ଆଉ ନାହାନ୍ତି 'ଗଜନୀ'ର ଖଳନାୟକ ପ୍ରଦୀପ ରାୱତ
ଆରପାରିରେ ଭାରତୀୟ ସିନେମାର ବରିଷ୍ଠ ଅଭିନେତା ପ୍ରଦୀପ ରାୱତ, କ୍ୟାନ୍ସର ସହ ଦୀର୍ଘ ସଂଘର୍ଷ ପରେ ନିଧନ। ୭୪ ବର୍ଷ ବୟସରେ ଶେଷ ନିଶ୍ୱାସ କଲେ ତ୍ୟାଗ। 'ମହାଭାରତ'ର ଅଶ୍ୱତ୍ଥାମା ଭୂମିକା ପାଇଁ ଘରେ ଘରେ ଥିଲେ ପରିଚିତ।
ମୁମ୍ବାଇ: ଆଉ ନାହାନ୍ତି 'ଗଜନୀ'ର ଖଳନାୟକ ପ୍ରଦୀପ ରାୱତ। ଭାରତୀୟ ସିନେମାରେ ଦମଦାର ନେଗେଟିଭ୍ ଚରିତ୍ର ପାଇଁ ପରିଚିତ ଏବଂ ବି.ଆର୍. ଚୋପ୍ରାଙ୍କ ଲୋକପ୍ରିୟ ଧାରାବାହିକ ମହାଭାରତରେ 'ଅଶ୍ୱତ୍ଥାମା' ଭୂମିକାରେ ଘରେ ଘରେ ପରିଚିତ ହୋଇଥିବା ବରିଷ୍ଠ ଅଭିନେତା ପ୍ରଦୀପ ରାୱତଙ୍କର ୭୪ ବର୍ଷ ବୟସରେ କ୍ୟାନ୍ସର ସହ ଦୀର୍ଘ ସଂଘର୍ଷ ପରେ ପରଲୋକ ଘଟିଛି। ତାଙ୍କ ଦେହାନ୍ତ ଖବରକୁ ମ୍ୟାନେଜର ସିଦ୍ଧାର୍ଥ ତିୱାରୀ ସୁନିଶ୍ଚିତ କରିଛନ୍ତି। ସେ କହିଛନ୍ତି ଯେ, ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୬ଟାରୁ ୬ଟା ୩୦ ମିନିଟ୍ ମଧ୍ୟରେ ପ୍ରଦୀପ ରାୱତ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଚାରି ବର୍ଷ ପୂର୍ବେ ସେ କ୍ୟାନ୍ସରକୁ ପରାସ୍ତ କରିଥିଲେ। କିନ୍ତୁ ପ୍ରାୟ ଦେଢ଼ ମାସ ପୂର୍ବରୁ ପୁଣିଥରେ ରୋଗ ଫେରି ଆସିଥିଲା ଏବଂ ସେ ଗତ ଏକ ମାସ ଧରି ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ସିଦ୍ଧାର୍ଥ ତିୱାରୀ କହିଛନ୍ତି, "ହଠାତ୍ ତାଙ୍କର ପ୍ଲେଟଲେଟ୍ ସଂଖ୍ୟା କମିଯାଇଥିଲା। ଏହା ପରେ ତାଙ୍କ ସ୍ୱାସ୍ଥ୍ୟ ଆଉ ସୁଧୁରି ପାରିନଥିଲା।"
ଅଭିନେତା ଯଶପାଲ ଶର୍ମା ଏକ ସୋସିଆଲ ମିଡିଆ ପୋଷ୍ଟରେ ଏହି ଖବରକୁ ସେୟାର କରିଛନ୍ତି । ସେ ଲେଖିଛନ୍ତି "ଆମର ଗଜନୀ, ଲଗାନର ଦେବା ପ୍ରଦୀପ ରାୱତ ଆଉ ନାହାନ୍ତି, ଓମ୍ ଶାନ୍ତି" ବୋଲି ଶ୍ରଦ୍ଧାଞ୍ଜଳି ଜଣାଇ ପ୍ରଥମେ ଏହି ଖବର ସେୟାର କରିଥିଲେ। ଏହାପରେ ଚଳଚ୍ଚିତ୍ର ଜଗତ ଓ ତାଙ୍କ ଅସଂଖ୍ୟ ପ୍ରଶଂସକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଚାରି ଦଶନ୍ଧିରୁ ଅଧିକ ସମୟ ଧରି ପ୍ରଦୀପ ରାୱତ ହିନ୍ଦୀ, ତେଲୁଗୁ, ତାମିଲ, କନ୍ନଡ, ମଲାୟାଲମ, ବଙ୍ଗଳା, ଭୋଜପୁରୀ, ମରାଠୀ ଏବଂ ନେପାଳୀ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ମହାଭାରତରେ ଅଶ୍ୱତ୍ଥାମା ଚରିତ୍ର ତାଙ୍କୁ ଘରେ ଘରେ ପରିଚିତ କରାଇଥିଲା। ପରେ ସେ ଲଗନରେ ଦେବା ସିଂହ, ଗଜନୀରେ ଭୟଙ୍କର ଖଲନାୟକ ଗଜନୀ ଧର୍ମାତ୍ମା ଏବଂ ଏହାର ହିନ୍ଦୀ ରିମେକ୍ରେ ମଧ୍ୟ ସେହି ଚରିତ୍ରରେ ଦମଦାର ଅଭିନୟ କରି ବ୍ୟାପକ ପ୍ରଶଂସା ସାଉଁଟିଥିଲେ।
ଏସ୍.ଏସ୍. ରାଜାମୌଳୀଙ୍କ ସାଏ ଚଳଚ୍ଚିତ୍ରରେ ବିକ୍ଷୁ ଯାଦବ ଭୂମିକା ତାଙ୍କ କ୍ୟାରିୟରର ଏକ ଗୁରୁତ୍ୱପୂର୍ଣ୍ଣ ମୋଡ଼ ଥିଲା। ଏହା ବ୍ୟତୀତ ସେ ସରଫରୋଶ, ଦ ହିରୋ: ଲଭ ଷ୍ଟୋରୀ ଅଫ ଏ ସ୍ପାଏ, ଷ୍ଟାଲିନ, ରାଉଡି ରାଠୋର, ବୀରମ, ସାରନାଇଡୁ, ୱାଲ୍ଟେୟାର ବୀରୟ୍ୟା, ଗୁଲୁ ଗୁଲୁ ଓ ଛାୱା ସହ ଅନେକ ସଫଳ ଚଳଚ୍ଚିତ୍ରରେ ନିଜର ଅଭିନୟର ଛାପ ଛାଡ଼ିଛନ୍ତି। ତାଙ୍କ ବିୟୋଗ ଭାରତୀୟ ସିନେମା ଜଗତ ପାଇଁ ଏକ ଅପୂରଣୀୟ କ୍ଷତି।
