ପାଣ୍ଡିଆନଙ୍କୁ ନୋଟିସ ପ୍ରସଙ୍ଗ: 'ବଦନାମ କରିବାର ଅଭିସନ୍ଧି' ବୋଲି କହିଲା ବିଜେଡି
ପୂର୍ବତନ ଆଇଏଏସ୍ ଅଧିକାରୀ ଭି.କେ. ପାଣ୍ଡିଆନଙ୍କୁ ନୋଟିସ ଜାରି ପ୍ରସଙ୍ଗରେ ବିଜେଡି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ଦଳର ବରିଷ୍ଠ ନେତା ଅତନୁ ସବ୍ୟସାଚୀ ନାୟକ କହିଛନ୍ତି ଯେ, ଏହା ପଛରେ ପାଣ୍ଡିଆନଙ୍କୁ ବଦନାମ କରିବାର ଅଭିସନ୍ଧି ରହିଛି।
ଭୁବନେଶ୍ୱର: ପୂର୍ବତନ ଆଇଏଏସ୍ ଅଧିକାରୀ ଭି.କେ. ପାଣ୍ଡିଆନଙ୍କୁ ନୋଟିସ ଜାରି ପ୍ରସଙ୍ଗରେ ବିଜେଡି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ଦଳର ବରିଷ୍ଠ ନେତା ଅତନୁ ସବ୍ୟସାଚୀ ନାୟକ କହିଛନ୍ତି ଯେ, ଏହା ପଛରେ ପାଣ୍ଡିଆନଙ୍କୁ ବଦନାମ କରିବାର ଅଭିସନ୍ଧି ରହିଛି। ଅତନୁ କହିଛନ୍ତି, ପ୍ରଥମେ ସରକାର ସ୍ପଷ୍ଟ କରନ୍ତୁ ଫାଇଲ ଚୋରି ହୋଇଛି ନା ହଜିଛି। ତାଙ୍କ ମତରେ, ଫାଇଲ କୌଣସି ଆଲମାରୀ କିମ୍ବା କାର୍ଯ୍ୟାଳୟରେ ରହିଯାଇଥାଇପାରେ। ଭଲଭାବେ ଖୋଜାଖୋଜି କଲେ ମୁଖ୍ୟମନ୍ତ୍ରୀଙ୍କ ସଚିବାଳୟ, ଗୃହ ବିଭାଗ କିମ୍ବା ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟାଳୟରୁ ମିଳିପାରିବ ବୋଲି ସେ କହିଛନ୍ତି। ସେ ଆହୁରି ଅଭିଯୋଗ କରିଛନ୍ତି ଯେ, ରାଜ୍ୟରେ ପାଠ୍ୟପୁସ୍ତକ ତ୍ରୁଟି ସମେତ ବିଭିନ୍ନ ପ୍ରସଙ୍ଗରେ ଜନଅସନ୍ତୋଷ ବଢ଼ୁଥିବା ବେଳେ ଲୋକଙ୍କ ଦୃଷ୍ଟି ଅନ୍ୟତ୍ର ଘୁଞ୍ଚାଇବା ପାଇଁ ପାଣ୍ଡିଆନଙ୍କୁ ନୋଟିସ ଜାରି କରାଯାଇଛି। ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟା ମାମଲା ପ୍ରସଙ୍ଗ ଉଠାଇ ଅତନୁ କହିଛନ୍ତି ଯେ, ନାଇଡୁ କମିଶନଙ୍କ ରିପୋର୍ଟ ୨୦୧୬ ମସିହାରେ ଦାଖଲ ହୋଇଥିଲା ଏବଂ ତାହା ସାର୍ବଜନୀନ ହୋଇସାରିଛି। ତେଣୁ ଏଭଳି ଫାଇଲ କେହି ଲୁଚାଇ ରଖିବାର ପ୍ରଶ୍ନ ଉଠୁନାହିଁ ବୋଲି ସେ କହିଛନ୍ତି। ଘରୋଇ ହସ୍ପିଟାଲ ଅଗ୍ନିକାଣ୍ଡ ଘଟଣାରେ ତତ୍କାଳୀନ ସ୍ୱାସ୍ଥ୍ୟମନ୍ତ୍ରୀ ଇସ୍ତଫା ଦେଇଥିବା ଉଦାହରଣ ଦେଇ ଅତନୁ କହିଛନ୍ତି, ବିଜେଡି ସରକାର ସମୟରେ ଘଟିଥିବା ତ୍ରୁଟିକୁ ଦଳ ସ୍ୱୀକାର କରିଥିଲା ଏବଂ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଇଥିଲା। ବର୍ତ୍ତମାନ ସରକାର ଏଭଳି ପ୍ରସଙ୍ଗରେ କଣ ପଦକ୍ଷେପ ନେଉଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି।
