ପାଠ୍ୟପୁସ୍ତକ ତୃଟିକୁ ନେଇ ଥାନାରେ ଏତଲା।
ପାଠ୍ୟପୁସ୍ତକ ତୃଟିକୁ ନେଇ ଥାନାରେ ହେଲା ମାମଲା ରୁଜୁ। କ୍ଷତି ଅର୍ଥ ଆଦାୟ କରିବାକୁ ଥାନାରେ ଏତଲା, କଡା କାର୍ଯ୍ୟାନୁଷ୍ଠାନ ଦାବି କଲା କଳିଙ୍ଗସେନା।

ଭୁବନେଶ୍ବର: ପାଠ୍ୟପୁସ୍ତକ ତୃଟିକୁ ନେଇ ହେଲା ମାମଲା ରୁଜୁ। ଥାନାରେ ଏତଲା ଦେଲା କଳିଙ୍ଗ ସେନା। ଓଡିଶାର ଛାତ୍ରଛାତ୍ରୀଙ୍କ ପାଇଁ ଓଡିଆ ଭାଷାରେ ପ୍ରକାଶିତ ପାଠ୍ୟପୁସ୍ତକରେ ଯେଉଁ ଅକ୍ଷମଣୀୟ ତ୍ରୁଟି ହୋଇଛି ସେଥିପାଇଁ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ, ଏହା ସହ ପୁସ୍ତକ ପ୍ରକାଶନ ଦାୟିତ୍ୱରେ ଥିବା ଅଧିକାରୀଙ୍କ ବିରୁଦ୍ଧରେ ମାମଲା ରୁଜୁ ସହିତ ସମସ୍ତ କ୍ଷତିପୂରଣ ଅର୍ଥ ସେମାନଙ୍କ ଠାରୁ ଆଦାୟ ପାଇଁ ଦାବି କରିଛି କଳିଙ୍ଗସେନା । ସୂଚନା ଅନୁସାରେ, ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ନୂଆ ପାଠ୍ୟ ପୁସ୍ତକରେ ୧୬୭୮ଟି ତ୍ରୁଟି ରହିଛି । ସଦ୍ୟ ପ୍ରକାଶିତ ଓଡିଆ ପାଠ୍ୟପୁସ୍ତକରେ ଯେଉଁଭଳି ଭାବେ ହଜାର ହଜାର ତ୍ରୁଟି ପରିଲକ୍ଷିତ ହୋଇଛି ତାହା ଓଡିଶା ଶିକ୍ଷା ଇତିହାସରେ ବିରଳ । ଏଥିରେ କେବଳ ବରପୁତ୍ରମାନଙ୍କ ସଂକ୍ରାନ୍ତରେ ବିଭ୍ରାନ୍ତିକର ତଥ୍ୟ ପ୍ରଦାନ କରାଯାଇଛି ତାହା ନୁହେଁ, ବଂର ଓଡିଶା ବିଧାନସଭାର ଫଟୋଚିତ୍ର ସ୍ଥାନରେ କର୍ଣ୍ଣାଟକ ବିଧାନସଭାର ଫଟୋଚିତ୍ର ଲଗାଯାଇଛି । ଏଥିରୁ ଗୋଟିଏ କଥା ସ୍ପଷ୍ଟ ହେଉଛି ଯେ, ଓଡିଆ ଛାତ୍ରଛାତ୍ରୀଙ୍କ ପାଇଁ ବିଭାଗୀୟ ମନ୍ତ୍ରୀ କିମ୍ବା ଅଫିସର କେହି ସମ୍ବେଦନଶୀଳ ନୁହନ୍ତି । ବହି ପିଲାଙ୍କ ପାଖକୁ ଯିବା ପୂର୍ବରୁ ଅନ୍ତତଃ ଥରୁଟିଏ ଆଖି ପକାଇ ଦେଇଥିଲେ ଏଭଳି ହୋଇନଥାନ୍ତା। ଯେଉଁ ସଂସ୍ଥା କିମ୍ବା ସରକାରୀ ବ୍ୟକ୍ତି ବିଶେଷ ଏହି ପୁସ୍ତକ ପ୍ରକାଶନ ଦାୟିତ୍ୱରେ ଥିଲେ ଓ ସେମାନେ କେତେ ଟଙ୍କା ନେଇଛନ୍ତି ତାହା ପୋଲିସ ତଦନ୍ତ କରି ସାର୍ବଜନୀନ କରନ୍ତୁ । ଲକ୍ଷାଧିକ ପୁସ୍ତକ ଛପେଇ ଅର୍ଥ ପାଣିରେ ପଡିଥିବାରୁ ତୁରନ୍ତ ଏହି ସଂସ୍ଥାକୁ କଳା ତାଲିକାଭୁକ୍ତ କରିବା ସହ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ଗିରଫ କରାଯିବା ସହ ସେମାନଙ୍କ ଠାରୁ ସମସ୍ତ ଅର୍ଥ ଆଦାୟ କରିବାକୁ ସେନା ଦାବି କରିଛି। କଠୋର ପଦକ୍ଷେପ ଗ୍ରହଣ କରି ଛାତ୍ରଛାତ୍ରୀଙ୍କୁ ସଂଶୋଧିତ ସଠିକ୍ ପାଠ୍ୟପୁସ୍ତକ ଯୋଗାଇ ଦେବାପାଇଁ ଆଜି କଳିଙ୍ଗ ସେନା ତରଫରୁ, ସେନାର ସାଧାରଣ ସମ୍ପାଦକ ଇଂ ସ୍ବାତୀଶ ରଞ୍ଜନ ସାହୁ,ବିଜୟ ରାଜ, ଇଂ ମନୋଜ ନାୟକ, ମୋନାଲିଶ ବିଶ୍ବାଳ ପ୍ରମୁଖ ଆଜି କ୍ୟାପିଟାଲ ଥାନରେ ଏତଲା ଦେଇଛନ୍ତି । ତେବେ ବହିରେ ତଥ୍ୟଗତ, ଭାଷାଗତ ତ୍ରୁଟି ଥିବା ନେଇ ଅଭିଭାବକ, ଶିକ୍ଷାବିତ୍ ଓ ବିରୋଧି ଦଳ ପକ୍ଷରୁ ଆପତ୍ତି କରାଯାଇଥିଲା । ବର୍ତ୍ତମାନ ଏହି ପ୍ରସଙ୍ଗ ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଏହାର ତଦନ୍ତ ପାଇଁ ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନିର୍ଦ୍ଦେଶରେ ଆଜି ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓ ରଞ୍ଜନ କୁମାର ସିଂହଙ୍କ ଅଧ୍ୟକ୍ଷରେ ତିନି ଜଣିଆ କମିଟି ଗଠିତ ହୋଇ ତଦନ୍ତ ଜାରି ରହିଛି।
