ଶହେରୁ ଅଧିକ ଫିଲ୍ମରେ ଆକ୍ଟର- ଏବେ ବୃଦ୍ଧାଶ୍ରମରେ କଟୁଛି ଜୀବନ
ଗୋଟିଏ ସମୟରେ ତାମିଲ, ତେଲୁଗୁ ଓ ମାଲାୟାଲମ ସିନେମାରେ ନିଜର ଦବଦବା ଜାହିର କରୁଥିଲେ ମୋହନ ଶର୍ମା। ଆଉ ଆଜି ପରିଣତ ବୟସରେ ଚେନ୍ନାଇର ଏକ ବୃଦ୍ଧାଶ୍ରମରେ ରୋଗଭର୍ତ୍ତି ଓ ପରିଚୟ ହଜିଯାଇଥିବା ଏକ ବ୍ୟକ୍ତି ଭାବେ କାଳାତିପାତ କରୁଛନ୍ତି। ଯେଉଁ ମଣିଷ ଡଜନରୁ ଅଧିକ ଫିଲ୍ମକୁ ପ୍ରଡ୍ୟୁସ୍ କରିଥିଲେ ଓ ଶହେରୁ ଅଧିକ ଫିଲ୍ମରେ ମୁଖ୍ୟ ଅଭିନେତା ସାଜିଥିଲେ, ସେ ଆଜି ନିଜର ଔଷଧ ଓ ମାସିକ ଖର୍ଚ୍ଚ ତୁଲାଇବାକୁ ପର ଉପରେ ନିର୍ଭରଶୀଳ।

ଶହେରୁ ଅଧିକ ଫିଲ୍ମରେ କାମ କରିଛନ୍ତି। ଏକଦା ତାମିଲନାଡ଼ୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ପଡ଼ୋଶୀ ବି ଥିଲେ। ହେଲେ ଏବେ ବୃଦ୍ଧାଶ୍ରମରେ କଟୁଛି ଦିନ। ଦକ୍ଷିଣ ଭାରତ ସିନେମାର ପ୍ରଖ୍ୟାତ ଅଭିନେତା ତଥା ନିର୍ମାତା ମୋହନ ଶର୍ମାଙ୍କ ଦୁରାବସ୍ଥା ଯିଏ ଦେଖିବ, ତାଜୁବ ହୋଇଯିବ। ଆର୍ଥିକ ଦୁର୍ଦ୍ଦଶା ଓ ବେମାରି କାରଣରୁ ସେ ଏବେ ବୃଦ୍ଧାଶ୍ରମରେ ରହିବାକୁ ବାଧ୍ୟ ହୋଇଛନ୍ତି। କରଜଭାରରେ ବୁଡ଼ିବା ସାଙ୍ଗକୁ ପାରିବାରିକ ବିବାଦରେ ଘେରି ରହିଥିବା ମୋହନଙ୍କୁ ଏ ଅସମୟରେ ସହଯୋଗ କରିବାକୁ ଆଗେଇ ଆସିଛନ୍ତି ସୁପରଷ୍ଟାର ରଜନୀକାନ୍ତ। ବଲିଉଡ୍ ଫିଲ୍ମ ଇଣ୍ଡଷ୍ଟ୍ରିର ରଙ୍ଗୀନ ଦୁନିଆ ବାହାରୁ ଯେତିକି ଚମକପ୍ରଦ ଦେଖାଯାଏ, ବାସ୍ତବରେ ଭିତରୁ ନିରିଖେଇ ଦେଖିଲେ ସେତିକି ଅନିଶ୍ଚିତତା ଭିତରେ ଭର୍ତ୍ତି ହୋଇଥାଏ। ଏଠାରେ ସଫଳତା ଓ ଷ୍ଟାରଡମର କୌଣସି ପକ୍କା ଗ୍ୟାରେଣ୍ଟି ନଥାଏ। ଗୋଟିଏ ଛୋଟିଆ ଭୁଲ୍ ବା ଆର୍ଥିକ କ୍ଷତି ମଣିଷକୁ ରାତାରାତି ତଳେ ପକାଇଦିଏ। ଭାରତୀୟ ସିନେମା ଇଣ୍ଡଷ୍ଟ୍ରି ଇତିହାସରେ ଏମିତି ଅନେକ କଳାକାର ଅଛନ୍ତି। ଯିଏ ନିଜ ସମୟରେ ଅପାର ଲୋକପ୍ରିୟତା ହାସଲ କରିଛନ୍ତି। କିନ୍ତୁ ଜୀବନର ଅନ୍ତିମ ପର୍ଯ୍ୟାୟରେ ହଜିଯାଇଛନ୍ତି। ଆଉ କଷଣ ଓ ଦୁର୍ଦ୍ଦଶାରେ କଟାଇଛନ୍ତି ଶେଷଜୀବନ। ଗୋଟିଏ ସମୟରେ ତାମିଲ, ତେଲୁଗୁ ଓ ମାଲାୟାଲମ ସିନେମାରେ ନିଜର ଦବଦବା ଜାହିର କରୁଥିଲେ ମୋହନ ଶର୍ମା। ଆଉ ଆଜି ପରିଣତ ବୟସରେ ଚେନ୍ନାଇର ଏକ ବୃଦ୍ଧାଶ୍ରମରେ ରୋଗଭର୍ତ୍ତି ଓ ପରିଚୟ ହଜିଯାଇଥିବା ଏକ ବ୍ୟକ୍ତି ଭାବେ କାଳାତିପାତ କରୁଛନ୍ତି। ଯେଉଁ ମଣିଷ ଡଜନରୁ ଅଧିକ ଫିଲ୍ମକୁ ପ୍ରଡ୍ୟୁସ୍ କରିଥିଲେ ଓ ଶହେରୁ ଅଧିକ ଫିଲ୍ମରେ ମୁଖ୍ୟ ଅଭିନେତା ସାଜିଥିଲେ, ସେ ଆଜି ନିଜର ଔଷଧ ଓ ମାସିକ ଖର୍ଚ୍ଚ ତୁଲାଇବାକୁ ପର ଉପରେ ନିର୍ଭରଶୀଳ। ଭର୍ସାଟାଇଲ ଆକ୍ଟର ଭାବେ ପରିଚିତ ମୋହନ। ବିଭିନ୍ନ ଭାଷାରେ ୫୦ରୁ ଅଧିକ ଫିଲ୍ମରେ ସଶକ୍ତ ଚରିତ୍ର ଅଭିନେତା ଭାବେ ଅଭିନୟର ଛାପ ଛାଡ଼ିଛନ୍ତି। ସିନେମା ଇଣ୍ଡଷ୍ଟ୍ରିରେ ତାଙ୍କର କ୍ୟାରିଅରର ଗ୍ରାଫ୍ ଦେଖିଲେ କୁହାଯାଇପାରିବ। ଦକ୍ଷିଣ ଭାରତର ସମସ୍ତ ୪ ପ୍ରମୁଖ ଭାଷା ତାମିଲ, ତେଲୁଗୁ, ମାଲାୟାଲମ ଓ କନ୍ନଡ଼ ଫିଲ୍ମ ତିଆରି କରିଥିବା ପ୍ରଥମ ନିର୍ମାତା ଥିଲେ ମୋହନ ଶର୍ମା। ସେ ସାଉଥ୍ ଇଣ୍ଡିଆନ ଫିଲ୍ମ ଚାମ୍ୱର ଅଫ କମର୍ସ ଅଧ୍ୟକ୍ଷ ଭାବେ କାମ କରିଥିଲେ। ଚଟ୍ଟାକାରୀ, ନେଲ୍ଲୁ, ସାଗରା ସଙ୍ଗମାମ, ସୁଲଭ ଓ ଫ୍ରେଣ୍ଡସ ଭଳି ଅନେକ ହିଟ୍ ଫିଲ୍ମରେ ନିଜ ଅଭିନୟ ଜାଦୁଗରିର ଛାପ ଛାଡ଼ିଛନ୍ତି। ତେବେ ମୋହନ ଶର୍ମାଙ୍କ ଜୀବନରେ ଟ୍ରାଜେଡି ଆସିଥିଲା, ଯେବେ ସେ ନିଜର ମହତ୍ତ୍ୱକାଂକ୍ଷୀ ଦ୍ୱିଭାଷୀ ଫିଲ୍ମ ଗ୍ରାମମ ଓ ନମ୍ମା ଗ୍ରାମମ ନିର୍ମାଣ କଲେ। ଏହି ଫିଲ୍ମ ସମୀକ୍ଷକଙ୍କ ଦ୍ୱାରା ବେଶ୍ ପ୍ରଶଂସିତ ହେଲା ଓ ସେ ଅନେକ ରାଷ୍ଟ୍ରୀୟ ଓ ରାଜ୍ୟ ପୁରଷ୍କାର ବି ପାଇଲେ। କିନ୍ତୁ ଏ ଫିଲ୍ମ ବ୍ୟବସାୟିକ ଭାବେ ଫ୍ଲପ୍ ହୋଇଗଲା। ଫିଲ୍ମର ବଜେଟ ୧.