Pipili Chandua: ପିପିଲି ଚାନ୍ଦୁଆକୁ ନୂଆ ବଜାର ଦେବ ‘ଆପ୍ଲିକା ହବ୍’
ବଦଳିଛି ସମୟ, ବଦଳିଛି ବ୍ୟବସାୟର ଚିତ୍ର; ସମସ୍ୟା ଭିତରେ ପିପିଲିର ଚାନ୍ଦୁଆ କାରିଗର, ଆପ୍ଲିକା ହବ୍ ରୁ ନୂଆ ଆଶା ।
ପିପିଲି: ବଦଳିଛି ସମୟ, ବଦଳିଛି ବ୍ୟବସାୟର ଚିତ୍ର। ଦିନେ ଯେଉଁ ପିପିଲି ଚାନ୍ଦୁଆର ଚାହିଦା ଦେଶ ବିଦେଶରେ ରହିଥିଲା, ଏବେ ବଜାର ସଙ୍କଟ ଓ ବଦଳୁଥିବା ଗ୍ରାହକଙ୍କ ପସନ୍ଦ ମଧ୍ୟରେ ଚାନ୍ଦୁଆ କାରିଗରମାନେ ଚିନ୍ତାରେ। ତେବେ ଏହାରି ଭିତରେ ନୂଆ ଆଶା ଦେଖାଇଛି ସରକାରଙ୍କ ପ୍ରସ୍ତାବିତ ଆପ୍ଲିକା ହବ୍। ଐତିହାସିକ ଚାନ୍ଦୁଆ ସହର ଭାବେ ପରିଚିତ ପିପିଲି ଓଡ଼ିଶାର କାରିଗରୀ ପରମ୍ପରାର ଏକ ସ୍ୱତନ୍ତ୍ର ପରିଚୟ। ପୁରୀ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଯାଉଥିବା ପର୍ଯ୍ୟଟକ ହୁଅନ୍ତୁ କିମ୍ବା ପୁରୀରୁ ଫେରୁଥିବା ଯାତ୍ରୀ ପିପିଲି ବଜାରରେ ଚାନ୍ଦୁଆ ଦେଖି କିଛି ସମୟ ପାଇଁ ଅଟକିବା ଏକ ସାଧାରଣ ଦୃଶ୍ୟ ଥିଲା। ଘର ସଜାଇବାଠାରୁ ଆରମ୍ଭ କରି ଠାକୁରଙ୍କ ଆସ୍ଥାନ ପର୍ଯ୍ୟନ୍ତ, ପିପିଲି ଚାନ୍ଦୁଆର ରହିଛି ସ୍ୱତନ୍ତ୍ର ଚାହିଦା। କିନ୍ତୁ ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥ ସମ୍ପ୍ରସାରଣ ପରେ ବଦଳିଛି ପିପିଲି ବଜାରର ଚିତ୍ର। ବାଇପାସ୍ ରାସ୍ତାରେ ଯାତାୟାତ ବଢ଼ିବାରୁ ବଜାରକୁ ଆସୁଥିବା ଗ୍ରାହକଙ୍କ ସଂଖ୍ୟା କମିଥିବା କହୁଛନ୍ତି ବ୍ୟବସାୟୀ ଓ କାରିଗର। କେବଳ ରାସ୍ତା ନୁହେଁ, ଡିଜିଟାଲ ଯୁଗରେ ବଦଳିଛି ବଜାରର ଚାହିଦା ଓ ପର୍ଯ୍ୟଟକଙ୍କ ପସନ୍ଦ। ତେଣୁ ପିପିଲି ଚାନ୍ଦୁଆକୁ ବଡ଼ ବଜାର ଦେବା ସହ ଦେଶ ବିଦେଶରେ ଏହାର ପରିଚୟ ବଢ଼ାଇବା ପାଇଁ ଏବେ ଆଶା ସରକାରଙ୍କ ପ୍ରସ୍ତାବିତ ଆପ୍ଲିକା ହବ୍ ଉପରେ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପିପିଲି ଗସ୍ତ ସମୟରେ ଆପ୍ଲିକା ହବ୍ ପାଇଁ ୫୦ କୋଟି ଟଙ୍କାର ପ୍ରକଳ୍ପ ଘୋଷଣା ହୋଇଥିଲା। ପ୍ରଶାସନର ସୂଚନା ଅନୁସାରେ, ପ୍ରକଳ୍ପ ପାଇଁ ଜମି ଚିହ୍ନଟ ସରିଛି ଏବଂ DPR ମଧ୍ୟ ପ୍ରସ୍ତୁତ ହୋଇଛି। ଟେଣ୍ଡର ପ୍ରକ୍ରିୟା ପରେ ନିର୍ମାଣ କାମ ଆରମ୍ଭ ହେବା ନେଇ ଆଶା ରହିଛି। ଆପ୍ଲିକା ହବ୍ ନିର୍ମାଣ ହେଲେ ଗୋଟିଏ ସ୍ଥାନରେ ପର୍ଯ୍ୟଟକ ଚାନ୍ଦୁଆ ତିଆରିର ପ୍ରକ୍ରିୟା ଦେଖିବା ସହ କିଣାକିଣି କରିବାର ସୁଯୋଗ ପାଇପାରିବେ। ଏହାସହ ଡିଜିଟାଲ ପ୍ଲାଟଫର୍ମ ଜରିଆରେ ପିପିଲି ଚାନ୍ଦୁଆର ବଜାର ବଢ଼ାଇବା ନେଇ ମଧ୍ୟ ପ୍ରୟାସ ଚାଲିଥିବା କହିଛି ପ୍ରଶାସନ। କାରିଗରଙ୍କ ହାତର ନିପୁଣ କାରିଗରୀରେ ଦିନେ ବିଶ୍ୱ ଦରବାରରେ ପରିଚିତ ଥିଲା ପିପିଲି ଚାନ୍ଦୁଆ। ଏବେ ଏହାର ଭବିଷ୍ୟତ ନୂଆ ବଜାର ଓ ନୂଆ ପ୍ରଯୁକ୍ତି ସହ କେତେ ତାଳ ଦେଇପାରୁଛି, ତାହା ଉପରେ ନଜର। ସରକାରଙ୍କ ଆପ୍ଲିକା ହବ୍ ଓ ଡିଜିଟାଲ ପ୍ରଚାର ଯୋଜନା ଅନୁସାରେ ଆଗକୁ ବଢ଼ିଲେ, ଚାନ୍ଦୁଆ କାରିଗରଙ୍କ ବଜାର ଓ ଆଶା ଦୁଇଟି ହିଁ ବଢ଼ିପାରେ।
