Flood threat:ତଳମୁଣ୍ଡରେ ବନ୍ୟା ଆଶଙ୍କା! ମହାନଦୀରେ ବଢୁଛି ଜଳସ୍ତର
ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ୨୮ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ ଜାରି ରହିଛି,ଯାହା ଫଳରେ ମହାନଦୀ ଓ ଶାଖା ନଦୀଗୁଡ଼ିକରେ ବଢୁଛି ଜଳସ୍ତର | ମୁଣ୍ଡଳି ବ୍ୟାରେଜ୍ଠାରେ ୭ ଲକ୍ଷ ୬୦ ହଜାରରୁ ଅଧିକ କ୍ୟୁସେକ୍ ବନ୍ୟା ଜଳ ପ୍ରବାହିତ ହେଉଥିବାରୁ ତଳମୁଣ୍ଡରେ ଏକ ମଧ୍ୟମ ଧରଣର ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ଦେଖାଦେଇଛି।

କଟକ:ପରମୁଣ୍ଡରୁ ଆସୁଥିବା ବିପୁଳ ଜଳରାଶିକୁ ନିୟନ୍ତ୍ରଣ କରିବା ପାଇଁ ହୀରାକୁଦ ଜଳଭଣ୍ଡାରର କର୍ତ୍ତୃପକ୍ଷ ବର୍ତ୍ତମାନ ସୁଦ୍ଧା ୨୮ଟି ଗେଟ୍ ଖୋଲି ବନ୍ୟା ଜଳ ନିଷ୍କାସନ କରୁଛନ୍ତି।ଏହା ପ୍ରଭାବରେ ମହାନଦୀର ତଳମୁଣ୍ଡରେ ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ବିଶେଷ କରି ମହାନଦୀ ସମେତ ଏହାର ବିଭିନ୍ନ ଶାଖା ନଦୀ ଯଥା ଦୟା, ଭାର୍ଗବୀ, କାଠଯୋଡ଼ି, ଚିତ୍ରୋତ୍ପଳା ଏବଂ ଲୁଣା ନଦୀର ଜଳସ୍ତର ଉପରେ ଚାପ ବଢ଼ିବାରେ ଲାଗିଛି,ଫଳରେ ନଦୀକୂଳିଆ ଅଞ୍ଚଳରେ ଏକ ପ୍ରକାର ଭୟର ପରିବେଶ ସୃଷ୍ଟି ହୋଇଛି। ଆଜି ସକାଳ ୯ଟା ସୁଦ୍ଧା କଟକର ମୁଣ୍ଡଳି ବ୍ୟାରେଜ୍ ଠାରେ ୭ ଲକ୍ଷ ୬୦ ହଜାର ୨୬୨ କ୍ୟୁସେକ୍ ବନ୍ୟା ପାଣି ପ୍ରବାହିତ ହେଉଥିବା ରେକର୍ଡ କରାଯାଇଛି, ଯାହା ଚଳିତ ବର୍ଷର ସର୍ବାଧିକ ପ୍ରବାହ ବୋଲି ଜଣାପଡ଼ିଛି।
ଏହି ବିପୁଳ ଜଳ ପ୍ରବାହ ଯୋଗୁଁ ମହାନଦୀ ଅବବାହିକାରେ ଏକ ଛୋଟରୁ ମଧ୍ୟମ ଧରଣର ବନ୍ୟା ପରିସ୍ଥିତି ସୃଷ୍ଟି ହେବା ନେଇ ଜଳସମ୍ପଦ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ନଦୀବନ୍ଧଗୁଡ଼ିକ ଉପରେ ଚବିଶି ଘଣ୍ଟିଆ ଜଗୁଆଳି ବ୍ୟବସ୍ଥା କରାଯାଇଥିବା ବେଳେ ସରକାରଙ୍କ ପକ୍ଷରୁ ଓଡ୍ରାଫ୍ (ODRAF) ଏବଂ ଅଗ୍ନିଶମ ବାହିନୀକୁ ଯେକୌଣସି ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ସଜାଗ ରଖାଯାଇଛି।
