୨୩ ଜଣଙ୍କୁ ଆତଙ୍କୀ ଘୋଷଣା କଲା କେନ୍ଦ୍ର ଗୃହ ମନ୍ତ୍ରଣାଳୟ
କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଆତଙ୍କବାଦ ବିରୋଧରେ ଏକ ବଡ଼ ପଦକ୍ଷେପ ନେଇ ୨୩ ଜଣଙ୍କୁ ‘ଆତଙ୍କବାଦୀ’ ଭାବେ ଘୋଷଣା । ସମସ୍ତଙ୍କୁ UAPA ଆଇନର ଧାରା ୩୫ ଅନୁଯାୟୀ ଆତଙ୍କବାଦୀ ତାଲିକାରେ ସାମିଲ କରାଯାଇଛି।

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ କେନ୍ଦ୍ର ସରକାରଙ୍କ ବଡ଼ ଆକ୍ସନ । କେନ୍ଦ୍ର ଗୃହ ମନ୍ତ୍ରଣାଳୟ (MHA) ଆତଙ୍କବାଦ ବିରୋଧରେ ଏକ ବଡ଼ ପଦକ୍ଷେପ ନେଇ ୨୩ ଜଣଙ୍କୁ ‘ଆତଙ୍କବାଦୀ’ ଭାବେ ଘୋଷଣା କରିଛି। ଏହି ସମସ୍ତଙ୍କୁ UAPA ଆଇନର ଧାରା ୩୫ ଅନୁଯାୟୀ ଆତଙ୍କବାଦୀ ତାଲିକାରେ ସାମିଲ କରାଯାଇଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଟ୍ୱିଟ୍ କରି କହିଛନ୍ତି ଯେ, ଆତଙ୍କବାଦ ପ୍ରତି ସରକାରଙ୍କ ‘ଜିରୋ ଟଲରାନ୍ସ’ ନୀତି ଅନୁସାରେ ଏହି କଡ଼ା ପଦକ୍ଷେପ ନିଆଯାଇଛି। କେନ୍ଦ୍ର ସରକାରଙ୍କ ଗେଜେଟ୍ ବିଜ୍ଞପ୍ତି ଅନୁଯାୟୀ, UAPAର ଧାରା ୩୫ ଅନୁସାରେ ଏହି ୨୩ ଜଣଙ୍କ ନାମକୁ ଆଇନର ଚତୁର୍ଥ ଅନୁସୂଚୀରେ ସାମିଲ କରାଯାଇଛି। ଏହି ସମସ୍ତ ବ୍ୟକ୍ତି ପାକିସ୍ତାନ ଏବଂ ପାକିସ୍ତାନ ଅଧିକୃତ କାଶ୍ମୀର (PoJK) ରୁ ଭାରତ ବିରୋଧୀ ଆତଙ୍କବାଦୀ ନେଟୱର୍କ ଚଲାଉଥିଲେ । ସୂଚନା ଅନୁଯାୟୀ, ଘୋଷିତ ୨୩ ଜଣଙ୍କ ମଧ୍ୟରୁ ୧୭ ଜଣ ପାକିସ୍ତାନୀ ନାଗରିକ ହୋଇଥିବା ବେଳେ ୬ ଜଣ ଭାରତୀୟ ନାଗରିକ, ଯେଉଁମାନେ ବର୍ତ୍ତମାନ ପାକିସ୍ତାନରେ ଆଶ୍ରୟ ନେଇଛନ୍ତି। ସେମାନେ ଜୈଶ-ଇ-ମହମ୍ମଦ, ଲସ୍କର-ଇ-ତୋଏବା, ଜମାତ-ଉଦ-ଦାୱା ଏବଂ 'ଦି ରେଜିଷ୍ଟନ୍ସ ଫ୍ରଣ୍ଟ' (TRF) ଭଳି ପ୍ରତିବନ୍ଧିତ ଆତଙ୍କୀ ସଂଗଠନ ସହ ଜଡ଼ିତ ବୋଲି ସରକାର କହିଛନ୍ତି। ଏମାନେ ଜାମ୍ମୁ-କାଶ୍ମୀରରେ ଯୁବକମାନଙ୍କୁ ଆତଙ୍କବାଦୀ ସଂଗଠନରେ ନିଯୁକ୍ତି ଦେବା, ଡ୍ରୋନ ଜରିଆରେ ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ କରିବା ଏବଂ ଭାରତୀୟ ସେନା ଉପରେ ହୋଇଥିବା ପ୍ରମୁଖ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ଥିଲେ । ଉଲ୍ଲେଖଯୋଗ୍ୟ, ୨୦୧୯ ମସିହାରେ UAPA ଆଇନରେ ହୋଇଥିବା ସଂଶୋଧନ ପରେ କେନ୍ଦ୍ର ସରକାର କୌଣସି ସଂଗଠନ ସହିତ ବ୍ୟକ୍ତିଗତ ଭାବେ ମଧ୍ୟ କାହାକୁ ‘ଆତଙ୍କବାଦୀ’ ଘୋଷଣା କରିବାର କ୍ଷମତା ପାଇଥିଲେ। ଏହି ନୂଆ ଘୋଷଣା ପରେ UAPA ଅଧୀନରେ ବ୍ୟକ୍ତିଗତ ଭାବେ ଘୋଷିତ ଆତଙ୍କବାଦୀଙ୍କ ସଂଖ୍ୟା ୮୦ରେ ପହଞ୍ଚିଛି।
