ଆଜି ରଥ ଉପରେ ମହାପ୍ରଭୁଙ୍କ ସୁନାବେଶ
ଆଜି ରଥ ଉପରେ ମହାପ୍ରଭୁଙ୍କ ସୁନାବେଶ, ମହଣ ମହଣ ସୂର୍ଣ୍ଣ ଅଳଙ୍କାରରେ ଝଟକିବେ ଚତୁର୍ଦ୍ଧାମୂର୍ତ୍ତି । ରାଜାଧିରାଜ ବେଶରେ ଦର୍ଶନ ଦେଵେ ଶ୍ରୀଜୀଉ । କଡ଼ା ସୁରକ୍ଷାରେ ଶ୍ରୀକ୍ଷେତ୍ର।

ବାହୁଡ଼ା ଯାତ୍ରା ପରେ ଆଜି ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହେଉଛି ମହାପ୍ରଭୁଙ୍କ ପ୍ରସିଦ୍ଧ ସୁନାବେଶ ବା ରାଜାଧିରାଜ ବେଶ। ଆଷାଢ଼ ଶୁକ୍ଲ ଏକାଦଶୀଦିନ ସିଂହଦ୍ୱାରଠାରେ ଥିବା ତିନିରଥ ଉପରେ ଚତୁର୍ଦ୍ଧାମୂର୍ତ୍ତି ସୁନାବେଶରେ ସଜ୍ଜିତ ହୋଇଥାନ୍ତି । ଆଜି ରଥ ଉପରେ ବିରାଜମାନ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରା ସୁବର୍ଣ୍ଣ ଅଳଙ୍କାରରେ ସଜ୍ଜିତ ହୋଇ ଲକ୍ଷଲକ୍ଷ ଭକ୍ତଙ୍କୁ ଦର୍ଶନ ଦେବେ। ଶ୍ରୀଜୀଉମାନଙ୍କର ମଧ୍ୟାହ୍ନ ଧୂପ ଶେଷ ହେବା ପରେ ଅପରାହ୍ଣ ୫ଟାରୁ ୬ଟା ୩୦ ମିନିଟ ମଧ୍ୟରେ ସୁନାବେଶ ସମ୍ପନ୍ନ ହେବ ଏବଂ ରାତି ୧୧ଟା ପର୍ଯ୍ୟନ୍ତ ଭକ୍ତମାନେ ଏହି ଦିବ୍ୟ ବେଶ ଦର୍ଶନ କରିବେ।
ଶ୍ରୀଜୀଉମାନଙ୍କ ଅଳଙ୍କାର:
ସୁନାବେଶରେ ଶ୍ରୀଜଗନ୍ନାଥ ସୁବର୍ଣ୍ଣ କିରିଟ, ଶ୍ରୀପୟର, ଶ୍ରୀଭୁଜ, ସ୍ୱର୍ଣ୍ଣ ଚକ୍ର ଓ ରୌପ୍ୟ ଶଙ୍ଖ, ଓଢିଆଣୀ, ଚନ୍ଦ୍ରସୂର୍ଯ୍ୟ, ଆଡ଼କାନି, ଘାଗଡ଼ା ମାଳି, କଦମ୍ବ ମାଳି, ବାହାଡ଼ା ମାଳି, ତାବିଜ ମାଳି, ସେବତୀ ମାଳି, ତିଳକ, ଚନ୍ଦ୍ରିକା, ଅଳକା, ଝୋବାକଣ୍ଠି, ତ୍ରିଖଣ୍ଡିକା, କମରପଟି ଏବଂ ଦେବୀ ସୁଭଦ୍ରା କିରୀଟ, ଓଢ଼ିଆଣୀ, କାନ, ଚନ୍ଦ୍ରସୂର୍ଯ୍ୟ, ଘାଗଡ଼ା ମାଳି, କଦମ୍ବ ମାଳି, ସେବତୀ ମାଳି, ତଗଡ଼ି-୨ଟି ଆଦି ବିଭିନ୍ନ ସ୍ୱର୍ଣ୍ଣ ଆଭୂଷଣ ରେ ବିଭୂଷିତ ହୁଅନ୍ତି। ସେହିପରି ବଡଠାକୁର କିରିଟ, ଶ୍ରୀପୟର, ଶ୍ରୀଭୁଜ, ହଳ ଓ ମୂଷଳ, ଓଢିଆଣୀ, କୁଣ୍ଡଳ, ଚନ୍ଦ୍ରସୂର୍ଯ୍ୟ, ଆଡ଼କାନି, ଘାଗଡ଼ା ମାଳି, କଦମ୍ବ ମାଳି, ବାହାଡ଼ା ମାଳି, ବାଘନଖ ମାଳି, ସେବତୀ ମାଳି, ତିଳକ, ଚନ୍ଦ୍ରିକା, ଅଳକା, ଝୋବାକଣ୍ଠି, ତ୍ରିଖଣ୍ଡିକା, କମରପଟି ଓ ଅନ୍ୟାନ୍ୟ ସ୍ୱର୍ଣ୍ଣ ଅଳଙ୍କାର ଶ୍ରୀଜୀଉଙ୍କ ଦିବ୍ୟ ଶୋଭାକୁ ଆହୁରି ମନୋମୁଗ୍ଧକର କରିଥାଏ।
ବିଶ୍ୱସ ରହିଛି, ବଡ଼ଦାଣ୍ଡରେ ରଥାରୁଢ ମହାପ୍ରଭୁଙ୍କ ଏହି ଦୁର୍ଲଭ ରାଜାଧିରାଜ ରୂପର ଦର୍ଶନ କଲେ କୋଟି ଜନ୍ମର ପାପ କ୍ଷୟ ହେଵା ସହ ମୋକ୍ଷ ପ୍ରାପ୍ତି ହୋଇଥାଏ । ସେପଟେ ଆଜି ସୁନାବେଶ ଅବସରରେ ଶ୍ରୀକ୍ଷେତ୍ରରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି।
