ ମାନବିକତା ଏବଂ ଆମ ଅସ୍ମିତା ଉପରେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏପରି ଘଟଣା ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିବା ବେଳେ ସରକାର ତୁରନ୍ତ ତତ୍ପରତାର ସହ କାର୍ଯ୍ୟାନୁଷ୍ଠାନ ନେବା ଦରକାର। କାହିଁକି ଓଡ଼ିଶାର ଛବି କଳୁଷିତ ହେବାକୁ ଛାଡ଼ି ଦିଆଯାଇଛି? ଏ ସରକାର, ଏ ପୋଲିସ ପ୍ରଶାସନ ଏତେ ଅସହାୟ କ'ଣ ପାଇଁ? ସେ କହଛନ୍ତି। ଏହା ସହ ଆହୁରି ମଧ୍ୟ କହିଛନ୍ତି, ସମସ୍ତଙ୍କ ସୁରକ୍ଷା ସୁନିଶ୍ଚିତ କରିବା କ'ଣ ଏ ସରକାରଙ୍କ ଉତ୍ତରଦାୟିତ୍ୱ ନୁହେଁ କି? ସମ୍ବେଦନଶୀଳ ଘଟଣାରେ ସରକାରଙ୍କ ସ୍ଥାଣୁତା ଓ ଅସମ୍ଭବ ନୀରବତା ଏପରି ବିଭତ୍ସ କାଣ୍ଡ ଘଟିବାକୁ ପ୍ରଶ୍ରୟ ଦେଉନାହିଁ କି? ନାରୀ ନିର୍ଯାତନା ଓ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପାଇଁ ଓଡ଼ିଶା ସାରା ବିଶ୍ୱରେ ନିନ୍ଦିତ ହେଉଥିବା ବେଳେ ସରକାର କେଉଁ ମୁହଁରେ 'ବିକାଶର ଧାରା ଓଡ଼ିଶା ସାରା' କହି ଉତ୍ସବରେ ମାତିଛନ୍ତି? ସରକାର ତୁରନ୍ତ କଠୋରରୁ କଠୋର ପଦକ୍ଷେପ ଗ୍ରହଣ କରି ରାଜ୍ୟରେ ମା' ଭଉଣୀଙ୍କ ସୁରକ୍ଷା ଓ ଆଇନଶୃଙ୍ଖଳା ସୁନିଶ୍ଚିତ କରିବା ପାଇଁ କହିଛନ୍ତି ବିଜେଡି ସୁପ୍ରିମୋ ।
