ପାକିସ୍ତାନରେ ଭୟଙ୍କର ବସ୍ ଦୁର୍ଘଟଣା: ୪୦ ମୃତ, ୮ ଆହତ
ଦକ୍ଷିଣ- ପଶ୍ଚିମ ପାକିସ୍ତାନର ଖାଇବର ପଖତୁନଖ୍ୱାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ୪୦ ଜଣ ଯାତ୍ରୀ ମୃତ, ୮ ଜଣ ଆହତ ।
ପାକିସ୍ତାନର ଦକ୍ଷିଣ-ପଶ୍ଚିମ ଅଞ୍ଚଳର ଖାଇବର ପଖତୁନଖ୍ବାରେ ଶୁକ୍ରବାର ସକାଳେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୪୦ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୮ ଜଣ ଆହତ ହୋଇଛନ୍ତି । ଦ୍ରୁତଗତି ସହ ଅତ୍ୟଧିକ ଯାତ୍ରୀ ବୋଝେଇ କରି ଆସୁଥିବା ବସ ଭାରସାମ୍ୟ ହରାଇ ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି । ସୂଚନାନୁଯାୟୀ, ବେଲୁଚିସ୍ତାନର କ୍ବେଟାରୁ ବସଟି ବାହାରି ପେଶାୱର ଅଭିମୁଖେ ଯାଉଥିଲା । ବାଲୋଚିସ୍ତାନ ଓ ଖାଇବର ପଖତୁନଖ୍ୱା ପ୍ରଦେଶ ସୀମା ନିକଟସ୍ଥ ଦାନା ସର ନାମକ ଦୁର୍ଗମ ଅଞ୍ଚଳରେ ବସଟି ନିୟନ୍ତ୍ରଣ ହରାଇ ଗଭୀର ଖାଇକୁ ଖସି ପଡ଼ିଥିଲା। । ଦୁର୍ଘଟଣା ସମୟରେ ବସରେ ୪୮ ଜଣ ଯାତ୍ରୀ ଥିବାବେଳେ ସେମାନଙ୍କ ମଧ୍ୟରୁ ୪୦ ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟପଟେ ଘଟଣାସ୍ଥଳରେ ଅନ୍ୟ ଆହତ ମାନଙ୍କୁ ଉଦ୍ଧାର କରିବା ସହ ମୃତକମାନଙ୍କ ପରିଚୟ ଚିହ୍ନଟ କରିବାରେ ଲାଗିଛନ୍ତି ଉଦ୍ଧାରକାରୀ ଦଳ । ଅନ୍ୟପଟେ, ପାକିସ୍ତାନର ରାଷ୍ଟ୍ରପତି ଆସିଫ ଅଲି ଜର୍ଦ୍ଦାରୀ ଏହି ଦୁର୍ଘଟଣାରେ ଗଭୀର ଶୋକ ପ୍ରକାଶ କରି ମୃତକଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ଆହତମାନଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି। ଆହତମାନଙ୍କୁ ସର୍ବୋତ୍ତମ ଚିକିତ୍ସା ସୁବିଧା ଯୋଗାଇବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ବାଲୋଚିସ୍ତାନର ମୁଖ୍ୟମନ୍ତ୍ରୀ ସରଫରାଜ ବୁଗ୍ଟି ମଧ୍ୟ ଏହି ଘଟଣାରେ ମୃତକଙ୍କ ପାଇଁ ଶୋକ ପ୍ରକାଶ କରି ଆହତମାନଙ୍କୁ ଉତ୍ତମ ଚିକିତ୍ସା ଯୋଗାଇବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।
