SIR କାମ ଚାପରେ ଜୀବନ ହାରିଲେ BLO
ବୌଦ୍ଧ ଜିଲ୍ଲାରେ SIR କାର୍ଯ୍ୟର ଚାପ ଯୋଗୁଁ ଜଣେ ବିଏଲଓ (BLO) ଆତ୍ମହତ୍ୟା କରିଥିବା ଅଭିଯୋଗ ଆସିଛି। ମୃତକ ହେଲେ ଡିମିରିଖୋଲ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୟନ ସାହୁ।
ବୌଦ୍ଧ: SIR କାର୍ଯ୍ୟ ଚାପରେ ବିଏଲଓ ଆତ୍ମହତ୍ୟା ଅଭିଯୋଗ । ବୌଦ୍ଧ ଜିଲ୍ଲାରେ SIR କାର୍ଯ୍ୟର ଚାପ ଯୋଗୁଁ ଜଣେ ବିଏଲଓ (BLO) ଆତ୍ମହତ୍ୟା କରିଥିବା ଅଭିଯୋଗ। ମୃତକ ହେଲେ ଡିମିରିଖୋଲ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୟନ ସାହୁ। ସୂଚନା ଅନୁଯାୟୀ, ସୟନ ସାହୁ ଗୋଛାପଡା ଗାଁର ବାସିନ୍ଦା ଥିବା ସହ ଗୁନ୍ଦୁଲିଆ କ୍ଲଷ୍ଟର ଅଧୀନ ଡିମିରିଖୋଲ ସ୍କୁଲର ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟରତ ଅଛନ୍ତି । ସେ SIR କାର୍ଯ୍ୟ ପାଇଁ ବିଏଲଓ ଭାବେ ନିଯୁକ୍ତ ହୋଇଥିଲେ। ଅଭିଯୋଗ ଅନୁସାରେ, SIR କାର୍ଯ୍ୟରେ ଦାୟିତ୍ୱ ଠିକ୍ ଭାବରେ ନିର୍ବାହ କରୁନଥିବା ଅଭିଯୋଗରେ ଉପରିସ୍ଥ ଅଧିକାରୀମାନେ ତାଙ୍କୁ ଅତ୍ୟଧିକ ମାନସିକ ଚାପ ଦେଉଥିବା କଥା ପରିବାର ଦାବି କରିଛନ୍ତି । ଏମିତିକି ଦାଇତ୍ୱରେ ଅବହେଳା ପାଇଁ ତାଙ୍କୁ ସସପେଣ୍ଡ ମଧ୍ୟ କରାଯିବବୋଲି ଧମକ ଦିଆଯାଇଥିଲା । ତେବେ ଦୁଇଦିନ ପୂର୍ବରୁ SIR କାର୍ଯ୍ୟରେ ଅବହେଳା ଯୋଗୁଁ ଦୁଇଜଣ ଶିକ୍ଷକଙ୍କୁ ଜିଲ୍ଲାପାଳ ନିଲମ୍ବନ କରିଥିବା ଘଟଣା ପରେ ସୟନ ସାହୁ ଗଭୀର ମାନସିକ ଚାପରେ ଥିଲେ ବୋଲି ପରିବାର ଅଭିଯୋଗ କରିଛନ୍ତି । ଗତକାଲି ସେ ବିଷ ପିଇ ଆତ୍ମହତ୍ୟା କରିଛନ୍ତି ଗୁରୁତର ଅବସ୍ଥାରେ ପ୍ରଥମେ ତାଙ୍କୁ ବାଉଁଶୁଣି ଓ ପରେ ସୋନପୁର ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିଲା, କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତକଙ୍କ ପୁଅ କୃଷ୍ଣଚନ୍ଦ୍ର ସାହୁ ଅଭିଯୋଗ କରିଛନ୍ତି ଯେ, ଉପରିସ୍ଥ ଅଧିକାରୀଙ୍କ ଚାପ ଓ ଧମକ ଯୋଗୁଁ ତାଙ୍କ ବାପା ମାନସିକ ଭାବେ ଭାଙ୍ଗିପଡ଼ିଥିଲେ । ଏହି ଘଟଣାରେ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଘଟଣା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଘଟଣାର ପୋଲିସ ତଦନ୍ତ ପରେ ମାମଲାର ସତ୍ୟତା ସ୍ପଷ୍ଟ ହେବ ।
