କେନ୍ଦୁଝରରେ ସୁନାବେଶରେ ଝଲସିଲେ ତିନି ଠାକୁର
ବିଶ୍ୱର ସର୍ବବୃହତ ରଥରେ ଅନନ୍ୟ ସୁନାବେଶ । ସୁନା ଓ ରୂପା ଅଳଙ୍କାରରେ ଝଲମଲ ତିନି ଠାକୁର, ଦିଅଁଙ୍କ ଦର୍ଶନ ପାଇଁ କେନ୍ଦୁଝର ବଡଦାଣ୍ଡରେ ଭକ୍ତଙ୍କ ଭିଡ଼।
କେନ୍ଦୁଝର: କେନ୍ଦୁଝରର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ବଳଦେବଜୀଉଙ୍କ ରଥ ଉପରେ ଆଜି ପବିତ୍ର ସୁନାବେଶ ନୀତି ଅନୁଷ୍ଠିତ ହୋଇଯାଇଛି । ବିଶ୍ୱର ସର୍ବବୃହତ ରଥ ଉପରେ ପ୍ରଭୁ ଶ୍ରୀ ବଳଦେବଜୀଉ, ମାତା ସୁଭଦ୍ରା ଓ ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ସୁନାବେଶ ଦର୍ଶନ ପାଇଁ ଆଜି ଭକ୍ତଙ୍କର ପ୍ରବଳ ସମାଗମ ଦେଖିବାକୁ ମିଳିଛି। ଅନୁକୂଳ ପାଗ ଯୋଗୁଁ ଅପରାହ୍ନରୁ ହିଁ ରଥ ନିକଟରେ ଶ୍ରଦ୍ଧାଳୁଙ୍କ ଭିଡ଼ ବଢ଼ିଥିଲା। ସୁନାବେଶରେ ସୁସଜ୍ଜିତ ତିନି ଠାକୁରଙ୍କ ଦିବ୍ୟ ରୂପକୁ ଦର୍ଶନ କରି ଭକ୍ତମାନେ ଭାବବିହ୍ୱଳ ହୋଇପଡ଼ିଥିଲେ। ଏହି ସୁନାବେଶରେ ତିନି ଠାକୁରଙ୍କ ଦେହରେ ପ୍ରାୟ ୧୬ କିଲୋଗ୍ରାମ ସୁନା ଏବଂ ୬୦ କିଲୋଗ୍ରାମ ରୂପାର ଅଳଙ୍କାର ପରିଧାନ କରାଯାଇଛି। ପୂର୍ବାହ୍ନ ପ୍ରାୟ ୧୨ଟା ସମୟରେ ଉପଜିଲ୍ଲାପାଳ, ମାଜିଷ୍ଟ୍ରେଟ ଓ କଡ଼ା ପୋଲିସ ସୁରକ୍ଷା ବଳୟ ମଧ୍ୟରେ ଟ୍ରେଜେରୀ ଏବଂ ଏସ୍ବିଆଇରୁ ସୁନା-ରୂପା ଅଳଙ୍କାର ରଥ ଉପରକୁ ଅଣାଯାଇ ତିନି ଠାକୁରଙ୍କୁ ସୁସଜ୍ଜିତ କରାଯାଇଥିଲା। ସୁନାବେଶ ଦର୍ଶନ ଅପରାହ୍ନ ୩ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଭକ୍ତମାନଙ୍କ ପାଇଁ ରହିବ। ବିପୁଳ ଭକ୍ତସମାଗମକୁ ଦୃଷ୍ଟିରେ ରଖି ଶାନ୍ତି-ଶୃଙ୍ଖଳା ବଜାୟ ରଖିବା ପାଇଁ ୧୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି।
