ନୂଆ କୀର୍ତ୍ତିମାନ କଲେ ପ୍ରଧାନମନ୍ତ୍ରୀ ମୋଦି, ବାବା ଲିଙ୍ଗରାଜଙ୍କ ନିକଟରେ ରାଜ୍ୟ ବିଜେପିର ଦୀପ ଅର୍ପଣ
ଭୁବନେଶ୍ୱର: ଦେଶର ପ୍ରଧାନମନ୍ତ୍ରୀ ଭାବେ ନିରନ୍ତର ସେବା କରିବାର ଏକ ବିରଳ ଗୌରବ ଅର୍ଜନ କରିଛନ୍ତି ନରେନ୍ଦ୍ର ମୋଦି। ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ, ସୁସ୍ଥତା ଓ ନିରାମୟ ଜୀବନ କାମନା କରି ଆଜି ଭୁବନେଶ୍ୱରସ୍ଥିତ ପ୍ରସିଦ୍ଧ ଶ୍ରୀଲିଙ୍ଗରାଜ ମନ୍ଦିରରେ ଓଡ଼ିଶା ବିଜେପି ପକ୍ଷରୁ ବିଶେଷ ପୂଜାର୍ଚ୍ଚନା ଓ ଦୀପଦାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।

ଭୁବନେଶ୍ୱର: ଦେଶର ପ୍ରଧାନମନ୍ତ୍ରୀ ଭାବେ ନିରନ୍ତର ସେବା କରିବାର ଏକ ବିରଳ ଗୌରବ ଅର୍ଜନ କରିଛନ୍ତି ନରେନ୍ଦ୍ର ମୋଦି। ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ, ସୁସ୍ଥତା ଓ ନିରାମୟ ଜୀବନ କାମନା କରି ଆଜି ଭୁବନେଶ୍ୱରସ୍ଥିତ ପ୍ରସିଦ୍ଧ ଶ୍ରୀଲିଙ୍ଗରାଜ ମନ୍ଦିରରେ ଓଡ଼ିଶା ବିଜେପି ପକ୍ଷରୁ ବିଶେଷ ପୂଜାର୍ଚ୍ଚନା ଓ ଦୀପଦାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି ପୂଜାର୍ଚ୍ଚନାରେ ବିଜେପିର ରାଜ୍ୟ ସଭାପତି ତଥା ସାଂସଦ ମନମୋହନ ସାମଲ, ବିଧାୟକ ବାବୁ ସିଂହଙ୍କ ସମେତ ବହୁ ଦଳୀୟ କର୍ମୀ ଓ ସମର୍ଥକ ସାମିଲ ହୋଇଥିଲେ। ମହାପ୍ରଭୁ ଲିଙ୍ଗରାଜଙ୍କ ନିକଟରେ ପ୍ରଧାନମନ୍ତ୍ରୀଙ୍କ ସୁସ୍ଥତା ଏବଂ ଦେଶସେବାର ଅବିରତ ଯାତ୍ରା ପାଇଁ ଭକ୍ତିପୂତ ପ୍ରାର୍ଥନା କରାଯିବା ସହ ଶତାଧିକ ଦୀପଦାନ କରାଯାଇ ‘ବିକଶିତ ଭାରତ’ ଗଠନର ସଂକଳ୍ପ ନିଆଯାଇଥିଲା।
ଭାଙ୍ଗିଲା ନେହେରୁଙ୍କ ରେକର୍ଡ: ଏହି ଅବସରରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ଇତିହାସରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛନ୍ତି। ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଭାବେ ତାଙ୍କର ସମୁଦାୟ କାର୍ଯ୍ୟକାଳ ୮,୯୩୦ ଦିନ ଅତିକ୍ରମ କରି ସେ ଏକ ନୂତନ ରେକର୍ଡ ସ୍ଥାପନ କରିଛନ୍ତି। ସେହିପରି ଲଗାତାର ଭାବେ ୪,୩୯୯ ଦିନରୁ ଅଧିକ ସମୟ ପ୍ରଧାନମନ୍ତ୍ରୀ ଦାୟିତ୍ୱ ତୁଲାଇ ସେ ପଣ୍ଡିତ ଜବାହରଲାଲ ନେହେରୁଙ୍କ ନିରନ୍ତର ସେବାର ରେକର୍ଡକୁ ମଧ୍ୟ ପଛରେ ପକାଇ ଦେଇଛନ୍ତି।
ମୋଦି ସରକାରଙ୍କ ପ୍ରମୁଖ ସଫଳତା:
ଦାରିଦ୍ର୍ୟରୁ ମୁକ୍ତି: ମୋଦିଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ଯୋଗୁଁ ଦେଶର ପ୍ରାୟ ୨୫ କୋଟି ଲୋକ ଦରିଦ୍ରତା ସୀମାରୁ ଉପରକୁ ଉଠିଛନ୍ତି।
ଐତିହାସିକ ନିଷ୍ପତ୍ତି: ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଏବଂ ୩୫-ଏ ର ଉଚ୍ଛେଦ ଭଳି ସାହସିକ ପଦକ୍ଷେପ ଗ୍ରହଣ କରାଯାଇଛି।
ଜନକଲ୍ୟାଣ: ଦେଶର ୮୦ କୋଟିରୁ ଅଧିକ ଲୋକଙ୍କ ପାଇଁ ବିଭିନ୍ନ କଲ୍ୟାଣକାରୀ ଯୋଜନା ସଫଳତାର ସହ ଚାଲିଛି।
ରାମ ମନ୍ଦିର ନିର୍ମାଣ: ଶହ ଶହ ବର୍ଷର ସଙ୍ଘର୍ଷକୁ ସମାପ୍ତ କରି ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ସହ ପ୍ରତିଷ୍ଠା ହୋଇଛି।
ଅର୍ଥନୀତିରେ ମହାରଥୀ: ଭାରତ ଆଜି ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୀତି ଭାବେ ସ୍ଥାପିତ ହୋଇପାରିଛି। ବିକଶିତ ଭାରତର ସ୍ୱପ୍ନକୁ ସାକାର କରିବା ଏବଂ ପ୍ରଧାନମନ୍ତ୍ରୀଙ୍କ ହାତକୁ ଆହୁରି ମଜବୁତ କରିବା ଉଦ୍ଦେଶ୍ୟରେ ଓଡ଼ିଶା ବିଜେପି ପକ୍ଷରୁ ଆଜି ମହାପ୍ରଭୁଙ୍କ ଶରଣାପନ୍ନ ହୋଇ ଏହି ମହତ କାର୍ଯ୍ୟକ୍ରମ କରାଯାଇଛି ବୋଲି ଦଳୀୟ ନେତୃବୃନ୍ଦ ପ୍ରକାଶ କରିଛନ୍ତି।

