ବାରିପଦାରେ ୬୧ ହିତାଧିକାରୀଙ୍କୁ PMAY-U 2.0 କାର୍ଯ୍ୟାଦେଶ ପ୍ରଦାନ
ବାରିପଦା ପୌରପାଳିକା ପକ୍ଷରୁ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା-PMAY-U 2.0 ଅଧୀନରେ ୬୧ ଜଣ ହିତାଧିକାରୀଙ୍କୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ଼. କୃଷ୍ଣଚନ୍ଦ୍ର ମହାପାତ୍ର ଏହି କାର୍ଯ୍ୟାଦେଶ ବଣ୍ଟନ କରିଥିଲେ।

ବାରିପଦା: ୬୧ ହିତାଧିକାରୀଙ୍କୁ PMAY-U 2.0 କାର୍ଯ୍ୟାଦେଶ ପ୍ରଦାନ । ସହରାଞ୍ଚଳର ପ୍ରତ୍ୟେକ ଯୋଗ୍ୟ ପରିବାରଙ୍କୁ ଏକ ସୁରକ୍ଷିତ ଏବଂ ସ୍ଥାୟୀ ପକ୍କା ଘର ଯୋଗାଇ ଦେବା ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ପ୍ରୟାସ ଜାରି ରହିଛି। ଏହି କ୍ରମରେ ବାରିପଦା ପୌରପାଳିକା ପକ୍ଷରୁ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରାଞ୍ଚଳ)-PMAY-U 2.0 ଅଧୀନରେ ୬୧ ଜଣ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଛି। ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ଼. କୃଷ୍ଣଚନ୍ଦ୍ର ମହାପାତ୍ର ଏହି କାର୍ଯ୍ୟାଦେଶ ପ୍ରଦାନ କରିଥିଲେ। ଏହି ଅବସରରେ ମନ୍ତ୍ରୀ କହିଥିଲେ ଯେ, ରାଜ୍ୟ ସରକାରଙ୍କ ଲକ୍ଷ୍ୟ ହେଉଛି ସହରାଞ୍ଚଳର ପ୍ରତ୍ୟେକ ଯୋଗ୍ୟ ପରିବାରକୁ ଏକ ସୁରକ୍ଷିତ ଓ ସ୍ଥାୟୀ ପକ୍କା ଘର ଯୋଗାଇ ଦେବା। ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଗରିବ ଓ ମଧ୍ୟବିତ୍ତ ପରିବାରଙ୍କ ମୁଣ୍ଡ ଉପରେ ସ୍ଥାୟୀ ଛାତ ସୁନିଶ୍ଚିତ କରିବା ସରକାରଙ୍କ ପ୍ରମୁଖ ପ୍ରାଥମିକତା ବୋଲି ସେ କହିଥିଲେ। ଡ଼. ମହାପାତ୍ର କହିଥିଲେ ଯେ, ରାଜ୍ୟର ପ୍ରତ୍ୟେକ ପରିବାର ପାଇଁ ଏକ ସ୍ଥାୟୀ ଘରର ସ୍ୱପ୍ନ ସାକାର ହେବା ଉଚିତ । କୌଣସି ଯୋଗ୍ୟ ହିତାଧିକାରୀ ଯେପରି ଏହି ଯୋଜନାରୁ ବଞ୍ଚିତ ନ ହୁଅନ୍ତି, ସେଥିପାଇଁ ସରକାର ସମନ୍ୱିତ ଭାବେ କାମ କରୁଛନ୍ତି। କାର୍ଯ୍ୟାଦେଶ ପାଇଥିବା ୬୧ ଜଣ ହିତାଧିକାରୀ ପରିବାରକୁ ଶୁଭେଚ୍ଛା ଜଣାଇ ସେ ଆଶା ପ୍ରକଟ କରିଛନ୍ତି ଯେ, ସେମାନଙ୍କର ଏହି ନୂତନ ଗୃହ ସେମାନଙ୍କ ଜୀବନରେ ଖୁସି, ସମ୍ମାନ ଏବଂ ଏକ ଉନ୍ନତ ଜୀବନମାନ ନେଇ ଆସିବ । ସେ ଆହୁରି କହିଥିଲେ ଯେ, କଲ୍ୟାଣମୂଳକ ଯୋଜନାର ସୁଫଳ ଯେପରି ସ୍ୱଚ୍ଛ ଓ ଦକ୍ଷତାର ସହ ତୃଣମୂଳ ସ୍ତରରେ ପହଞ୍ଚିପାରିବ, ତାହା ସୁନିଶ୍ଚିତ କରି ସମାବେଶୀ ସହରୀ ବିକାଶ ଏବଂ ସାମାଜିକ-ଅର୍ଥନୈତିକ ସଶକ୍ତିକରଣକୁ ତ୍ୱରାନ୍ୱିତ କରିବାରେ PMAY-U 2.0 ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି । କାର୍ଯ୍ୟକ୍ରମରେ ବାରିପଦା ପୌରପାଳିକାର ଅଧ୍ୟକ୍ଷ କୃଷ୍ଣାନନ୍ଦ ମହାନ୍ତି, ଉପାଧ୍ୟକ୍ଷା ସୀମାରାଣୀ ଦାସ, ନିର୍ବାହୀ ଅଧିକାରୀ ଦେବୀପ୍ରସାଦ ରାଉତ, କାଉନସିଲର, ବରିଷ୍ଠ ଅଧିକାରୀ, ସ୍ଥାନୀୟ ଜନପ୍ରତିନିଧି ଏବଂ ହିତାଧିକାରୀମାନେ ଉପସ୍ଥିତ ଥିଲେ।
