ଲଘୁଚାପ ବର୍ଷାରେ ବେହାଲ ପୁରା ଓଡ଼ିଶା
ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା। ତୁହାକୁ ତୁହା ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ। ପାରାଦୀପ ଓ ଧାମରା ବନ୍ଦରରେ ବିପଦ ସଙ୍କେତ ନମ୍ବର-୩; ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ସମୁଦ୍ରକୁ ନ ଯିବାକୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ।
ଭୁବନେଶ୍ୱର: ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା। ତୁହାକୁ ତୁହା ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଗଲାଣି। ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ଥିବା ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହୋଇଛି। ପ୍ରଭାବରେ ଆଗାମୀ ୩ ଦିନ ମଧ୍ୟରେ ଉତ୍ତର ଓଡ଼ିଶା ଓ ଉତ୍ତର ଛତିଶଗଡ଼ ଦେଇ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ରହିଛି। ଏହି ସମୟରେ ସମୁଦ୍ର ଅଶାନ୍ତ ରହିଥିବାରୁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପାରାଦୀପ ଓ ଧାମରା ବନ୍ଦର ପାଇଁ ବିପଦ ସଙ୍କେତ ନମ୍ବର-୩ ଜାରି କରାଯାଇଛି। ଏପଟେ, ଆସନ୍ତା ୨୪ ଘଣ୍ଟା ପାଇଁ କନ୍ଧମାଳ, ବୌଦ୍ଧ, ଅନୁଗୁଳ, ସୋନପୁର ଓ ସମ୍ବଲପୁର ଜିଲ୍ଲାରେ ଅତ୍ୟନ୍ତ ପ୍ରବଳରୁ ଭୀଷଣ ବର୍ଷାର ସମ୍ଭାବନା ଥିବାରୁ ରେଡ୍ ଆଲର୍ଟ ଜାରି କରାଯାଇଛି। ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, କଟକ, ଢେଙ୍କାନାଳ, ନୟାଗଡ଼, ଗଞ୍ଜାମ, ଗଜପତି, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗିର, ବରଗଡ଼, କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ ଝାରସୁଗୁଡ଼ା, ଦେଓଗଡ଼, ସୁନ୍ଦରଗଡ଼, କେଉଁଝର, ମୟୁରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ଓଡ଼ିଶା ଉପକୂଳରେ ଘଣ୍ଟାପ୍ରତି ୪୫ରୁ ୫୫ କିଲୋମିଟର ବେଗରେ ପବନ ବହିବା ସହ ପବନର ବେଗ ଘଣ୍ଟାପ୍ରତି ୬୫ କିଲୋମିଟର ପର୍ଯ୍ୟନ୍ତ ଛୁଇଁପାରେ। ଏଥିସହ ସମୁଦ୍ର ଅଶାନ୍ତ ରହିବ ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ତେଣୁ ଆଗାମୀ ୭ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନଯିବାକୁ ବାରଣ କରାଯାଇଛି । ଗତ ୨୪ ଘଣ୍ଟାରେ ରାଜ୍ୟର ୭ଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ଏବଂ ୧୯ଟି ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି। ସର୍ବାଧିକ ୨୦୨.୦ ମିଲିମିଟର ବର୍ଷା ବରଗଡ଼ ଜିଲ୍ଲାର ସୋହେଲାରେ ରେକର୍ଡ ହୋଇଛି। ସେପଟେ, ଜୁନ୍ ୧ ତାରିଖରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ମୋଟ ୨୦୨.୭ ମିଲିମିଟର ବର୍ଷା ରେକର୍ଡ ହୋଇଥିଲେ ମଧ୍ୟ ଏବେ ବି ୧୮ ପ୍ରତିଶତ ବର୍ଷା ନିଅଣ୍ଟ ରହିଛି।
