UAE INVESTMENT: ୟୁଏଇରେ ଓଡ଼ିଶାର ନିବେଶ ଅଭିଯାନ ଶେଷ; ୨.୪୩ ଲକ୍ଷ କୋଟିର ପ୍ରସ୍ତାବ
୩ ଦିନରେ ୪୬ ଟି ୱାନ୍-ଅନ୍-ୱାନ୍ ବୈଠକ, ୬ ରାଉଣ୍ଡ ଟେବୁଲ୍ ଆଲୋଚନା; ଓଡ଼ିଶାକୁ ଭାରତର ପରବର୍ତ୍ତୀ ମାନୁଫାକ୍ଚରିଂ ଓ ନିବେଶ ହବ୍ ଭାବେ ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ।

ଭୁବନେଶ୍ୱର : ୟୁଏଇରେ ଓଡ଼ିଶା ସରକାରଙ୍କ ତିନିଦିନିଆ ନିବେଶ ଅଭିଯାନ ଶେଷ ହୋଇଛି। ଏହି ଅଭିଯାନରେ ରାଜ୍ୟକୁ ୨,୪୩,୧୬୨ କୋଟିର ପ୍ରସ୍ତାବିତ ପୁଞ୍ଜିନିବେଶ ଏବଂ ୬,୧୮,୭୨୫ଟି ନିଯୁକ୍ତି ସମ୍ଭାବନା ମିଳିଥିବା ସରକାର ପକ୍ଷରୁ ଦାବି କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଆବୁଧାବୀ ଓ ଦୁବାଇରେ ଆୟୋଜିତ ଏହି ଅଭିଯାନରେ ବିଭିନ୍ନ ଶିଳ୍ପଗୋଷ୍ଠୀ, ନିବେଶକ, ବ୍ୟବସାୟୀ ଓ ପ୍ରତିଷ୍ଠାନିକ ଅଂଶୀଦାରଙ୍କ ସହ ବ୍ୟାପକ ଆଲୋଚନା ହୋଇଥିଲା। ଅଭିଯାନରେ ୪୬ଟି ୱାନ୍-ଅନ୍-ୱାନ୍ ବୈଠକ, ୬ଟି ରାଉଣ୍ଡ ଟେବୁଲ୍ ବୈଠକ ଏବଂ ପ୍ରାୟ ୧୬୦ ଜଣ ଅଂଶଗ୍ରହଣକାରୀଙ୍କ ସହ ଆଲୋଚନା ହୋଇଥିଲା। ଏହା ସହ ୮ଟି ବୁଝାମଣାପତ୍ର (MoU) ଏବଂ ୧୬ଟି ନିବେଶ ପ୍ରସ୍ତାବ (IIFs) ସ୍ୱାକ୍ଷରିତ ହୋଇଛି।
ଅନେକ କ୍ଷେତ୍ରରେ ନିବେଶ ଆଗ୍ରହ
ଦୁବାଇରେ ଆୟୋଜିତ ଓଡ଼ିଶା ଇନଭେଷ୍ଟର୍ସ ମିଟ୍ରେ ପ୍ରାୟ ୪୦୦ ଜଣ ବିଜନେସ୍ ଲିଡର୍, ନିବେଶକ ଓ ୟୁଏଇ ବିଜନେସ୍ କମ୍ୟୁନିଟିର ପ୍ରତିନିଧି ଯୋଗ ଦେଇଥିଲେ। LNG ସଂରକ୍ଷଣ, ଗ୍ରୀନ୍ ଏନର୍ଜି, AI ଓ ଡାଟା ସେଣ୍ଟର, ରେୟାର ଆର୍ଥସ୍, ଷ୍ଟିଲ୍, ଷ୍ଟିଲ୍ ଡାଉନ୍ଷ୍ଟ୍ରିମ୍, ରିଅଲ୍ ଇଷ୍ଟେଟ୍, ଜାହାଜ ମରାମତି, ପ୍ରୋପେଲାଣ୍ଟ ଉତ୍ପାଦନ, ସାର ଓ ରାସାୟନିକ ଶିଳ୍ପ ଭଳି କ୍ଷେତ୍ରରେ ନିବେଶ ସୁଯୋଗ ନେଇ ଆଲୋଚନା ହୋଇଥିଲା। CAZBAA Project Ventures FZCO LNG ସଂରକ୍ଷଣ ପାଇଁ MoU ସ୍ୱାକ୍ଷର କରିଛି। Rana Holdings Limited ଗ୍ରୀନ୍ ଏନର୍ଜି, AI ଡାଟା ସେଣ୍ଟର ଓ ରେୟାର ଆର୍ଥସ୍ କ୍ଷେତ୍ରରେ ଆଗ୍ରହ ପ୍ରକାଶ କରିଛି। Sharaf Group ଆବାସିକ ଗୃହ ଏବଂ PTCL Infrastructure ଷ୍ଟିଲ୍ ଓ ଡାଉନ୍ଷ୍ଟ୍ରିମ୍ ଶିଳ୍ପ ପାଇଁ MoU କରିଛନ୍ତି। ସେହିପରି Dalwin Marine ଓ Turbo Power Engineering ଜାହାଜ ମରାମତି, Ion Technologies Pvt. Ltd. ପ୍ରୋପେଲାଣ୍ଟ ଉତ୍ପାଦନ ଏବଂ Agrifields FZCO ସାର ଓ ରାସାୟନିକ କ୍ଷେତ୍ରରେ ନିବେଶ ପ୍ରସ୍ତାବ ଦେଇଛନ୍ତି।
IHC ଓ Adani Group ସହ ରଣନୈତିକ ଆଲୋଚନା
