ଇଜ୍ ଅଫ୍ ଡୁଇଙ୍ଗ ବିଜନେସ୍କୁ ମିଳିବ ବୁଷ୍ଟ; ଏଣିକି PMO କରିବ ଆଲୋଚନା
ଭାରତ-ଜାପାନ ବ୍ୟବସାୟିକ ସମ୍ପର୍କକୁ ମିଳିବ ନୂଆ ଗତି। ଭାରତରେ ବ୍ୟବସାୟିକ ଅନୁକୂଳ ପରିବେଶ ବା 'ଇଜ୍ ଅଫ୍ ଡୁଇଙ୍ଗ ବିଜନେସ୍'କୁ ଅଧିକ ସୁଦୃଢ଼ କରିବା ଓ ଜାପାନୀ ନିବେଶକଙ୍କ ସମସ୍ୟାର ସିଧାସଳଖ ସମାଧାନ ପାଇଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସ୍ୱତନ୍ତ୍ର ପଦକ୍ଷେପ ନିଆଯିବ।

ନୂଆଦିଲ୍ଲୀ: ଭାରତ-ଜାପାନ ବ୍ୟବସାୟିକ ସମ୍ପର୍କକୁ ମିଳିବ ନୂଆ ଗତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସ୍ୱତନ୍ତ୍ର 'ଜାପାନ ବିଜନେସ୍ ଉଇକ୍' (Japan Business Week) ଆୟୋଜନ କରିବାକୁ ଘୋଷଣା କରିଛନ୍ତି। ଭାରତରେ ବ୍ୟବସାୟିକ ଅନୁକୂଳ ପରିବେଶ ବା 'ଇଜ୍ ଅଫ୍ ଡୁଇଙ୍ଗ ବିଜନେସ୍'କୁ ଅଧିକ ସୁଦୃଢ଼ କରିବା ଓ ଜାପାନୀ ନିବେଶକଙ୍କ ସମସ୍ୟାର ସିଧାସଳଖ ସମାଧାନ ପାଇଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସ୍ୱତନ୍ତ୍ର ପଦକ୍ଷେପ ନିଆଯିବ। ଭାରତ-ଜାପାନ ମଧ୍ୟରେ ଅନୁଷ୍ଠିତ ଯୁଗ୍ମ ଅର୍ଥନୈତିକ ଫୋରମରେ ଯୋଗଦେଇ ପ୍ରଧାନମନ୍ତ୍ରୀ ଏହି ବଡ଼ ଘୋଷଣା କରିଛନ୍ତି । ଭାରତ ଏବଂ ଜାପାନ ମଧ୍ୟରେ ବଢ଼ିବ ଅର୍ଥନୈତିକ ଏବଂ ରଣନୀତିକ ସହଭାଗିତା। ଆଗାମୀ ଏକ ଦଶନ୍ଧି ମଧ୍ୟରେ ଭାରତରେ ୧୦ ଟ୍ରିଲିୟନ ୟେନର ଜାପାନୀ ନିବେଶ ପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି। ନୂଆଦିଲ୍ଲୀରେ ଆୟୋଜିତ ଭାରତ-ଜାପାନ ଯୁଗ୍ମ ଅର୍ଥନୈତିକ ଫୋରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଜାପାନର ପ୍ରଧାନମନ୍ତ୍ରୀ ସାନାଏ ତାକାଇଚି ଯୋଗଦେଇ ଦୁଇ ଦେଶର ବ୍ୟବସାୟିକ ସମ୍ପର୍କକୁ ଆଗକୁ ନେବାକୁ ଆଲୋଚନା କରିଛନ୍ତି। ଏହି ଅବସରରେ ଦୁଇ ରାଷ୍ଟ୍ରମୁଖ୍ୟ ହରିୟାଣାର ଖାରଖୋଦାଠାରେ ମାରୁତି ସୁଜୁକିର ଚତୁର୍ଥ ଯାନ ନିର୍ମାଣ କାରଖାନା (4th Vehicle Manufacturing Facility) ର ଉଦଘାଟନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ସାରା ବିଶ୍ୱରେ ସୁଜୁକିର ଦୁଇ-ତୃତୀୟାଂଶ କାର ଏବେ ଭାରତରେ ତିଆରି ହେଉଛି। ଏହାକୁ ପ୍ରାୟ ୧୦୦ରୁ ଅଧିକ ଦେଶକୁ ରପ୍ତାନି କରାଯାଉଛି। କେବଳ କାର୍ ନୁହେଁ, ୟାମାହା, କାୱାସାକି ଏବଂ ହୋଣ୍ଡା ଭଳି ଜାପାନୀ ବ୍ରାଣ୍ଡର ବାଇକ ମଧ୍ୟ ଭାରତରୁ ସାରା ବିଶ୍ୱକୁ ରପ୍ତାନି ହେଉଥିବାରୁ ଖୁସି ବ୍ୟକ୍ତ କରିଛନ୍ତି। ଜାପାନ ବ୍ୟାଙ୍କ ଫର ଇଣ୍ଟରନ୍ୟାସନାଲ କୋଅପରେସନର ସର୍ଭେ ଅନୁସାରେ, ଜାପାନୀ ବ୍ୟବସାୟ ପାଇଁ ଭାରତ କ୍ରମାଗତ ଭାବେ ଚତୁର୍ଥ ବର୍ଷ ପାଇଁ ସବୁଠାରୁ ଆଶାଜନକ ଗନ୍ତବ୍ୟ ସ୍ଥଳ ଭାବେ ବିବେଚିତ ହୋଇଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, କେନ୍ଦ୍ର ସରକାର ଟ୍ୟାକ୍ସେସନ ଏବଂ ଗଭର୍ଣ୍ଣାନ୍ସ କ୍ଷେତ୍ରରେ ବଡ଼ ଧରଣର ସଂସ୍କାର ଆଣିଛନ୍ତି। ଘରୋଇ ସେକ୍ଟର ପାଇଁ ସମସ୍ତ କ୍ଷେତ୍ର ଉନ୍ମୁକ୍ତ କରାଯିବା ସହ ପ୍ରୋତ୍ସାହନ ରାଶି ମଧ୍ୟ ଦିଆଯାଉଛି। ୱେଷ୍ଟ ଏସିଆ ସଙ୍କଟ କାରଣରୁ ବିଶ୍ୱ ସପ୍ଲାଇ ଚେନରେ ଅନିଶ୍ଚିତତା ଦେଖାଦେଇଥିଲେ ମଧ୍ୟ ଗତ ଆର୍ଥିକ ବର୍ଷରେ ଭାରତର ଜିଡିପି (GDP) ଅଭିବୃଦ୍ଧି ୭.୭ ପ୍ରତିଶତ ଛୁଇଁଛି, ଯାହା ଭାରତକୁ ବିଶ୍ୱର ସବୁଠାରୁ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ଭାବେ ପ୍ରମାଣିତ କରିଛି। ସୂଚନାଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ମୋଦିଙ୍କ ନିମନ୍ତ୍ରଣ କ୍ରମେ ଜାପାନ ପ୍ରଧାନମନ୍ତ୍ରୀ ଜୁଲାଇ ୧ରୁ ୩ ତାରିଖ ପର୍ଯ୍ୟନ୍ତ ଭାରତ ଗସ୍ତରେ ଆସିଛନ୍ତି। ଏହି ଗସ୍ତ କାଳରେ ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ଏବଂ ବାଣିଜ୍ୟ କ୍ଷେତ୍ରରେ କେତେକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ୱାକ୍ଷରିତ ହୋଇଛି।
