ପାଠ୍ୟପୁସ୍ତକ ତୃଟି ଉପରେ କଡା ଆଭିମୁଖ୍ୟ, ତଦନ୍ତ ପାଇଁ କମିଟି ଗଠନ।
ପାଠ୍ୟପୁସ୍ତକ ତୃଟି ଉପରେ କଡା ଆଭିମୁଖ୍ୟ, ତଦନ୍ତ ପାଇଁ ତିନି ଜଣିଆ କମିଟି ଗଠନ। ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଗଠିତ ହେଲା କମିଟି। ସାତ ଦିନ ମଧ୍ୟରେ ଦେବେ ରିପୋର୍ଟ।

ଭୁବନେଶ୍ବର: ରାଜ୍ୟରେ ସ୍କୁଲ ଶିକ୍ଷା ବ୍ୟବସ୍ଥାକୁ ନେଇ ପୁଣି ଉଠିଛି ବଡ ପ୍ରଶ୍ନ। ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ପାଠ୍ୟ ପୁସ୍ତକରେ ବ୍ୟାପକ ତ୍ରୁଟିକୁ ନେଇ ଜୋର ଧରିଛି ବିବାଦ। ଏ ସମ୍ପର୍କରେ କମିଟି ଗଠନ କରି ତଦନ୍ତ କରିବାକୁ ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ଆଜି ଏହି କମିଟି ଗଠନ କରାଯାଇଛି। ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓ ରଞ୍ଜନ କୁମାର ସିଂହଙ୍କ ଅଧ୍ୟକ୍ଷରେ ତିନି ଜଣିଆ କମିଟି ଗଠିତ ହୋଇଛି। ପାଠ୍ୟ ପୁସ୍ତକରେ ତୃଟି କେମିତି ଓ କାହିଁକି ହେଲା ସେନେଇ ତଦନ୍ତ ଆରମ୍ଭ କରିବା ସହ, ସାତ ଦିନ ମଧ୍ୟରେ ରିପୋର୍ଟ ପ୍ରଦାନ କରିବାକୁ ରହିଛି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ଏହି କମିଟିର ଅନ୍ୟ ଦୁଇଜଣ ସଦସ୍ୟ ହେଲେ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ଶ୍ରୀ ବିଜୟ କେତନ ଉପାଧ୍ୟାୟ ଏବଂ ସାଧାରଣ ପ୍ରଶାସନ ବିଭାଗର ଉପ-ସଚିବ ଶ୍ରୀମତୀ ସ୍ମିତା ପାଣି। ସୂଚନା ଅନୁସାରେ, ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ନୂତନ ପାଠ୍ୟ ପୁସ୍ତକରେ ୧୬୭୮ଟି ତ୍ରୁଟି ରହିଛି । ପୁସ୍ତକଙ୍କ ତଥ୍ୟଗତ, ଭାଷାଗତ ତ୍ରୁଟି ଥିବା ନେଇ ଅଭିଭାବକ, ଶିକ୍ଷାବିତ୍ ଓ ବିରୋଧି ଦଳ ପକ୍ଷରୁ ଆପତ୍ତି କରାଯାଇଥିଲା । ବର୍ତ୍ତମାନ ଏହି ପ୍ରସଙ୍ଗ ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ, ଏନେଇ ମୁଖ୍ୟମନ୍ତ୍ରୀ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଥିଲେ । ଏହା ଉପରେ କଡା ଆଭିମୁଖ୍ୟ ପ୍ରକାଶ କରି ଗତକାଲି ଏ ସମ୍ପର୍କରେ ସମୀକ୍ଷା କରିଥିଲେ। ସମୀକ୍ଷାରେ ମୁଖ୍ୟମନ୍ତ୍ରୀ ଏହି ତ୍ରୁଟି ଗୁଡିକୁ ତୁରନ୍ତ ସୁଧାରିବା ସହିତ ଏହି ଘଟଣାରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦ୍ଦେଶ ଦେଇଥିଲେ।
