ମଝି ଆକାଶରୁ ଗାଏବ ପାକିସ୍ତାନୀ କାର୍ଗୋ ବିମାନ, ୫ କ୍ରୁ ସଦସ୍ୟଙ୍କ ପାଇଁ ସମୁଦ୍ରରେ ଅପରେସନ୍
ୟୁଏଇର ଶାରଜାହରୁ ପାକିସ୍ତାନର କରାଚୀ ଅଭିମୁଖେ ଆସୁଥିବା ଏକ ପାକିସ୍ତାନୀ କାର୍ଗୋ ବିମାନ ମଝି ଆକାଶରୁ ନିଖୋଜ । ବିମାନର ସନ୍ଧାନ ପାଇଁ ପାକିସ୍ତାନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ବ୍ୟାପକ ଖୋଜାଖୋଜି ଜାରି । ବିମାନରେ ୫ ଜଣ କ୍ରୁ ସଦସ୍ୟ ଥିବା ଜଣାପଡ଼ିଛି।

ଲାହୋର: ୟୁଏଇର ଶାରଜାହରୁ ପାକିସ୍ତାନର କରାଚୀ ଅଭିମୁଖେ ଆସୁଥିବା ଏକ ପାକିସ୍ତାନୀ କାର୍ଗୋ ବିମାନ ମଝି ଆକାଶରୁ ନିଖୋଜ । ବିମାନରେ ୫ ଜଣ କ୍ରୁ ସଦସ୍ୟ ଥିବା ଜଣାପଡ଼ିଛି। ନିଖୋଜ ବିମାନର ସନ୍ଧାନ ପାଇଁ ପାକିସ୍ତାନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ବ୍ୟାପକ ଖୋଜାଖୋଜି ଅଭିଯାନ ଚାଲିଛି। ପାକିସ୍ତାନ ବିମାନବନ୍ଦର କର୍ତ୍ତୃପକ୍ଷ (PAA)ଙ୍କ ସୂଚନା ଅନୁସାରେ, ମଙ୍ଗଳବାର ରାତି ପ୍ରାୟ ୯ଟା ୧୮ ମିନିଟରେ କେ-୨ ଏୟାରୱେଜ୍ର ବୋଇଂ ୭୩୭ କାର୍ଗୋ ବିମାନ ଶାରଜାହରୁ କରାଚୀ ଅଭିମୁଖେ ଉଡ଼ାଣ ଭରିଥିଲା। ଉଡ଼ାଣ ସମୟରେ ବିମାନର ପାଇଲଟ୍ ନାଭିଗେସନ୍ ସିଷ୍ଟମରେ ସମସ୍ୟା ଥିବା ନେଇ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ (ATC)କୁ ସୂଚନା ଦେଇଥିଲେ।ଏହାର କିଛି ମିନିଟ୍ ପରେ ବିମାନଟି ରାଡାର ସହ ସମ୍ପର୍କ ହରାଇଥିଲା। ଫ୍ଲାଇଟ୍ ଟ୍ରାକିଂ ତଥ୍ୟ ଅନୁସାରେ, ବିମାନଟି ପ୍ରଥମେ ପ୍ରାୟ ୫ ହଜାର ଫୁଟ୍ ତଳକୁ ଖସିଥିଲା। ପରେ ହଠାତ୍ ଉପରକୁ ଉଠିଥିବା ବେଳେ ପୁଣି ଦ୍ରୁତ ଗତିରେ ତଳକୁ ଖସିଥିଲା। ଶେଷ ତଥ୍ୟ ଅନୁସାରେ, ବିମାନଟି ସମୁଦ୍ର ପତ୍ତନଠାରୁ ପ୍ରାୟ ୧୧୦୦ ଫୁଟ୍ ଉଚ୍ଚତାରେ ଥିଲା ଏବଂ ଅତ୍ୟଧିକ ବେଗରେ ତଳକୁ ଖସୁଥିଲା। କରାଚୀଠାରୁ ପ୍ରାୟ ୨୮୭ କିଲୋମିଟର ପଶ୍ଚିମରେ ବିମାନ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା। ବିମାନଟି ସମୁଦ୍ର ଅଞ୍ଚଳରେ ଖସିଥିବା ଆଶଙ୍କା କରାଯାଉଛି। ଘଟଣା ପରେ ପାକିସ୍ତାନ ନୌସେନା, ବାୟୁସେନା, ତଟରକ୍ଷୀ ବାହିନୀ ଏବଂ ଅନ୍ୟାନ୍ୟ ସଂସ୍ଥା ଉଦ୍ଧାର ଅଭିଯାନରେ ନିୟୋଜିତ କରାଯାଇଛି। କେ-୨ ଏୟାରୱେଜ୍ କହିଛି ଯେ, କମ୍ପାନି ପାକିସ୍ତାନ ସିଭିଲ୍ ଏଭିଏସନ୍ ଅଥରିଟି ଏବଂ ଅନ୍ୟ ସରକାରୀ ସଂସ୍ଥା ସହ ପୂର୍ଣ୍ଣ ସହଯୋଗ କରୁଛି। ବିମାନରେ ଥିବା ସମସ୍ତ କ୍ରୁ ସଦସ୍ୟଙ୍କ ସୁରକ୍ଷା ପାଇଁ ପ୍ରାର୍ଥନା କରୁଥିବା କମ୍ପାନି କହିଛି। ବିମାନରେ ଥିବା ୫ ଜଣଙ୍କ ମଧ୍ୟରେ ପାଇଲଟ୍ ମହମ୍ମଦ ରିଜୱାନ ଇଦ୍ରିସ୍, ଫାଷ୍ଟ ଅଫିସର ଫୈସଲ ମେହମୁଦ, ଲୋଡ୍ ମାଷ୍ଟର ମହମ୍ମଦ ତୌଫିକ୍ ଖାନ୍ ଏବଂ ଇଞ୍ଜିନିୟର ଆରିଫ ସିଦ୍ଦିକୀ ଓ ମହମ୍ମଦ ହାମିଦ ଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଏହି ବିମାନଟି କେ-୨ ଏୟାରୱେଜ୍ ୨୦୧୮ରେ ସ୍ଥାପିତ ଏକ ଘରୋଇ କାର୍ଗୋ ଏୟାରଲାଇନ୍। ନିଖୋଜ ବୋଇଂ-୭୩୭ ବିମାନଟି ପ୍ରାୟ ୨୭ ବର୍ଷ ପୁରୁଣା ଏବଂ ୨୦୨୪ରେ କେ-୨ ଏୟାରୱେଜ୍ରେ ସାମିଲ ହୋଇଥିଲା। ପୂର୍ବରୁ ଏହା ଯାତ୍ରୀବାହୀ ବିମାନ ଭାବେ ବ୍ୟବହୃତ ହେଉଥିଲା, ପରେ ଏହାକୁ କାର୍ଗୋ ବିମାନରେ ପରିଣତ କରାଯାଇଥିଲା। ବର୍ତ୍ତମାନ ଉଦ୍ଧାରକାରୀ ଦଳ ସମୁଦ୍ର ଅଞ୍ଚଳରେ ବିମାନର ଧ୍ୱଂସାବଶେଷ ଏବଂ ୫ ଜଣ କ୍ରୁ ସଦସ୍ୟଙ୍କୁ ଠାବ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। ଘଟଣାକୁ ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ୍ ମଧ୍ୟ ଶୋକ ପ୍ରକାଶ କରିଛନ୍ତି।
