ଡମ୍ପର ଧକ୍କାରେ ୨ ମୃତ, ୭ ଆହତ
ବାରିପଦା ପାଲବଣିରେ ମର୍ମନ୍ତୁଦ ଦୁର୍ଘଟଣା । ଉଦ୍ଧାର କାମ ଚାଲିଥିଲା ବେଳେ ଲୋକଙ୍କ ଉପରେ ମାଡ଼ିଗଲା ଡମ୍ପର। ଏହି ଭୟଙ୍କର ଦୁର୍ଘଟଣାରେ ୨ ମୃତ, ୩ ଜଣ କ୍ୟାମେରାମ୍ୟାନଙ୍କ ସମେତ ପ୍ରାୟ ୭ ଜଣ ଗୁରୁତର ଆହତ ହୋଇଛନ୍ତି ।

ବାରିପଦା: ବାରିପଦା ପାଲବଣିରେ ମର୍ମନ୍ତୁଦ ଦୁର୍ଘଟଣା । ଉଦ୍ଧାର କାମ ଚାଲିଥିଲା ବେଳେ ଲୋକଙ୍କ ଉପରେ ମାଡ଼ିଗଲା ଡମ୍ପର। ଏହି ଭୟଙ୍କର ଦୁର୍ଘଟଣାରେ ୨ ମୃତ, ୩ ଜଣ କ୍ୟାମେରାମ୍ୟାନଙ୍କ ସମେତ ପ୍ରାୟ ୭ ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଅତ୍ୟନ୍ତ ସଂକଟାପନ୍ନ ଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ମୟୂରଭଞ୍ଜ ଜିଲ୍ଲା ପାଲବଣି ନିକଟରେ ଏକ କାଠ ବୋଝେଇ ଟାଟା ଏସି ଗାଡ଼ି ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡ଼ିଥିଲା। ଦୁର୍ଘଟଣା ପରେ ସ୍ଥାନୀୟ ଲୋକ ଉଦ୍ଧାର ପାଇଁ କାମ ଚାଲିଥିଲା । କିଛି ଗଣମାଧ୍ୟମ ପ୍ରତିନିଧିମାନେ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଖବର ସଂଗ୍ରହ କରୁଥିଲେ।। ଉଦ୍ଧାର କାର୍ଯ୍ୟ ଚାଲିଥିବା ସମୟରେ ହଠାତ୍ ଏକ ଦ୍ରୁତଗାମୀ ଡଷ୍ଟ ବୋଝେଇ ଡମ୍ପର ନିୟନ୍ତ୍ରଣ ହରାଇ ଦୁର୍ଘଟଣାଗ୍ରସ୍ତ ଗାଡ଼ି ଉପରେ ଚଢ଼ିଯିବା ସହ ସେଠାରେ ଉପସ୍ଥିତ ଥିବା ଲୋକଙ୍କ ଉପରେ ମାଡ଼ିଯାଇଥିଲା। ହେଲେ ଡମ୍ପରଟି ଏତେ ଦ୍ରୁତ ଗତିରେ ଥିଲା ଯେ କିଛି ଲୋକ ଏହାର ଚକା ତଳେ ଚାପି ହୋଇଯାଇଥିଲେ। ମାଡ଼ିଯିବାରୁ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରେ ୩ ଜଣ ବୈଦ୍ୟୁତିକ ଗଣମାଧ୍ୟମର କ୍ୟାମେରାମ୍ୟାନ୍ ମଧ୍ୟ ରହିଛନ୍ତି। ସମ୍ବାଦ ସଂଗ୍ରହ ପାଇଁ ଉପସ୍ଥିତ ଥିବା ପ୍ରମୁଖ ଓଡ଼ିଆ ଘରୋଇ ଗଣମାଧ୍ୟମ ଚ୍ୟାନେଲର 'ନିୟୁଜ୍ ୭', 'କଳିଙ୍ଗ ଟିଭି' ଓ 'ଅର୍ଗସ ନିୟୁଜ୍' ର କ୍ୟାମେରାମ୍ୟାନମାନେ ଗୁରୁତର ଭାବେ ଗୁରୁତର ଆହତ ହୋଇଛନ୍ତି।ସମସ୍ତ ଆହତଙ୍କୁ ଉଦ୍ଧାର କରି ବାରିପଦା ରଙ୍ଗାମାଟିଆସ୍ଥିତ ପିଆରଏମ୍ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରୁ ୫ ଜଣଙ୍କୁ ତୁରନ୍ତ ବାରିପଦା ରଙ୍ଗାମାଟିଆ ସ୍ଥିତ ପି.ଆର.ଏମ ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। । ଘଟଣାର ଖବର ପାଇ ସ୍ଥାନୀୟ ପୋଲିସ ଓ ପ୍ରଶାସନିକ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବା ସହ ଦୁର୍ଘଟଣାର କାରଣ ନେଇ ତଦନ୍ତ ଆରମ୍ଭ କରିଛନ୍ତି। ଏହି ମର୍ମନ୍ତୁଦ ଦୁର୍ଘଟଣା ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି।
