ରାଇସ୍ ମିଲରେ ଜୁଆ ଆଡ୍ଡା ଠାବ, ୫ ଜଣ କାବୁ
କଳାହାଣ୍ଡି ଜିଲ୍ଲା ଏମ୍. ରାମପୁର ଥାନା ଗଜବାହାଲସ୍ଥିତ ବାଲାଜୀ ରାଇସ୍ ମିଲରେ ଚାଲିଥିବା ବେଆଇନ ଜୁଆ ଖେଳ ଉପରେ ପୋଲିସ ଚଢ଼ାଉ । ୫ ଜଣଙ୍କୁ କାବୁ କରିବା ସହ ନଗଦ ୬୪ହଜାର ୩ ଶହ ୯୦ ଟଙ୍କା, ଏକ କାର ଏବଂ ୭ ପ୍ୟାକେଟ ତାସ ଜବତ ।

କଳାହାଣ୍ଡି: ରାଇସ୍ ମିଲରେ ଜୁଆ ଆଡ୍ଡା ଉପରେ ପୋଲିସର ଚଢ଼ାଉ । କଳାହାଣ୍ଡି ଜିଲ୍ଲା ଏମ୍. ରାମପୁର ଥାନା ଅନ୍ତର୍ଗତ ଗଜବାହାଲସ୍ଥିତ ବାଲାଜୀ ରାଇସ୍ ମିଲରେ ଚାଲିଥିବା ବେଆଇନ ଜୁଆ ଖେଳ ଉପରେ ପୋଲିସ ଚଢ଼ାଉ । ଚଢ଼ାଉ ବେଳେ ୫ ଜଣଙ୍କୁ କାବୁ କରିବା ସହ ନଗଦ ୬୪ହଜାର ୩ ଶହ ୯୦ ଟଙ୍କା, ଏକ କାର ଏବଂ ୭ ପ୍ୟାକେଟ ତାସ ଜବତ କରାଯାଇଛି। ସୂଚନା ଅନୁଯାୟୀ, କୌଣସି ବିଶ୍ୱସ୍ତ ସୂତ୍ରରୁ ଖବର ପାଇ କେସିଙ୍ଗା ଏସଡିପିଓ ସନ୍ଦୀପ ମାଝୀଙ୍କ ନିର୍ଦ୍ଦେଶକ୍ରମେ ଏମ୍. ରାମପୁର ପୋଲିସ ବାଲାଜୀ ରାଇସ୍ ମିଲରେ ଅଚାନକ ଚଢ଼ାଉ କରିଥିଲା। ସେଠାରେ ଜୁଆ ଖେଳ ଚାଲିଥିବା ବେଳେ ରାଇସ୍ ମିଲ ମାଲିକ ଶଙ୍କରଲାଲ ଅଗ୍ରୱାଲ, ତୁଷୁରାର ବିନୋଦ ଜୈନ, ଜଗଦମ୍ବା ରାଇସ୍ ମିଲର ମାଲିକ ସୁନିଲ କେଡିଆ ଏବଂ ଯୋରାଡବରା ଅଞ୍ଚଳର ପ୍ରଦୀପ କୁମାର ସାହୁ ଓ ପ୍ରକାଶଙ୍କୁ ପୋଲିସ କାବୁ କରିଥିଲା। ଚଢ଼ାଉ ସମୟରେ ସେମାନଙ୍କ ନିକଟରୁ ନଗଦ ୬୪ହଜାର ୩ ଶହ ୯୦ ଟଙ୍କା, ଏକ କାର ଓ ୭ ପ୍ୟାକେଟ ତାସ ଜବତ କରାଯାଇଛି। ପରେ ସମସ୍ତଙ୍କୁ ଏମ୍. ରାମପୁର ଥାନାକୁ ଆଣି ପଚରାଉଚରା କରାଯାଇଥିଲା। ଏହି ଘଟଣାକୁ ନେଇ ଏମ୍. ରାମପୁର ଥାନାରେ କେସ୍ ନଂ ୧୭୦/୨୦୨୬ ଅନୁଯାୟୀ ଓଡ଼ିଶା ଜୁଆ ନିବାରଣ ଆଇନର ଧାରା–୩ ଏବଂ ବିଏନଏସର ଧାରା ୧୧୨(୨) ଅନୁସାରେ ମାମଲା ରୁଜୁ କରାଯାଇଛି। ପରବର୍ତ୍ତୀ ସମୟରେ ବିଏନଏସର ଧାରା ୩୫ ଅନୁଯାୟୀ ନୋଟିସ ଜାରି କରି ସେମାନଙ୍କୁ ଥାନାରୁ ଛାଡ଼ି ଦିଆଯାଇଥିବା ବେଳେ ମାମଲାର ତଦନ୍ତ ଜାରି ରହିଛି। ଉଲ୍ଲେଖଯୋଗ୍ୟ, କିଛି ଦିନ ତଳେ ଅମାଠ ଛକସ୍ଥିତ ବେହେରା ରାଇସ୍ ମିଲକୁ ବେଆଇନ ଭାବେ ଧାନ ଗଚ୍ଛିତ ରଖିବା ଅଭିଯୋଗରେ ପ୍ରଶାସନ ସିଲ୍ ହୋଇଥିଲା । ଏହାପରେ ବାଲାଜୀ ରାଇସ୍ ମିଲରେ ବିଭିନ୍ନ ବେଆଇନ ଓ ଅନୈତିକ କାର୍ଯ୍ୟକଳାପ ଚାଲୁଥିବା ଅଭିଯୋଗ ମଧ୍ୟ ଉଠୁଥିଲା। ଏଭଳି ପରିସ୍ଥିତିରେ ପୋଲିସର ଏହି ଚଢ଼ାଉ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।
