'ଗ୍ଲୋବାଲ୍ ଗ୍ରୀନ୍ ହବ୍' ହେବ ଓଡ଼ିଶା: ମୁଖ୍ୟମନ୍ତ୍ରୀ
ଓଡ଼ିଶାକୁ ଗ୍ଲୋବାଲ୍ ଗ୍ରୀନ୍ ହବ୍ କରିବାକୁ ସରକାରଙ୍କ ମାଷ୍ଟର ପ୍ଲାନ୍। ଜାପାନର IHI ଓ ACME ସହ ଓଡ଼ିଶା ସରକାରଙ୍କ MoC ସ୍ୱାକ୍ଷର । ୬୭ ହଜାର କୋଟିର ସବୁଜ ପୁଞ୍ଜିନିବେଶ, ୭,୬୦୦ ନିଯୁକ୍ତି ସୁଯୋଗ।

ଓଡ଼ିଶା ହେବ ‘ଗ୍ଲୋବାଲ୍ ଗ୍ରୀନ୍ ହବ୍’, ଏନେଇ ଆହ୍ବାନ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଜି ଲୋକସେବା ଭବନର କନଭେନସନ୍ ସେଣ୍ଟରରେ ଜାପାନର ବିଜିନେସ୍ ଡେଲିଗେଟ୍ ମାନଙ୍କ ସହିତ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓଡିଶାରେ ପୁଞ୍ଜି ନିବେଶ ସମ୍ପର୍କରେ ବିଶେଷକରି ସବୁଜ ଅର୍ଥନୀତିର ଅଭିବୃଦ୍ଧି ସମ୍ପର୍କରେ ଆଲୋଚନା କରିଛନ୍ତି। ଏହି ଅବସରରେ ରାଜ୍ୟ ସରକାର ACME ଗ୍ରୁପ ଓ IHI Corporation ସହିତ ଏକ ସହଯୋଗ ପତ୍ର ବା MoC ସ୍ୱାକ୍ଷର କରିଛନ୍ତି। ଏହାଦ୍ୱାରା ଏହି ଦୁଇଟି କମ୍ପାନୀ ଓଡିଶାରେ ସ୍ୱଚ୍ଛ ଶକ୍ତି ଏବଂ ଅନ୍ୟାନ୍ୟ ଶିଳ୍ପ ପ୍ରକଳ୍ପରେ ବ୍ୟାପକ ରୂପରେ ନିବେଶ କରିବା ପାଇଁ ଉଦ୍ୟମ କରିବେ। ଏହି ଚୁକ୍ତି ସ୍ୱାକ୍ଷର ଦ୍ୱାରା ରାଜ୍ୟରେ ପ୍ରାୟ ୬୭ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ହେବ । ଏହା ଦ୍ୱାରା ପ୍ରାୟ ୭ ହଜାର ୬୦୦ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।
ଏହି ପ୍ରକଳ୍ପ ଗୁଡିକ ହେଲା ଗୋପାଳପୁରରେ ୦.୪ MTPA କ୍ଷମତା ବିଶିଷ୍ଟ ଗ୍ରୀନ ଆମୋନିଆ ପ୍ରକଳ୍ପ। ଏଥିରେ ୨୦,୦୦୦ କୋଟି ଟଙ୍କା ନିବେଶ ହେବ ଏବଂ ଏହାଦ୍ୱାରା ୩,୪୦୦ ନିଯୁକ୍ତି ସୃଷ୍ଟି ହେବ। ଏହା ସହ ପାରାଦୀପରେ ୩୪,୦୦୦ କୋଟି ଟଙ୍କା ବିନିଯୋଗରେ ୦.୮ MTPA କ୍ଷମତା ବିଶିଷ୍ଟ ଏକ ଗ୍ରୀନ୍ ଆମୋନିଆ ପ୍ରକଳ୍ପ ପ୍ରତିଷ୍ଠା କରାଯିବ। ଏହାଦ୍ୱାରା ୩,୬୦୦ ନିଯୁକ୍ତି ସୃଷ୍ଟି ହେବ। ତୃତୀୟ ପ୍ରକଳ୍ପଟି ହେଉଛି ୧୨,୦୦୦ କୋଟି ଟଙ୍କା ବିନିଯୋଗରେ ପାରାଦୀପରେ ୦.୧ MTPA କ୍ଷମତା ବିଶିଷ୍ଟ ଏକ ଗ୍ରୀନ୍ ମିଥାନଲ୍ ପ୍ରକଳ୍ପ କରାଯିବ। ଏହା ଦ୍ୱାରା ୬୦୦ ନିଯୁକ୍ତି ସୃଷ୍ଟି ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶାକୁ ଏକ ‘ଗ୍ଲୋବାଲ୍ ଗ୍ରୀନ୍ ହବ୍’ ରେ ପରିଣତ କରିବା ସହ ପାରାଦୀପ, କେନ୍ଦ୍ରାପଡ଼ା ଓ ଗୋପାଳପୁରକୁ ନେଇ ଦୁଇଟି ସବୁଜ ଶିଳ୍ପ କରିଡର ବିକାଶ କରାଯାଉଥିବା ସୂଚନା ଦେଇଛନ୍ତି।
ଏହି କାର୍ଯ୍ୟକ୍ରମରେ ACME, IHI ଓ MITSUBISHI ଆଦି ଅନ୍ତର୍ଜାତୀୟ ସ୍ତରର କମ୍ପାନୀର ପ୍ରତିନିଧିମାନେ ଯୋଗଦେଇଥିଲେ। ମୁଖ୍ୟମନ୍ତ୍ରୀ IHI କର୍ପୋରେସନ୍କୁ ରାଜ୍ୟରେ ଏକ 'ଜାପାନୀ ଗ୍ରୀନ୍ ଇଞ୍ଜିନିୟରିଂ ଏବଂ ଇନୋଭେସନ୍ ସେଣ୍ଟର' ଏବଂ MITSUBISHI କର୍ପୋରେସନ୍କୁ ଗ୍ରୀନ୍ କେମିକାଲ୍ସ କ୍ଷେତ୍ରରେ ନିବେଶ ପାଇଁ ଆମନ୍ତ୍ରଣ କରିଛନ୍ତି। ।
