ଅଡୁଆରେ ମମତା, ପୁତୁରା ଅଭିଷେକ ବାନାର୍ଜୀଙ୍କ ଘରେ ରେଡ୍।
ବଢୁଛି ଟିଏମସିରେ ଅଡୁଆ। ବିବାଦରେ ଫସିଲେ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀ। ରାତି ଅଧରେ ବାସଭବନରେ ରେଡ୍।
ବଢୁଛି ଟିଏମସିରେ ଅଡୁଆ। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ହାରିବା ପରେ ତୃଣମୂଳ କଂଗ୍ରେସର ସ୍ଥିତି ଭଲ ନାହିଁ। ବିବାଦରେ ଫସିଲେ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀ। ତୃଣମୂଳ କଂଗ୍ରେସର ଜାତୀୟ ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀଙ୍କ କୋଲକତାସ୍ଥିତ କାଳିଘାଟ ବାସଭବନରେ ରେଡ୍ କରିଛି ଇଡି । ସୂଚନା ଅନୁସାରେ, ଅଭିଷେକଙ୍କ ବ୍ୟକ୍ତିଗତ ସହଯୋଗୀ ସୁମିତ ରୟଙ୍କୁ ଖୋଜୁଛି ପୋଲିସ। ଶାଳବନୀ ପୋଲିସର ଏକ ଟିମ୍ ଶୁକ୍ରବାର ରାତି ପ୍ରାୟ, ୩ଟା ବେଳେ ଅଭିଷେକଙ୍କ ଘରେ ତାଲି ଭାଙ୍ଗି ତଲାସି କରିଥିବା ସୂଚନା ମିଳିଛି। ଏହି ଛାନଭିନ୍ ଚାରି ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିଲା। ଅନ୍ୟପକ୍ଷରେ, ଏହି ଯାଞ୍ଚ ବେଳେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ କେନ୍ଦ୍ରୀୟ ବାହିନୀ ଦଳ ପୁରା ଅଞ୍ଚଳକୁ ଘେରାଉ କରିଥିଲେ। ତେବେ ଖବର ପାଇ ମମତା ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏକ ଦସ୍ତଖତ ଜାଲିଆତି ମାମଲାରେ ସିଆଇଡି ତଦନ୍ତ କରୁଛି। ଏହି ମାମଲାରେ ପଚରାଉଚରା ପାଇଁ ଅଭିଷେକ ବାନାର୍ଜୀଙ୍କୁ ଜୁନ ୧୪ ତାରିଖରେ ହାଜର ହେବାକୁ ସମନ ଜାରି କରାଯାଇଛି। କିଛି ଦିନ ପୂର୍ବେ ସିବିଆଇ ମଧ୍ୟ ଅଭିଷେକଙ୍କ ଘରେ ପ୍ରବେଶ କରିଥିଲା। ତଦନ୍ତ ଜାରି ରହିଥିବା ବେଳେ ଘଟଣାଟି ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି।
