ଶ୍ମଶାନକୁ ଯିବାକୁ ନାହିଁ ରାସ୍ତା।
ନବରଙ୍ଗପୁର ସାନବାର୍ଲି ଗ୍ରାମରେ ବିକାଶର ନଗ୍ନ ଚିତ୍ର। ମୃତ୍ୟୁ ପରେ ବି ମିଳିଲାନି ସମ୍ମାନର ସହ ଶେଷ ଯାତ୍ରା। ରାସ୍ତା ନଥିବାରୁ କାଦୁଅ ଭରା ଜମି ଓ ହୁଡା ଦେଇ କୋକେଇରେ ବୋହି ମସାଣିକୁ ଗଲା ମୃତଦେହ।
ନବରଙ୍ଗପୁର: ମୃତ୍ୟୁ ପରେ ବି ମିଳିଲାନି ସମ୍ମାନର ସହ ଶେଷ ଯାତ୍ରା । ରାସ୍ତା ନଥିବାରୁ କାଦୁଅ ଭରା ଜମି ଓ ହୁଡା ଦେଇ କୋକେଇରେ ବୋହି ମସାଣିକୁ ଗଲା ମୃତଦେହ । ଏ ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ସାନବାର୍ଲି ଗ୍ରାମରେ। ଗ୍ରାମର ପଦ୍ମନ ହରିଜନଙ୍କର ମୃତ୍ୟୁ ହୋଇବେଶେ, ତାଙ୍କ ମରଶରୀରକୁ ଶ୍ମଶାନକୁ ନେବା ବେଳେ ସାମ୍ନାକୁ ଆସିଥିଲା ବିକାଶର ଏହି ନଗ୍ନ ଚିତ୍ର । ରାସ୍ତା ନଥିବାରୁ କାଦୁଅ ଭରା ଜମି ଓ ହୁଡା ଦେଇ କୋକେଇରେ ବୋହି ମସାଣିକୁ ନେବାକୁ ପଡିଲା ମୃତଦେହକୁ। ରୋଗଶଯ୍ୟାରେ ପଡ଼ିଥିବା ପଦ୍ମନ ହରିଜନଙ୍କ ମୃତ୍ୟୁରେ ପରିବାର ଦୁଃଖର ଥିବା ବେଳେ, ଦୁଃଖକୁ ଆହୁରି ବଢ଼ାଇ ଦେଇଥିଲା ମସାଣିକୁ ଯିବା ରାସ୍ତା ସମସ୍ୟା । "ଜାନୀ ଓ ହରିଜନ" ସମ୍ପ୍ରଦାୟର ଲୋକଙ୍କ ପାଇଁ ରହିଥିବା ଶ୍ମଶାନକୁ ଯିବାକୁ ରାସ୍ତା ନାହିଁ । କାଦୁଅ ଭରା ଧାନ ଜମି ଓ ହୁଡା ଦେଇ କୋକେଇ ବୋହି ନେବା ବେଳେ ବାରମ୍ବାର ଗୋଡ଼ ଖସୁଥିଲା, ଭାରସାମ୍ୟ ହରାଉଥିଲେ କୋକେଇ ବୋହିଥିବା ଲୋକେ । ଅନ୍ୟମାନେ ଆସି କୋକେଇକୁ ଧରି ସାହାଯ୍ୟ କରୁଥିଲେ । ବର୍ଷ ବର୍ଷ ଧରି ମସାଣିକୁ ଯୋଗାଯୋଗ କରୁଥିବା ରାସ୍ତା ନିର୍ମାଣ ପାଇଁ ଗ୍ରାମବାସୀ ପ୍ରଶାସନ ଓ ଜନପ୍ରତିନିଧିଙ୍କ ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସମସ୍ୟାର ସମାଧାନ ହୋଇନାହିଁ । ଫଳରେ ମୃତ୍ୟୁ ପରେ ବି ସମ୍ମାନର ସହ ଶେଷ ଯାତ୍ରା କରିବା ସମ୍ଭବ ହେଉନାହିଁ । ଯାହାକୁ ନେଇ ଗ୍ରାମବାସୀ ଅସନ୍ତୋଷ ବ୍ୟକ୍ତ କରିବା ସହ ସରକାର ତୁରନ୍ତ ସେମାନଙ୍କ ସମସ୍ୟାର ସମାଧାନ କରିବାକୁ ଦାବି କରିଛନ୍ତି ।
ରିପୋର୍ଟ - ରବି ପଟ୍ଟନାୟକ
