Antyodaya Gruha Yojana: ବର୍ଷାରେ ଭାଙ୍ଗିଥିବା ଘରକୁ ତୁରନ୍ତ ମିଳିବ ଘର- ପଞ୍ଚାୟତି ରାଜ ମନ୍ତ୍ରୀ
ବର୍ଷାରେ ଭାଙ୍ଗିଥିବା ଘରକୁ ତୁରନ୍ତ ମିଳିବ ସହାୟତା, ଅନ୍ତ୍ୟୋଦୟ ଗୃହ ଯୋଜନାରେ ତୁରନ୍ତ ଦିଆଯିବ ଘର । ୫ ଦିନରେ ହେବ କ୍ଷୟକ୍ଷତି ଆକଳନ: ରବି ନାୟକ।

ଭୁବନେଶ୍ୱର: ଲଗାଣ ବର୍ଷା ଯୋଗୁଁ ଭାଙ୍ଗିଥିବା ଘରଗୁଡ଼ିକୁ ତୁରନ୍ତ ସହାୟତା ଯୋଗାଇ ଦିଆଯିବ। ବର୍ଷାରେ ଘର ଭାଙ୍ଗିଥିବା ପରିବାରଙ୍କୁ ଅନ୍ତ୍ୟୋଦୟ ଗୃହ ଯୋଜନାରେ ଘର ଯୋଗାଇ ଦିଆଯିବ ବୋଲି ପଞ୍ଚାୟତି ରାଜ ମନ୍ତ୍ରୀ ରବି ନାୟକ କହିଛନ୍ତି। ଗତ ୪ ଦିନର ବର୍ଷାରେ କୋରାପୁଟ, ମାଲକାନଗିରି, ନବରଙ୍ଗପୁର ସମେତ ୪ଟି ଜିଲ୍ଲାରେ ପ୍ରାୟ ୪୫ରୁ ୫୦ଟି ଘର ଭାଙ୍ଗିଥିବା ସୂଚନା ମିଳିଛି। ଆଗାମୀ ଦିନରେ ଘର ଭାଙ୍ଗିବା ସଂଖ୍ୟା ଆହୁରି ବଢ଼ିପାରେ। ବର୍ଷା କମିବା ପରେ ୫ ଦିନ ମଧ୍ୟରେ କ୍ଷୟକ୍ଷତିର ଆକଳନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ଇନ୍ଦ୍ରାବତୀ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇବା ଯୋଗୁଁ ୬ଟି ପଞ୍ଚାୟତର ଲୋକେ ପ୍ରଭାବିତ ହୋଇଛନ୍ତି। ପ୍ରଭାବିତ ଲୋକଙ୍କ ରହିବା ଓ ଖାଇବା ପାଇଁ ବ୍ୟବସ୍ଥା କରାଯାଇଛି। ବିଭିନ୍ନ ସ୍ଥାନରେ ରାସନ ଓ ବ୍ଲାଙ୍କେଟ୍ ମଧ୍ୟ ଯୋଗାଇ ଦିଆଯାଇଛି। ତେବେ ଇନ୍ଦ୍ରାବତୀର ଜଳସ୍ତର ଧୀରେ ଧୀରେ ତଳକୁ ଖସୁଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି। ନବରଙ୍ଗପୁରରୁ ଝରିଗାଁ ସମେତ ଅନେକ ଗାଁ ଜଳମଗ୍ନ ହୋଇଥିବା ବେଳେ ରାସ୍ତାଘାଟରେ ବିଶେଷ କ୍ଷୟକ୍ଷତି ହୋଇନଥିବା କୁହାଯାଇଛି। ପ୍ରବଳ ବର୍ଷା ଯୋଗୁଁ ନବରଙ୍ଗପୁର ଜିଲ୍ଲାରେ ମକା ଚାଷ ବ୍ୟାପକ ଭାବେ ପ୍ରଭାବିତ ହୋଇଛି। ଜମିରେ ପାଣି ଜମି ରହିବା ଯୋଗୁଁ ମକା ପଚିଯାଇଥିବା ସୂଚନା ମିଳିଛି। ମକା ଚାଷର କ୍ଷୟକ୍ଷତିର ଆକଳନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।
ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରାୟ ୨୦ରୁ ୨୫ଟି ସ୍ଥାନରେ ଭୂସ୍ଖଳନ ହୋଇଛି। ମାଲକାନଗିରିର ୬ଟି ରାସ୍ତା ଉପରେ ପାଣି ଚାଲୁଥିବାରୁ ଯାତାୟାତ ପ୍ରଭାବିତ ହୋଇଛି। ଗତ କିଛି ଦିନରେ ଦକ୍ଷିଣ ଓଡ଼ିଶାରେ ବର୍ଷାର ପରିମାଣ ବଢ଼ିଛି। କୋରାପୁଟରେ ୨୬୦ ମିଲିମିଟର, ମାଲକାନଗିରିରେ ୧୮୦ ମିଲିମିଟର ଏବଂ ନବରଙ୍ଗପୁରରେ ୨୩୦ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି। ବର୍ଷା କମିବା ପରେ ସମସ୍ତ ଅଞ୍ଚଳରେ କ୍ଷୟକ୍ଷତିର ଆକଳନ କରାଯାଇ ଆବଶ୍ୟକ ସହାୟତା ଯୋଗାଇ ଦିଆଯିବ।