ୟୁଏଇ ଗସ୍ତ ସମୟରେ International Holding Company ଓ Adani Group ସହ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିଲା। କ୍ରିଟିକାଲ୍ ମିନେରାଲ୍ସ ଓ ରେୟାର ଆର୍ଥସ୍, ମେଟାଲ୍ସ ଓ ମେଟାଲର୍ଜି, କେମିକାଲ୍ସ ଓ ପେଟ୍ରୋକେମିକାଲ୍ସ, ରିନ୍ୟୁଏବଲ୍ ଏନର୍ଜି ଉପକରଣ, ସ୍ୱାସ୍ଥ୍ୟସେବା, ଶିଳ୍ପ ଭିତ୍ତିଭୂମି, ପର୍ଯ୍ୟଟନ ଓ ଦକ୍ଷତା ବିକାଶ ଭଳି କ୍ଷେତ୍ର ଆଲୋଚନାର କେନ୍ଦ୍ରରେ ଥିଲା। ମୁଖ୍ୟମନ୍ତ୍ରୀ Emirates Global Aluminium ପରିଦର୍ଶନ କରି ଆଲୁମିନିୟମ୍ ଉତ୍ପାଦନ, ପ୍ରଯୁକ୍ତି ଓ ଭାଲ୍ୟୁ ଆଡିସନ୍ ବିଷୟରେ ଅବଗତ ହୋଇଥିଲେ।
‘ନିବେଶରୁ କାର୍ଯ୍ୟାନ୍ୱୟନ’ ଉପରେ ଫୋକସ୍
ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶା ମୂଲ୍ୟବୃଦ୍ଧି, ପ୍ରଯୁକ୍ତି, ବିଶ୍ୱସ୍ତରୀୟ ସହଭାଗିତା ଓ ଦ୍ରୁତ ପ୍ରକଳ୍ପ କାର୍ଯ୍ୟାନ୍ୱୟନ ମାଧ୍ୟମରେ ଶିଳ୍ପ ଅଭିବୃଦ୍ଧିର ନୂଆ ପର୍ଯ୍ୟାୟକୁ ପ୍ରବେଶ ପାଇଁ ପ୍ରସ୍ତୁତ। ପ୍ରାକୃତିକ ସମ୍ପଦ, ପ୍ରତିଯୋଗୀ ଶକ୍ତି, ରଣନୈତିକ ବନ୍ଦର, ଶିଳ୍ପ ଭିତ୍ତିଭୂମି ଓ ଦକ୍ଷ ମାନବ ସମ୍ବଳକୁ ଓଡ଼ିଶାର ପ୍ରମୁଖ ଶକ୍ତି ଭାବେ ସେ ନିବେଶକଙ୍କ ସମ୍ମୁଖରେ ରଖିଥିଲେ। ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ମଧ୍ୟ ନିବେଶକଙ୍କୁ ଦ୍ରୁତ ଅନୁମୋଦନ, ପ୍ରକଳ୍ପ କାର୍ଯ୍ୟାନ୍ୱୟନ ଓ ସମ୍ପ୍ରସାରଣରେ ସରକାରୀ ସହଯୋଗ ମିଳିବ ବୋଲି ଆଶ୍ୱାସନ ଦେଇଥିଲେ।
ପ୍ରବାସୀ ଓଡ଼ିଆଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା
ଦୁବାଇରେ ମୁଖ୍ୟମନ୍ତ୍ରୀ ୮୦୦ରୁ ଅଧିକ ପ୍ରବାସୀ ଓଡ଼ିଆଙ୍କୁ ଭେଟିଥିଲେ। ଏହି ଅବସରରେ ଓଡ଼ିଶୀ ଓ ପାରମ୍ପରିକ ଲୋକନୃତ୍ୟ ପରିବେଷଣ କରାଯାଇଥିଲା। ପ୍ରବାସୀ ଓଡ଼ିଆଙ୍କୁ ଓଡ଼ିଶାର ନିବେଶ, ବାଣିଜ୍ୟ, ଉଦ୍ୟମିତା ଓ ବିକାଶ ଯାତ୍ରାରେ ଅଧିକ ଭାଗୀଦାର ହେବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଥିଲେ। ଏହା ସହ ରାଜ୍ୟର ‘ଗୋଟିଏ ଜିଲ୍ଲା, ଗୋଟିଏ ଉତ୍ପାଦ’ (ODOP) ସାମଗ୍ରୀ ମଧ୍ୟ ପ୍ରଦର୍ଶିତ ହୋଇଥିଲା। ୟୁଏଇ ଅଭିଯାନରୁ ମିଳିଥିବା ନିବେଶ ଆଗ୍ରହକୁ ବାସ୍ତବ ପ୍ରକଳ୍ପରେ ପରିଣତ କରିବା ଏବେ ଓଡ଼ିଶା ସରକାରଙ୍କ ପ୍ରମୁଖ ଲକ୍ଷ୍ୟ। ନିଯୁକ୍ତି ସୃଷ୍ଟି, ମୂଲ୍ୟବୃଦ୍ଧି, ରପ୍ତାନି ବୃଦ୍ଧି ଓ ବିଶ୍ୱସ୍ତରୀୟ ଯୋଗାଣ ଶୃଙ୍ଖଳା ସହ ରାଜ୍ୟକୁ ଯୋଡ଼ିବା ଉପରେ ଆଗାମୀ ଦିନରେ ଗୁରୁତ୍ୱ ଦିଆଯିବ।
