କର୍ମଚାରୀ ଅଭାବରେ ଚାପରେ ରାଜ୍ୟ ପୋଲିସ- ଡିଜିପି
କର୍ମଚାରୀ ଅଭାବରେ ଚାପରେ ରାଜ୍ୟ ପୋଲିସ। ୩୩ ହଜାର ପଦ ଖାଲି, ବଢ଼ୁଛି ପୋଲିସର କାର୍ଯ୍ୟଭାର। ୧୭ ହଜାର ନିଯୁକ୍ତିକୁ ମଞ୍ଜୁରୀ, ୨–୩ ବର୍ଷରେ ସୁଧାର ଆଶା- ଡିଜିପି।
କଟକ: ଚାପରେ ରହୁଛି ରାଜ୍ୟ ପୋଲିସ। କର୍ମଚାରୀ ଅଭାବ ଏବେ ବଡ଼ ଚ୍ୟାଲେଞ୍ଜ ପାଲଟିଛି। ଲୋକସଂଖ୍ୟା ତୁଳନାରେ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କ ସଂଖ୍ୟା କମ୍ ଥିବାରୁ ଦିନକୁ ଦିନ କାର୍ଯ୍ୟଭାର ବଢ଼ିବାରେ ଲାଗିଛି। ଆଇନଶୃଙ୍ଖଳା ପରିଚାଳନା, ଟ୍ରାଫିକ୍ ବ୍ୟବସ୍ଥା, ସାଇବର ଅପରାଧର ତଦନ୍ତ, ପର୍ବପର୍ବାଣୀ ଓ ଭିଆଇପି ଡ୍ୟୁଟି ଭଳି ବିଭିନ୍ନ ଦାୟିତ୍ୱ ପାଇଁ ପୋଲିସ କର୍ମଚାରୀଙ୍କୁ ଅଧିକ ସମୟ କାମ କରିବାକୁ ପଡ଼ୁଛି। ପୋଲିସ ଡିଜି ୟୋଗେଶ ବାହାଦୂର ଖୁରାନିଆଙ୍କ କହିବା ଅନୁଯାୟୀ, ରାଜ୍ୟରେ ପ୍ରାୟ ୩୩ ହଜାର ପଦବୀ ଖାଲି ଥିବାରୁ ଏହି ଅତିରିକ୍ତ କାର୍ଯ୍ୟଚାପ ସୃଷ୍ଟି ହୋଇଛି। ତେବେ ସରକାର ୧୭ ହଜାର ପଦ ପୂରଣ ପାଇଁ ମଞ୍ଜୁରୀ ଦେଇଥିବା ବେଳେ ଆସନ୍ତା ୨ରୁ ୩ ବର୍ଷ ମଧ୍ୟରେ ପରିସ୍ଥିତିରେ ସୁଧାର ଆସିବ ବୋଲି ଆଶା ପ୍ରକାଶ କରିଛନ୍ତି। ସେହିପରି ରାଜ୍ୟରେ ବଢ଼ୁଥିବା ଭିଡ଼ ହିଂସା ଘଟଣାକୁ ନେଇ ମଧ୍ୟ ପୋଲିସ ଗମ୍ଭୀର ହୋଇଛି। ଆଇନକୁ ହାତକୁ ନେଇ ନ୍ୟାୟ କରିବାର ପ୍ରବୃତ୍ତିକୁ କୌଣସି ପରିସ୍ଥିତିରେ ବରଦାସ୍ତ କରାଯିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଡିଜିପି। ଆଗାମୀ କ୍ରାଇମ୍ ରିଭ୍ୟୁ ବୈଠକରେ ଏହି ପ୍ରସଙ୍ଗରେ ବିସ୍ତୃତ ଆଲୋଚନା ହେବ। ଏଭଳି ଘଟଣାକୁ କିପରି ରୋକାଯିବ ଏବଂ ଦୋଷୀଙ୍କ ବିରୋଧରେ କିପରି ଶୀଘ୍ର ଓ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ, ସେନେଇ ସମସ୍ତ ଜିଲ୍ଲା ପୋଲିସକୁ ଆବଶ୍ୟକ ନିର୍ଦ୍ଦେଶ ଦିଆଯିବ ବୋଲି କହିଛନ୍ତି ଡିଜିପି ୱାଇ.ବି. ଖୁରାନିଆ । ଗୋଟିଏ ପଟେ ପୋଲିସର ବଳ ବୃଦ୍ଧି ପାଇଁ ସରକାର ନିଯୁକ୍ତି ପ୍ରକ୍ରିୟାକୁ ଆଗେଇ ନେଉଥିବା ବେଳେ, ଅନ୍ୟପଟେ ଆଇନଶୃଙ୍ଖଳାକୁ ଆହୁରି ସୁଦୃଢ଼ କରିବା ଓ ଭିଡ଼ ହିଂସା ଭଳି ଘଟଣା ଉପରେ ଅଙ୍କୁଶ ଲଗାଇବା ପାଇଁ ପୋଲିସ ପକ୍ଷରୁ କଡ଼ା ରଣନୀତି ପ୍ରସ୍ତୁତ ହେଉଛି। ଖାଲି ପଦବୀ ପୂରଣ ସହ ଆଧୁନିକ ବ୍ୟବସ୍ଥାକୁ ମଜବୁତ କରିବା ଉପରେ ଏବେ ଫୋକସ୍ ରହିଛି।
