୧୫ ଦିନରେ ରିପୋର୍ଟ ଦିଅ, ଟେଲିଗ୍ରାମ୍କୁ କେନ୍ଦ୍ରର ନୋଟିସ୍
ଟେଲିଗ୍ରାମ୍କୁ ବ୍ୟାପକ ପାଇରେସୀ ପାଇଁ ସରକାରଙ୍କ ନୋଟିସ୍ । ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ନୋଟିସ୍ । ପାଇରେଟେଡ୍ ଫିଲ୍ମ୍, OTT କଣ୍ଟେଣ୍ଟ୍ ବିରୋଧରେ ପଦକ୍ଷେପ ନିର୍ଦ୍ଦେଶ । ୧୫ ଦିନ ମଧ୍ୟରେ ଆକ୍ସନ୍ ଟେକନ୍ ରିପୋର୍ଟ୍ ଦାଖଲ ନିର୍ଦ୍ଦେଶ ।

ନୂଆଦିଲ୍ଲୀ: ଟେଲିଗ୍ରାମ୍କୁ ବ୍ୟାପକ ପାଇରେସୀ ପାଇଁ ସରକାରଙ୍କ ନୋଟିସ୍ । ପାଇରେସି ଓ ଅବୈଧ OTT କଣ୍ଟେଣ୍ଟ ପ୍ରସାରଣ ବିରୋଧରେ କେନ୍ଦ୍ର ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ମେସେଜିଂ ପ୍ଲାଟଫର୍ମ ଟେଲିଗ୍ରାମରେ ପାଇରେଟେଡ୍ ଚଳଚ୍ଚିତ୍ର ଓ OTT ବିଷୟବସ୍ତୁ ବ୍ୟାପକ ଭାବେ ପ୍ରସାରଣ ହେଉଥିବା ଅଭିଯୋଗକୁ ନେଇ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଟେଲିଗ୍ରାମକୁ ନୋଟିସ୍ ଜାରି କରାଯାଇଛି। କପିରାଇଟ୍ ଉଲ୍ଲଂଘନ କରୁଥିବା ଚ୍ୟାନେଲ ଓ କଣ୍ଟେଣ୍ଟ ବିରୋଧରେ ତୁରନ୍ତ ଓ ପ୍ରଭାବଶାଳୀ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ କହିଛି, ମନ୍ତ୍ରଣାଳୟ ଟେଲିଗ୍ରାମକୁ ୧୫ ଦିନ ମଧ୍ୟରେ ଆକ୍ସନ ଟେକେନ୍ ରିପୋର୍ଟ (Action Taken Report) ଦାଖଲ କରିବାକୁ କହିଛି। ନୋଟିସ୍ ପରେ ପାଇରେସି ରୋକିବା ପାଇଁ କ’ଣ କାର୍ଯ୍ୟାନୁଷ୍ଠାନ ନିଆଗଲା ଏବଂ ଭବିଷ୍ୟତରେ ଏଭଳି କଣ୍ଟେଣ୍ଟ ପ୍ରସାରଣକୁ କିପରି ରୋକାଯିବ, ସେନେଇ ବିସ୍ତୃତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ରହିଛି। ସରକାରଙ୍କ କହିବା ଅନୁସାରେ, ପାଇରେଟେଡ୍ ଫିଲ୍ମ ଓ OTT କଣ୍ଟେଣ୍ଟର ଅନଲାଇନ୍ ଶେୟାର ଯୋଗୁଁ ଦେଶର ଚଳଚ୍ଚିତ୍ର ଶିଳ୍ପ, OTT ପ୍ଲାଟଫର୍ମ, ପ୍ରସାରଣକାରୀ, ପ୍ରଯୋଜକ ଓ ବିତରକମାନେ ବ୍ୟାପକ ଆର୍ଥିକ କ୍ଷତି ସହୁଛନ୍ତି। ତେଣୁ କପିରାଇଟ୍ ନିୟମ ଉଲ୍ଲଂଘନ କରୁଥିବା ବିଷୟବସ୍ତୁ ବିରୋଧରେ କଠୋର ପଦକ୍ଷେପ ନେବା ଆବଶ୍ୟକ। ସୂଚନା ଅନୁଯାୟୀ, ସରକାରଙ୍କ ଆଭିମୁଖ୍ୟ ଏବେ କେବଳ ଗୋଟିଏ ଗୋଟିଏ ଲିଙ୍କ୍ ହଟାଇବାରେ ସୀମିତ ନ ରହି ପ୍ଲାଟଫର୍ମଗୁଡ଼ିକୁ ପାଇରେସି ରୋକିବାରେ ଅଧିକ ଦାୟୀ କରିବା ଉପରେ ଗୁରୁତ୍ୱ ଦେଉଛି। ଆଇଟି ନିୟମ–୨୦୨୧ ଅନୁଯାୟୀ ମଧ୍ୟ ମଧ୍ୟସ୍ଥ ପ୍ଲାଟଫର୍ମମାନଙ୍କର କର୍ତ୍ତବ୍ୟ ହେଉଛି କପିରାଇଟ୍ ଉଲ୍ଲଂଘନକାରୀ ବିଷୟବସ୍ତୁକୁ ରୋକିବା ପାଇଁ ଯଥୋଚିତ ପଦକ୍ଷେପ ନେବା। ଉଲ୍ଲେଖଯୋଗ୍ୟ, NEET-UG ପୁନଃପରୀକ୍ଷା ସମୟରେ ପେପର୍ ଲିକ୍ ଓ ଭୁଲ ସୂଚନା ପ୍ରସାରଣ ଆଶଙ୍କାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର କିଛି ସମୟ ପାଇଁ ଟେଲିଗ୍ରାମ ଉପରେ ପ୍ରତିବନ୍ଧକ ଲଗାଇଥିଲେ। ନିକଟରେ ୟୁଜରନେମ୍ ଫିଚରକୁ ନେଇ ମଧ୍ୟ ଟେଲିଗ୍ରାମକୁ ନୋଟିସ୍ ପଠାଯାଇଥିଲା।ସରକାର ସ୍ପଷ୍ଟ କରିଛନ୍ତି ଯେ, ନିର୍ଦ୍ଧାରିତ ସମୟ ମଧ୍ୟରେ ଟେଲିଗ୍ରାମ ପ୍ରଭାବଶାଳୀ ପଦକ୍ଷେପ ନ ନିଏ, ତେବେ ଆଗାମୀ ଦିନରେ ଅଧିକ କଠୋର ଆଇନଗତ ଓ ନିୟାମକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ। ଏହା ଦେଶର ମିଡିଆ ଓ ମନୋରଞ୍ଜନ ଶିଳ୍ପକୁ ସୁରକ୍ଷା ଦେବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ସରକାର କହିଛନ୍ତି।