୨୫ କୋଟି ରଖାଯାଇଥିଲା। ହେଲେ ଏହା ବଢ଼ି ବଢ଼ି ୨ କୋଟିରୁ ଅଧିକ ହୋଇଗଲା। ଫିଲ୍ମର ଥିଏଟର ରିଲିଜ, ପ୍ରଚାର ଓ ପୋଷ୍ଟର ଖର୍ଚ୍ଚ ଉଠାଇବାକୁ ମୋହନଙ୍କୁ ବଡ଼ ଧରଣର କରଜ କରିବାକୁ ପଡ଼ିଲା। କରଜ ବୋଝ ଉତାରିବାକୁ ତାଙ୍କ ଜୀବନର ସବୁଠୁ ବଡ଼ ସମ୍ପତ୍ତି, ଚେନ୍ନାଇର ପଶ୍ ଏରିଆରେ ପୋଏସ ଗାର୍ଡେନରେ ଥିବା ନିଜର ଲକଜରି ଫ୍ଲାଟ୍ ବିକିଦେଲେ। ପୋଏସ ଗାର୍ଡେନ ସେ ଏରିଆ ଯେଉଁଠି ତାମିଲନାଡ଼ୁର ପୂର୍ବତନ ସିଏମ ତଥା ବିଶିଷ୍ଟ ଅଭିନେତ୍ରୀ ଜୟଲଳିତାଙ୍କ ଘର ଥିଲା। ଜୟଲଳିତାଙ୍କ ପରାମର୍ଶରେ ହିଁ ସେ ଏ ଘର କିଣିଥିଲେ। ଏବେ ମୋହନଙ୍କ ମାସିକ ଔଷଧ ଖର୍ଚ୍ଚ ପ୍ରାୟ ୩୫ହଜାର ଟଙ୍କା ଆସୁଛି। ଯେବେ ତାଙ୍କ ଔଷଧ କିଣିବାକୁ ପାଖରେ ଅର୍ଥ ନାହିଁ। ସେଥିଲାଗି ରୋଟାରି କ୍ଲବର ତାଙ୍କ କିଛି ବନ୍ଧୁ ଯିଏ ବୃଦ୍ଧାଶ୍ରମର ଟ୍ରଷ୍ଟି ଅଛନ୍ତି, ସେଠାରେ ରହିବାକୁ ପରାମର୍ଶ ଦେଇଥିଲେ। ତାଙ୍କର ବ୍ୟକ୍ତିଗତ ଓ ପାରିବାରିକ ଜୀବନ ବି ବେଶ୍ ଉତଥାନ ପତ୍ତନରେ ଚାଲିଥିଲା। ୧୯୭୫ରେ ସେ ସହକଳାକାର ତଥା ପ୍ରଖ୍ୟାତ ଅଭିନେତ୍ରୀ ଲକ୍ଷ୍ମୀଙ୍କ ସହ ବିବାହ କରିଥିଲେ। କିନ୍ତୁ ୧୯୮୦ରେ ପରସ୍ପରଠୁ ଅଲଗା ହୋଇଗଲେ। ପରେ ଶାନ୍ତି ନାମକ ମହିଳାଙ୍କ ସହ ବିବାହ କଲେ ମୋହନ। ଏବେ ତାଙ୍କ ପତ୍ନୀ ଓ ଶାଳକଙ୍କ ସହ ବିବାଦରୁ ତାଙ୍କୁ ଆପାର୍ଟମେଣ୍ଟରୁ ବାହାରିବାକୁ ପଡ଼ିଲା। କାରଣ ଆପାର୍ଟମେଣ୍ଟ ପତ୍ନୀଙ୍କ ନାଁରେ ଅଛି। ତାଙ୍କର ଏକମାତ୍ର ପୁଅ, ଯିଏ ଜର୍ମାନୀରେ ରହୁଛନ୍ତି। ସେ ବି ନିଜ ଘରର ଇଏମଆଇ ଭରୁଥିବାରୁ ବାପାଙ୍କୁ ଆର୍ଥିକ ସାହାଯ୍ୟ କରିବାକୁ ଅସମର୍ଥ। ଗମ୍ଭୀର ଆର୍ଥିକ ସଂକଟ ଭିତରେ ମୋହନଙ୍କୁ ସାହାଯ୍ୟ ଓ ସହଯୋଗର ହାତ ବଢ଼ାଇବାକୁ ରଜନୀକାନ୍ତ ଆଗକୁ ଆସିଛନ୍ତି। ରଜନୀକାନ୍ତ ତାଙ୍କ ଆକାଉଣ୍ଟ ନମ୍ୱର ମାଗି ୧ଲକ୍ଷ ଟଙ୍କା ଟ୍ରାନ୍ସଫର କରିଛନ୍ତି। ମୁଖ୍ୟମନ୍ତ୍ରୀ ଜୋସେଫ ବିଜୟଙ୍କୁ ସେ ୨୫ ବର୍ଷ ଧରି ଜାଣନ୍ତି। ତାଙ୍କ ଫିଲ୍ମରେ ବି ବିଜୟ କାମ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ସମୟ ମାଗିଛନ୍ତି ମୋହନ।
