Flood Disaster:ବନ୍ୟା ବିପତ୍ତି: ଅଣ୍ଟାଏ ପାଣି, ରିକ୍ସାରେ ବୁହା ହେଲା ଜୀବନ
ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକରେ ସୁବର୍ଣ୍ଣରେଖା ନଦୀର ବନ୍ୟା ବିପର୍ଯ୍ୟୟ ମଧ୍ୟରେ ସ୍ୱାସ୍ଥ୍ୟ ସେବା ଓ ଯୋଗାଯୋଗ ପ୍ରଭାବିତ | ବନ୍ୟା ପାଣି ଘେରରେ ଜଣେ ମହିଳା ଅସୁସ୍ଥ ହୋଇ ମୁର୍ଚ୍ଛା ଯିବା ପରେ ପକ୍କା ରାସ୍ତା ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବାରୁ ତାଙ୍କୁ ରିକ୍ସା ସାହାଯ୍ୟରେ ବହୁ କଷ୍ଟରେ ଡାକ୍ତରଖାନା ନିଆଯାଇଛି, ଯାହା ସ୍ଥାନୀୟ ପ୍ରଶାସନର ବିପର୍ଯ୍ୟୟ ପରିଚାଳନା ଉପରେ ପ୍ରଶ୍ନବାଚୀ ଉଠାଇଛି |

ବାଲେଶ୍ୱର:ସୁବର୍ଣ୍ଣରେଖା ନଦୀର ବନ୍ୟା ପରିସ୍ଥିତି ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକରେ ଗମ୍ଭୀର ସମସ୍ୟା ସୃଷ୍ଟି କରିଛି। ସମ୍ପୂର୍ଣ୍ଣ ଅଞ୍ଚଳ ଜଳବନ୍ଦୀ ଥିବା ବେଳେ ବନ୍ୟା ଘେର ମଧ୍ୟରେ ଜଣେ ରୋଗୀଙ୍କୁ ଡାକ୍ତରଖାନା ନେବା ବନ୍ୟାର କରୁଣ ଚିତ୍ରକୁ ସାମ୍ନାକୁ ଆଣିଛି | ଆମ୍ବୁଲେନ୍ସ ବଦଳରେ ରିକ୍ସାରେ ବୁହା ହେଲେ ଗୀତାଞ୍ଜଳି ଧଳ | ସୂଚନା ମୁତାବକ, ସେ ୭ ଦିନ ପୂର୍ବରୁ ନହରା ପଞ୍ଚାୟତର ମୁଣ୍ଢମାରୀ ଗାଁର ରାମହରି ସେଠିଙ୍କ ଘରକୁ ବନ୍ଧୁ ବାନ୍ଧବ ଭାବେ ଆସିଥିଲେ। ମାତ୍ର ସୁବର୍ଣ୍ଣରେଖାର ଅଚାନକ ବନ୍ୟା ଯୋଗୁଁ ଚାରିଆଡ଼େ ଜଳବନ୍ଦୀ ହେଇଯିବାରୁ ସେ ନିଜ ଘରକୁ ଫେରିପାରିନଥିଲେ।
ଆଜି ହଠାତ୍ ତାଙ୍କୁ ପ୍ରବଳ ମୁଣ୍ଡ ବୁଲାଇବା ସହ ସେ ତଳେ ପଡ଼ି ମୁର୍ଚ୍ଛା ହୋଇଯାଇଥିଲେ। ସେହି ପାଣି ଘେର ଭିତରୁ ତାଙ୍କୁ କିପରି ଚିକିତ୍ସା ପାଇଁ ହସ୍ପିଟାଲ ନିଆଯିବ, ସେ ନେଇ ପରିବାର ଓ ସ୍ଥାନୀୟ ଲୋକଙ୍କ ଚିନ୍ତା ଦ୍ୱିଗୁଣିତ ହୋଇଥିଲା। ସମ୍ପୃକ୍ତ ଅଞ୍ଚଳର ମୁଖ୍ୟ ପକ୍କା ରାସ୍ତାଟି ବନ୍ୟାରେ ସମ୍ପୂର୍ଣ୍ଣ ବିଧ୍ୱସ୍ତ ହୋଇ କୌଣସି ଚାରିଚକିଆ ଯାନ କିମ୍ବା ଆମ୍ବୁଲେନ୍ସ ପ୍ରବେଶ ସମ୍ଭବ ନଥିଲା। ଶେଷରେ ଉପାୟଶୂନ୍ୟ ହୋଇ ଗ୍ରାମବାସୀ ଏକ ହାତ ଚଳା ରିକ୍ସା ମାଧ୍ୟମରେ ରୋଗୀଙ୍କୁ ବନ୍ୟା ପାଣି ଓ କାଦୁଅ ଭିତରେ ବୋହି ବହୁ କଷ୍ଟରେ ମେଡିକାଲକୁ ନେଇଥିଲେ। ବାରମ୍ବାର ବନ୍ୟା ରେ ରାସ୍ତା ଭାଙ୍ଗି ଯାଇଥିବାରୁ ଜଥା ଶିଘ୍ର ରାସ୍ତା ନିର୍ମାଣ ପାଇଁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା |
