ବନ୍ୟାରେ ଫସିଥିବା ଗର୍ଭବତୀଙ୍କୁ ଓଡ୍ରାଫ୍ର ସାହସିକ ଉଦ୍ଧାର
ମହେନ୍ଦ୍ରତନୟାର ପ୍ରଖର ସ୍ରୋତ ଅତିକ୍ରମ କରି ଗର୍ଭବତୀଙ୍କୁ ସୁରକ୍ଷିତ ସ୍ଥାନାନ୍ତର ପାତ୍ରପୁର ବ୍ଲକ ବୁରାତଲ ପଞ୍ଚାୟତର ଜାମୁଗଣ୍ଡ ଗ୍ରାମର ଜଣେ ମହିଳା ପ୍ରସବ ବେଦନାରେ ଛଟପଟ ହଉଥୁବାବେଳେ,ଓଡ୍ରାଫ ଦଳ ପ୍ରଖର ଜଳଶ୍ରୋତରେ ଉଦ୍ଧାର କରି ହସ୍ପିଟାଲରେ ପହଞ୍ଚାଇଛନ୍ତି |
ବନ୍ୟା ମଝିରେ ମାନବିକତାର ମିଶନ ,ଗର୍ଭବତୀଙ୍କୁ ମିଳିଲା ନୂଆ ଆଶା | ବନ୍ୟାଜଳ ଯୋଗୁଁ ବିଚ୍ଛିନ୍ନ ହୋଇପଡ଼ିଥିବା ଦୁର୍ଗମ ଜାମୁଗଣ୍ଡା ଗ୍ରାମରୁ ପ୍ରସବ ବେଦନାରେ ଛଟପଟ ହେଉଥିବା ଜଣେ ଗର୍ଭବତୀ ମହିଳାଙ୍କୁ ସାହସିକ ଓ ତ୍ୱରିତ ପ୍ରୟାସରେ ଉଦ୍ଧାର କରିଛି ଓଡ୍ରାଫ୍ ଦଳ। ତାଙ୍କୁ ସୁରକ୍ଷିତ ଭାବେ ପାତ୍ରପୁର ସାମୁଦାୟିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି। ପାତ୍ରପୁର ବ୍ଲକ୍ ଅନ୍ତର୍ଗତ ବୁରାତାଲ ଗ୍ରାମପଞ୍ଚାୟତର ଜାମୁଗଣ୍ଡା ଗ୍ରାମ ମହେନ୍ଦ୍ରତନୟା ନଦୀର ପ୍ରବଳ ବନ୍ୟାଜଳ ଯୋଗୁଁ ବାହ୍ୟ ଯୋଗାଯୋଗରୁ ବିଚ୍ଛିନ୍ନ ହୋଇପଡ଼ିଥିଲା। ଏହି ସମୟରେ ଗ୍ରାମର ଜଣେ ଗର୍ଭବତୀ ମହିଳାଙ୍କ ପ୍ରସବ ବେଦନା ଆରମ୍ଭ ହେବାରୁ ତାଙ୍କୁ ତୁରନ୍ତ ଚିକିତ୍ସା ସହାୟତା ପହଞ୍ଚାଇବା ଜରୁରୀ ହୋଇଥିଲା।ସୂଚନା ପାଇ ଓଡ୍ରାଫ୍ ଦଳ ତତ୍କ୍ଷଣାତ୍ ଘଟଣାସ୍ଥଳରେ ପହଞ୍ଚିଥିଲା। ମହେନ୍ଦ୍ରତନୟା ନଦୀର ପ୍ରଖର ସ୍ରୋତ ମଧ୍ୟରେ ଅତ୍ୟନ୍ତ ସତର୍କତାର ସହ ଅଭିଯାନ ଚଳାଇ ଦଳର ସଦସ୍ୟମାନେ ଗର୍ଭବତୀଙ୍କୁ ଉଦ୍ଧାର କରିଥିଲେ। ପରେ ତାଙ୍କୁ ପାତ୍ରପୁର ସାମୁଦାୟିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ଓଡ୍ରାଫ୍ ଦଳର ତ୍ୱରିତ ଓ ମାନବିକ ପଦକ୍ଷେପ ଯୋଗୁଁ ବନ୍ୟାବିପନ୍ନ ଅଞ୍ଚଳରେ ଜଣେ ଗର୍ଭବତୀ ମହିଳାଙ୍କୁ ସମୟୋଚିତ ଚିକିତ୍ସା ସୁବିଧା ମିଳିପାରିଛି।
